ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରାଖଣ୍ଡର ରୂପକୁଣ୍ଡ ହ୍ରଦ କଙ୍କାଳ ହ୍ରଦ ନାମରେ ପ୍ରସିଦ୍ଧ। ଏହା ଏକ ବରଫପୂର୍ଣ୍ଣ ହ୍ରଦ ଅଟେ। ପ୍ରତି ବର୍ଷ ଯେତେବେଳେ ଏହି କଙ୍କାଳ ହ୍ରଦ ନିକଟରେ ବରଫ ତରଳିଥାଏ ସେତେବେଳେ ସେଠାରେ ଶହ ଶହ ଖପୁରୀ ଦେଖାଯାଇଥାଏ। ହିମାଳୟରେ ପାଖାପାଖି ୫୦୨୯ମିଟର ଉଚ୍ଚତାରେ ଥିବା ଏହି କଙ୍କାଳ ହ୍ରଦର କୂଳରେ ପାଞ୍ଚଶହରୁ ବି ଅଧିକ ଖପୁରୀ ଦେଖିବାକୁ ମିଳେ।

ରୂପକୁଣ୍ଡକୁ ରହସ୍ୟମୟ ହ୍ରଦ ଭାବେ ଜଣାଯାଏ। ହ୍ରଦ ଚାରିପାଖରେ ଗ୍ଲାସିୟର ଏବଂ ବରଫାବୃତ ପାହାଡ଼ ରହିଛି। ପ୍ରତି ବର୍ଷ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥାଆନ୍ତି। ରୂପକୁଣ୍ଡରେ ପ୍ରତି ୧୨ବର୍ଷରେ ଥରେ ହେଉଥିବା ନନ୍ଦା ଦେବୀଙ୍କ ଯାତ୍ରାରେ ଭାଗ ନେବା ପାଇଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାଆନ୍ତି। ଏହି ସମୟରେ ନନ୍ଦାଦେବୀଙ୍କୁ ପୂଜା କରାଯାଇଥାଏ।

ଏହି ହ୍ରଦରେ ଏତେ କଙ୍କାଳ କେଉଁଠି ଆସିଲା ତାହା ଲୋକଙ୍କ ମନରେ କୌତୁହଳ ସୃଷ୍ଟି କରେ। ବୈଜ୍ଞାନିକଙ୍କ କହିବାନୁସାରେ ହ୍ରଦ ପାଖରେ ମିଳିଥିବା ପାଖାପାଖି ୨୦୦ଟି କଙ୍କାଳ ନଅ ଦଶକର ଭାରତୀୟ ଆଦିବାସୀଙ୍କର, ଯେଉଁମାନେ ବରଫ ଝଡ଼ରେ ମୃତ୍ୟୁବରଣ କରିଥିଲେ।

Comment