ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିର୍ବାଚନ ଠିକ୍‌ ପୂର୍ବରୁ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ଏହି ମଧ୍ୟରେ ଅଭିନେତ୍ରୀ ଜୟପ୍ରଦା ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ଜୟପ୍ରଦା ସମାଜବାଦୀ ପାର୍ଟି ପକ୍ଷରୁ ରାମପୁର ଆସନରୁ ଦୁଇଥର ସାଂସଦ ରହିଛନ୍ତି। ବଲିଉଡରେ ଅନେକ ସୁପରହିଟ ଫିଲ୍ମ ଦେବାପରେ ଜୟପ୍ରଦା ଅଚାନକ ଫିଲ୍ମ ଦୁନିଆରୁ ବିଦାୟ ନେଇଥିଲେ।

ଫିଲ୍ମ ଜଗତରୁ ବିଦାୟ ନେବାପରେ ସେ ତେଲୁଗୁ ଦେଶମ ପାର୍ଟିରେ ଯୋଗ କରିଥିଲେ। ସେ ନିଜ ପଲିଟିକାଲ କ୍ୟାରିଅର ୧୯୯୪ ତେଲେଗୁ ଦେଶମ୍‌ ପାର୍ଟିରୁ ଆରମ୍ଭ କରିଥିଲେ। ପାର୍ଟିରେ ମତଭେଦ ଯୋଗୁଁ ସେ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ।

ଜୟପ୍ରଦାଙ୍କ ପ୍ରକୃତ ନାମ ହେଉଛି ଲଲିତା ରାଣୀ। ସେ ଆନ୍ଧ୍ରପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ। ଜୟପ୍ରଦା ୫ଟି ଭାଷାରେ ୫୦ରୁ ଅଧିକ ଫିଲ୍ମ କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀରେ ସବୁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ ଜୟପ୍ରଦା। ସେତେବେଳ ସମୟରେ ଅଧିକ ପାରିଶ୍ରମିକ ମଧ୍ୟ ପାଉଥିଲେ ସେ।

ହିନ୍ଦୀ ଫିଲ୍ମରେ ଛଡ଼ା ଜୟପ୍ରଦା ତେଲେଗୁ, ତାମିଲ, କନ୍ନଡ, ମାଲାୟାଲାମ, ବଙ୍ଗାଳି ଏବଂ ମରାଠି ଫିଲ୍ମରେ କାମ କରିଛନ୍ତି। ୨୦୧୩ରେ ହିନ୍ଦୀ ଫିଲ୍ମ ରଜ୍ଜୋରେ ଜୟପ୍ରଦା ନଜର ଆସିଥିଲେ। ରଜ୍ଜୋରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କଙ୍ଗନା ରାଣାୱତ।

ରାଜନୀତିରେ ସାମିଲ ହେବା ପରେ ଜୟପ୍ରଦା ନିଜକୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଅଲଗା କରିଦେଇଛନ୍ତି।

ତୋଫା, ଶରାବୀ, ମକ୍‌ସଦ୍‌, ସଞ୍ଜୋଗ୍, ଆଜ୍‌ କା ଅର୍ଜୁନ୍‌ ଭଳି କେତେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଜୟ। ଫିଲ୍ମ ସଂଗ୍ରାମ, ଶରାବୀ ଓ ସଂଜୋଗ ପାଇଁ ଜୟପ୍ରଦାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା।

ଜୟପ୍ରଦା ଯେତିକି ସଫଳତା ପାଇଛନ୍ତି ସେତିକି ବିବାଦରେ ବି ଛନ୍ଦି ହୋଇଛନ୍ତି। ୧୯୮୬ରେ ଜୟପ୍ରଦା ଫିଲ୍ମ ନିର୍ମାତା ଶ୍ରୀକାନ୍ତ ନାହଟାଙ୍କୁ ବିବାହ କରିଥିଲେ। ଶ୍ରୀକାନ୍ତ ଦ୍ୱିତୀୟ ପତ୍ନୀ ଥିଲେ ଜୟପ୍ରଦା। ଶ୍ରୀକାନ୍ତ ପୂର୍ବରୁ ଚନ୍ଦ୍ରାଙ୍କୁ ବିବାହ କରିଥିଲେ। ସେମାନଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି। ଶ୍ରୀକାନ୍ତ ଓ ଜୟପ୍ରଦାଙ୍କ ମଧ୍ୟରେ ବିବାଦ ବି ଦେଖା ଦେଇଥିଲା। କାରଣ ଶ୍ରୀକାନ୍ତ ତାଙ୍କ ପୂର୍ବ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ଜୟପ୍ରଦାଙ୍କୁ ବିବାହ କରିଥିଲେ।

ବଲିଉଡରେ ‘ମି ଠୁ’ ଆନ୍ଦୋଳନ ଚାଲୁଥିବା ବେଳେ ଜୟପ୍ରଦା ଆକ୍ଟର ଦଲୀପ ତହିଲଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ଏକ ଫିଲ୍ମରେ ଆକ୍ଟର ଦଲୀପ ତହିଲ ଓ ଜୟପ୍ରଦା ସାଙ୍ଗରେ କାମ କରୁଥିଲେ। ସୁଟିଙ୍ଗ୍‌ ସମୟରେ ତାଙ୍କ ସହ ଏମିତି କିଛି ଘଟିଥିଲା ଯାହାଫଳରେ ଜୟପ୍ରଦା ଦଲୀପ ତାହିଲଙ୍କୁ ଚାପୁଡ଼ା ମାରିଥିଲେ। କିନ୍ତୁ ପରମୂହୁର୍ତ୍ତରେ ଏହି ଫିଲ୍ମର ସୁଟିଙ୍ଗ୍‌ ହୋଇଥିଲା।

Comment