ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): କଟକ ତୁଳସୀପୁରସ୍ଥିତ ମଧୁସୂଦନ ନଗରଠାରେ ୧୯୮୧ ମସିହାରେ କଟକ ମ୍ୟୁନିସିପାଲଟି ଦ୍ୱାରା ଏକ ହରିଣ ପାର୍କ ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ଏହି ହରିଣ ପାର୍କଟି କଟକ ମହାନଗର ନିମଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେଉଛି। ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି ମଧ୍ୟ ପାର୍କଟି ହରିଣମାନଙ୍କ ବଂଶ ବୃଦ୍ଧିରେ ସହାୟକ ହେବା ସହିତ ଜନସାଧାରଣଙ୍କୁ ମନୋରଂଜନର ଖୋରାକ ଯୋଗାଇବାରେ ସମର୍ଥ ହୋଇପାରିଛି।

ହରିଣ ପାର୍କର ମୋଟ ହରିଣ ସଂଖ୍ୟା ୧୮୮। ଏସବୁ ଚିତ୍ରିତ ପ୍ରଜାତିର ହରିଣ। ତନ୍ମଧ୍ୟରୁ ୧୦୦ଟି ମାଈ ହରିଣ, ୭୦ଟି ଅଣ୍ଡିରା ହରିଣ ଓ ୧୮ଟି ଶିଶୁ ହରିଣ ରହିଛନ୍ତି। ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପାର୍କ ମଧ୍ୟରେ ମାଈ, ଅଣ୍ଡିରା ହରିଣଙ୍କୁ ଅଲଗା ଅଲଗା କରି ରଖାଯାଇଛି। ପଶୁରକ୍ଷକ(ଅବସରପ୍ରାପ୍ତ) ଶିବ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହରିଣଗୁଡ଼ିକର ଯତ୍ନ ନିଆଯାଉଛି।

ଖରାଦିନେ ହରିଣଙ୍କୁ ବିଶେଷ ଯତ୍ନ

ପ୍ରତ୍ୟେକ ହରିଣଙ୍କୁ ସକାଳେ ୧୨ଶହ ଗ୍ରାମ୍ ଲେଖାଏଁ ଦାନା ଖାଇବାକୁ ଦିଆଯାଇଥାଏ। ଅପରାହ୍ନରେ ହରିଣଗୁଡ଼ିକୁ ଡାଳପତ୍ର ଓ ଘାସ ଦିଆଯାଇଥାଏ। ଗ୍ରୀଷ୍ମଋତୁରେ ହରିଣଗୁଡ଼ିକୁ କାକୁଡ଼ି, ଶାଗ, ତରଭୂଜ, ବନ୍ଧାକୋବି ଓ ଗ୍ଲୁକୋନ ଡି ଦିଆଯାଇଥାଏ। ଖରାଦିନେ ହରିଣଗୁଡ଼ିକୁ ୩ ଥର ପାଣି ପିଇବାକୁ ଦିଆଯାଉଥିବା ବେଳେ ଅନ୍ୟ ସମୟରେ ଦୈନିକ ଦୁଇ ଥର ପାଣି ପିଇବାକୁ ଦିଆଯାଏ। ପାର୍କ ମଝିରେ ଥିବା କୁଣ୍ଡଗୁଡିକରେ ପ୍ରତିଦିନ ବିଶୁଦ୍ଧ ପାଣି ଦିଆଯାଇଥାଏ। ଖରାଦିନେ ହରିଣମାନେ ଚଳପ୍ରଚଳ କରୁଥିବା ସ୍ଥାନରେ ପାଣି ସିଞ୍ଚନ କରାଯାଇଥାଏ।

