ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନରେ ଅଧିକ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବ କଂଗ୍ରେସ।

ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ଏକ ତୃତୀୟାଂଶ  ଆସନ ଦେବା ପାଇଁ ଶାସକ ବିଜେଡି ଘୋଷଣା କରିବା ପରେ ଏହି ଜ୍ଵରରେ ଏବେ  ପ୍ରାୟ ସବୁ ଦଳ ଆକ୍ରାନ୍ତ ହୋଇପଡ଼ିଥିବା ଦେଖାଯାଉଛି। ବିଜେଡି ଏ ନେଇ ବ୍ୟାପକ କସରତ ଚଳାଇଥିବା ବେଳେ କଂଗ୍ରେସ ପକ୍ଷରୁ ବି ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି।

ଖବର ଆସୁଛି ଯେ କଂଗ୍ରେସର ପୂର୍ବର  ପ୍ରାର୍ଥୀ ତାଲିକାକୁ ଏବେ ସଂଶୋଧନ କରାଯାଉଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କହିବା ଅନୁଯାୟୀ ଲୋକସଭା ଓ ବିଧାନସଭା ତାଲିକାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ସକାଶେ ପୂର୍ବ ତାଲିକାକୁ ବଦଳା ଯାଉଛି। କଂଗ୍ରେସ ତାଲିକା ପ୍ରକାଶରେ ବିଳମ୍ବ ପଛରେ ଏହା ବି ଗୋଟିଏ କାରଣ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଏପ୍ରିଲ ୧୧ରୁ ଆରମ୍ଭ ହୋଇ ୨୯ ତାରିଖରେ ଭୋଟ ଶେଷ ହେବ।

କଂଗ୍ରେସ ତାର ତାଲିକାକୁ ସଂଶୋଧନ କରିବା ପଛରେ ଅନ୍ୟ ଏକ କାରଣ ହେଉଛି ତୃଣମୂଳ କଂଗ୍ରେସ ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମହିଳା କୋଟା ଘୋଷଣା। ମମତା ନବୀନ ପଟ୍ଟନାୟକଙ୍କଠାରୁ ଆଉ ଗୋଟିଏ ପାଦ ଆଗେଇ ଯାଇ ଲୋକସଭା ନିର୍ବାଚନରେ ୪୦.୫ ପ୍ରତିଶତ ଆସନ ମହିଳାଙ୍କ ପାଇଁ ରହିବ ବୋଲି ନିକଟରେ ଘୋଷଣା କରିଛନ୍ତି।

କଂଗ୍ରେସ ଦଳ ପ୍ରକୃତରେ ମହିଳାଙ୍କ ପାଇଁ ଅଧିକ ଆସନ ରଖିବା ପାଇଁ ଚାହୁଁଛି କି ନା ଭିନ୍ନ କଥା। କିନ୍ତୁ ଏହି ଦୁଇ ଦଳର ଚାପରେ ଆସି ଚୂଡାନ୍ତ ହୋଇସାରିଥିବା ତାଲିକାକୁ ବଦଳାଇବା ସକାଶେ ଦଳ ନିଷ୍ପତ୍ତି ନେଇଛି। ନିକଟରେ ଚେନ୍ନାଇଠାରେ ଦଳର ସଭାପତି ରାହୁଲ ଗାନ୍ଧି କହିଥିଲେ ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସମ୍ପର୍କିତ ଆଇନକୁ କାର୍ଯ୍ୟକାରୀ କରିବ।

ଅନ୍ୟ ଏକ ଖବର ଅନୁସାରେ ଚଳିତ ୨୦ ତାରିଖରେ  କଂଗ୍ରେସର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ ପାଇଁ ୧୮ ତାରିଖରେ ପ୍ରାର୍ଥୀ କିଏ ସେକଥା ଜଣାପଡ଼ିବ।

Comment