ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟ ରାଜନୀତି। ତେବେ ଟିକେଟ ବଣ୍ଟନ ପୂର୍ବରୁ କାହାକୁ ଟିକେଟ୍‌ ମିଳିବ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା। ଚଳିତ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଆସନରୁ ଝରିଗାଁ ବିଧାୟକ ତଥା ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଙ୍କୁ ବିଜେଡି ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି।

ଗତ ନିର୍ବାଚନରେ ଇଂଜିନିୟର ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଥିବା ବଳଭଦ୍ର ମାଝି ନିର୍ବାଚନ ଲଢ଼ିଥିଲେ। ତେବେ ଚଳିତ ନିର୍ବାଚନ ପୂର୍ବରୁ ବଳଭଦ୍ର ମାଝି ଆଜି ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ତେବେ ଏହି ପରିପେକ୍ଷୀରେ ରମେଶ ମାଝିଙ୍କୁ ପ୍ରାର୍ଥୀ ହେବା ନେଇ ବିଜେଡି ମହଲରୁ ସୂଚନା ମିଳିଛି।

୨୦୦୯ ନିର୍ବାଚନରେ ବିଜେଡି ଓ ବିଜେପି ମେଣ୍ଟ ଭାଙ୍ଗିବା ପରେ ବିଜେଡି ଡମ୍ବୁରୁ ମାଝିଙ୍କୁ ନବରଙ୍ଗପୁର ସାଂସଦ ଭାବେ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ ବିଜେଡି ହାରିଥିଲା। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ବଳଭଦ୍ର ମାଝିଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡି ବିଜୟୀ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ବିଜେଡି ପୁଣି ପ୍ରାର୍ଥୀ ପରିବର୍ତ୍ତନ କରାଯାଉଥିବା ସୂଚନା ମିଳିଛି।

ନବରଙ୍ଗପୁର ଲୋକସଭା ଆସନଟି ନବରଙ୍ଗପୁର ଜିଲ୍ଲାର ୪ଟି , କୋରାପୁଟ ଜିଲ୍ଲାର କୋଟପାଡ଼ ବିଧାନସଭା ଆସନରୁ ଗୋଟିଏ ଏବଂ ମାଲକାନଗିରି ଜିଲ୍ଲାର ଦୁଇଟି ବିଧାନ ସଭା ଆସନକୁ ନେଇ ଗଠିତ। ଯଦି ରମେଶ ମାଝିଙ୍କୁ ନବରଙ୍ଗପୁରରୁ ଲୋକସଭା ପ୍ରାର୍ଥୀ ଟିକେଟ ଦିଆଯିବ ତେବେ ଝରିଗାଁ ବିଧାନସଭା ଆସନରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ପ୍ରଶ୍ନ ଉଠୁଛି।

ଆଦିବାସୀ ସଂରକ୍ଷିତ ନବରଙ୍ଗପୁର ଆସନ ପାଇଁ ବିଜେଡି ନୂଆ ସମୀକରଣ କରୁଥିବା ବେଳେ ବିଜେପି ଓ କଂଗ୍ରେସ ପୁରୁଣା ମୁହଁକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି। ଏଣେ ସାଂସଦ ବଳଭଦ୍ର ମାଝୀ ବିଜେପିରେ ମିଶିବା ପରେ ରମେଶ ମାଝିଙ୍କ ବପକ୍ଷରେ ସେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

Comment