ପାର୍କ ମଧ୍ୟରେ ୨ଟି ଛାତ ଘର ଓ ୨ଟି ଆଜବେଷ୍ଟସ ଘର ରହିଛି। ଏସବୁକୁ ହରିଣମାନେ ଆଶ୍ରୟସ୍ଥଳି ଭାବେ ବ୍ୟବହାର କରିଥାନ୍ତି। ପାର୍କ ମଧ୍ୟରେ ଏକାଧିକ ବର ଏବଂ ଓସ୍ତ ଗଛ ରୋପଣ କରାଯାଇଛି। ଏହି ବୃକ୍ଷ ସବୁ ହରିଣମାନଙ୍କୁ ଦିନରେ ଛାୟା ପ୍ରଦାନ କରିଥାଏ। ଦିବା ସମୟରେ ହରିଣମାନେ ଛାଇ ସ୍ଥାନକୁ ଯାଇ ବିଶ୍ରାମ କରିଥାନ୍ତି। ସେହିପରି ବର୍ଷା ସମୟରେ ପାର୍କରେ ଥିବା ଆଶ୍ରୟସ୍ଥଳକୁ ସେମାନେ ଆପେ ଆପେ ଚାଲିଆସନ୍ତି। ରାତିରେ ହରିଣ ସବୁ ଖୋଲାସ୍ଥନରେ ବିଶ୍ରାମ କରିଥାନ୍ତି। ପାର୍କର ଚତୁଃପାଶ୍ୱର୍ରେ ଥିବା ଏକାଧିକ ଦେବଦାରୁ, ବଉଳ ଓ ବାଉଁଶ ଗଛ ସବୁ ହରିଣଗୁଡିକୁ ଛାୟା ପ୍ରଦାନ କରିଥାନ୍ତି। ପାର୍କର ଝାଡୁଦାର ଦୈନିକ ଏମାନଙ୍କ ମଳମୂତ୍ରକୁ ସଫା କରି ପାର୍କର ପରିବେଶ ପ୍ରତି ଉଚିତ ଯତ୍ନ ନେଇଥାନ୍ତି। ହରିଣମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ପାର୍କର ଉଭୟ ପାଶ୍ୱର୍ରେ ଦୁଇଥାକିଆ ଯଥା ତାରଜାଲି ଓ ଗ୍ରୀଲର ବ୍ୟବସ୍ଥା କରାଯାଇଛି।

ହରିଣଙ୍କ ସ୍ୱାସ୍ଥ୍ୟପ୍ରତି ଗୁରୁତ୍ୱ

ହରିଣଗୁଡ଼କର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଜଣେ ଅବସରପ୍ରାପ୍ତ ପଶୁ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ପଶୁଡାକ୍ତର ସପ୍ତାହକୁ ୩ /୪ ଥର ପ୍ରଥି ହରିଣର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥାନ୍ତି।

ବର୍ଷକୁ ଥରେ ହରିଣ ଛୁଆ ଜନ୍ମ କରିଥାଏ। ହରିଣ ଥରକେ ଗୋଟିଏ ଛୁଆ ଦେଇଥାଏ। ଶୀତ ଦିନ ଶେଷ ଆଡକୁ ମାଈ ହରିଣ ସନ୍ତାନ ପ୍ରସବ କରିଥାଏ ବୋଲି ପଶୁରକ୍ଷକ ଶ୍ରୀ ମିଶ୍ର କହିଛନ୍ତି।

ପାର୍କରେ ପାଣି ନିଷ୍କାସନ ପାଇଁ ମଟରପମ୍ପର ବ୍ୟବସ୍ଥା

ବର୍ଷା ଦିନରେ ପାର୍କର କିଛି ଅଂଶରେ ପାଣି ଜମାରହିବାର ସମସ୍ୟା ଦେଖାଯାଇଥାଏ। କିଛି ସମୟ ପାଇଁ ପାର୍କରେ ପାଣି ଜମି ରହିଥାଏ। ପାର୍କଟି ମହାନଦୀ କୂଳରେ ଅବସ୍ଥିତ ହୋଇଥିବାରୁ ବର୍ଷା ଛାଡ଼ିଲା ପରେ ଜମାହୋଇଥିବା ବର୍ଷା ପାଣି ଆପେ ଆପେ ଶୁଖିଯାଏ। ସେହିପରି ସିଏମସି ପକ୍ଷରୁ ମଟର ପମ୍ପ ଜରିଆରେ ମଧ୍ୟ ପାର୍କ ମଧ୍ୟରୁ ପାଣି ନିଷ୍କାସିତ ହୋଇଥାଏ।

ହରିଣଙ୍କ ରକ୍ଷଣାବେକ୍ଷଣ ଲାଗି କର୍ମଚାରୀ ନିଯୁକ୍ତ

ହରିଣମାନଙ୍କ ରକ୍ଷଣାବେକ୍ଷଣ ପାଇଁ ସିଏମସି ତରଫରୁ ଜଣେ ଅଫିସର, ଜଣେ ଇନଚାର୍ଜ, ଜଣେ ପଶୁରକ୍ଷକ, ୫ ଜଣ ସହାୟକ ଓ ଦୁଇ ଜଣ ଝାଡୁଦାରଙ୍କୁ ନିଯୁକ୍ତି ଦିଆଯାଇଛି। ହରିଣ ପାର୍କର ଇନଚାର୍ଜ ପ୍ରକାଶ କୁମାର ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାର୍କଟି ପରିଚଳିତ ହେଉଛି। ଆବଶ୍ୟକ ଅନୁଯାୟୀ କର୍ମଚାରୀ ସଂଖ୍ୟା ବୃଦ୍ଧି କରାଗଲେ ପାର୍କଟି ଆହୁରି ଦକ୍ଷତାର ସହିତ କାର୍ଯ୍ୟକ୍ଷମ ହୋଇପାରିବ।

ପର୍ଯ୍ୟଟନର ମଜା ଉଠାଉଛନ୍ତି ଦର୍ଶକ

ପ୍ରତ୍ୟେକ ଦିନ ଅପରାହ୍ନ ୪ ଟାରେ ବହୁ ଦର୍ଶକ ହରିଣଗୁଡିକୁ ଦେଖିବା ପାଇଁ ଏଠାକୁ ଆସିଥାନ୍ତି। ରବିବାର ଓ ଛୁଟିଦିନଗୁଡ଼ିକରେ ପାର୍କ ବାହାରେ ଦର୍ଶକମାନଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ପିଲାଛୁଆମାନଙ୍କୁ ଧରି ବହୁ ପରିବାର କୃତ୍ରିମ ପରିବେଶ ମଧ୍ୟରେ ପାର୍କରେ ଥିବା ହରିଣମାନଙ୍କୁ ଦେଖିବା ସହିତ ମହାନଦୀର ଶାନ୍ତ ପ୍ରାକୃତିକ ପରିବେଶର ମଜାଉଠାଇଥାନ୍ତି।

ଦ୍ୱିତୀୟ ହରିଣ ପାର୍କ ପ୍ରତିଷ୍ଠା ଲାଗି ଜନସାଧାରଣଙ୍କ ଦାବି

ବର୍ତ୍ତମାନ ପାର୍କରେ ହରିଣଗୁଡିକ ପାଇଁ ସ୍ଥାନର ଘୋର ଅଭାବ ପରିଲକ୍ଷିତ ହେଉଛି। ଜଙ୍ଗଲ ବିଶେଷଜ୍ଞମାନଙ୍କ ମତରେ ଏଠାରେ ୧୫ରୁ ୨୦ଟି ହରିଣ ରହିବା ପାଇଁ ସ୍ଥାନ ରହିଛି। ଏଣୁ ବାକି ହରିଣଙ୍କ ବାସସ୍ଥାନ ଅଲଗା ସ୍ଥାନରେ ବନ୍ଦୋବସ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ସରକାର, ଜିଲ୍ଲା ପ୍ରଶାସନ ଓ ସିଏମସିର ମିଳିତ ଉଦ୍ୟମରେ ମୁଣ୍ଡଳିଠାରେ ପ୍ରସ୍ତାବିତ ଦ୍ୱିତୀୟ ହରିଣ ପାର୍କ ଶୀଘ୍ର ପ୍ରତିଷ୍ଠା କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here