ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ଅନଲାଇନ ସପିଂର ଚାହିଦା ଖୁବ୍ ବଢୁଛି। ବଜାର ଦରଠାରୁ କମ୍ ଦାମରେ ଏବଂ ବିନା ପରିଶ୍ରମରେ ଜିନିଷ କିଣି ହେଉଥିବାରୁ ଅନଲାଇନ ସପିଂକୁ ଖୁବ୍ ଚାହିଦା ବଢ଼ୁଛି। କିନ୍ତୁ ଆପଣ ଜାଣନ୍ତି କି ଅନଲାଇନରେ ଏବେ ନକଲି ଉତ୍ପାଦର ବିକ୍ରି ଅଧିକ ହେଉଛି। ସେଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ କିଛି କଥା ପ୍ରତି ଦୃଷ୍ଟି ଦିଅନ୍ତୁ।

-ଅନଲାଇନରେ ବିକ୍ରି ହେଉଥିବା ନକଲି ଉତ୍ପାଦ ମଧ୍ୟରେ ସବୁଠୁ ଅଧିକ ମେକଅପ୍ ଉତ୍ପାଦ ହିଁ ବିକ୍ରି ହେଉଛି। ବ୍ରାଣ୍ଡେଡ୍ ମେକଅପ୍ କଂପାନି ନାମରେ ସମାନ ପ୍ୟାକେଜିଂ, ରଙ୍ଗ, ଆକାର ହିସାବରେ ନକଲି ଉତ୍ପାଦକୁ ଗ୍ରାହକଙ୍କୁ ଦିଆଯାଉଛି। ବଜାର ଦରଠାରୁ କମ୍ ଦାମ୍‌ରେ ମିଳୁଥିବାରୁ ଲୋକମାନେ ମଧ୍ୟ ଏଥିପ୍ରତି ଆକର୍ଷିତ ହେଉଛନ୍ତି। କିଛି ସପିଂ ୱେବ୍‌ସାଇଟ୍ ତ ବର୍ଷସାରା ଏ ନେଇ ବିଭିନ୍ନ ପ୍ରକାର ଅଫର୍ ଘୋଷଣା କରିଦେଉଛନ୍ତି। ଏଥିରୁ ରକ୍ଷା ପାଇବାକୁ ହେଲେ ଜିନିଷ ପାଇଁ ଅର୍ଡର ଦେବା ସମୟରେ ସେ ବିଷୟରେ ଭଲ ଭାବେ ଯାଞ୍ଚ କରନ୍ତୁ।

-ନକଲି ଉତ୍ପାଦ ବିକ୍ରି କରୁଥିବା ଲୋକଙ୍କୁ ଡିଓଡ୍ରେଣ୍ଟସ୍ ବିକ୍ରି ସମୟରେ ସବୁଠୁ ଅଧିକ ଫାଇଦା ମିଳିଥାଏ। ସେଥିରେ ଏକ୍ସଟ୍ରା ଗ୍ୟାସ୍ ଭର୍ତ୍ତି କରି ବିକ୍ରେତା ଖୁବ୍ ଅଧିକ ଲାଭ ପାଇଥାନ୍ତି। ତେଣୁ ଅନଲାଇନରେ ଡିଓଡ୍ରେଣ୍ଟସ୍ କିଣିବାକୁ ଏଡ଼ାଇ ଯାଆନ୍ତୁ।

-ଅନେକ ଅନଲାଇନ ୱେବ୍‌ସାଇଟରୁ ଇଲୋକ୍ଟ୍ରୋନିକ୍ସ ଗ୍ୟାଜେଟ୍ ସପିଂ କରିବା ସମୟରେ ସେମାନେ ବ୍ରାଣ୍ଡେଡ୍ କଂପାନିର ମୋବାଇଲ୍ ଡବାରେ ନକଲି ବ୍ୟାଟେରୀ ଏବଂ ସଫ୍ଟୱେୟାର୍ ଲୋଡ୍ କରିଦିଅନ୍ତି। ଯାହାକୁ କି ସାଧାରଣ ଗ୍ରାହକ ବିଲକୁଲ୍ ଭାବେ ଧରିପାରନ୍ତି ନାହିଁ।

-ଅନଲାଇନ ମାଧ୍ୟମରେ ମହିଳାଙ୍କ ପୋଷାକ କେବେହେଲେ କିଣିବା କଥା ନୁହେଁ। କାରଣ ଏଥିରେ ଅନେକ ନକଲି ଉତ୍ପାଦ ବିକ୍ରି ହୋଇଥାଏ। ୱେବ୍‌ସାଇଟରେ ଦେଖିବାବେଳେ ଆଖିକୁ ସୁନ୍ଦର ଦିଶିବା ଭଳି ଭଲ କ୍ୱାଲିଟିର ଶାଢି ବା ପୋଷାକ ପ୍ରଦର୍ଶିତ କରାଯାଏ। ଘରକୁ ଆଣିବା ପରେ ସେଗୁଡ଼ିକର କ୍ୱାଲିଟିରେ ଫରକ ଥିବା ଜଣାପଡ଼ିଥାଏ। ତେଣୁ ସବୁବେଳେ ଜଣାଶୁଣା ୱେବ୍‌ସଇଟରୁ ସପିଂ କରନ୍ତୁ। ଅପ୍ରତ୍ୟାଶିତ ଡିସ୍‌କାଉଣ୍ଟ ଏବଂ ଅଫର୍ ଦେଉଥିବା ୱେବ୍‌ସାଇଟରୁ ଆପଣ ଯେ ଠକାମୀରେ ଶିକାର ହେବେ ତାହା ଜାଣିରଖନ୍ତୁ।

-ଅନଲାଇନ ସପିଂ ସମୟରେ ଯଦି କୌଣସି ୱେବ୍‌ସାଇଟ୍ ଆପଣଙ୍କୁ ଜନ୍ମଦିନ, ବିବାହ ବାର୍ଷିକୀ ପରି ଅନ୍ୟ କୌଣସି ତଥ୍ୟ ମାଗେ ତା’ହେଲେ ତୁରନ୍ତ ସେହି ୱେବ୍‌ସାଇଟକୁ ବନ୍ଦ କରିଦିଅନ୍ତୁ।

-ଅନଲାଇନ ସପିଂରେ ବ୍ୟବହାର କରୁଥିବା ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ବା ନେଟ୍ ବ୍ୟାଙ୍କିଙ୍ଗ୍‌ର ବ୍ୟାଙ୍କ୍ ଏକାଉଣ୍ଟକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରନ୍ତୁ। ମିନି ଷ୍ଟେଟମେଣ୍ଟ ଜରିଆରେ ଆପଣ ଏକାଉଣ୍ଟ ଉପରେ ନଜର ରଖିପାରିବେ।

-ନିଜର କମ୍ପ୍ୟୁଟରକୁ ଲାଟେଷ୍ଟ ଆଣ୍ଟିଭାଇରସ୍ ଜରିଆରେ ସୁରକ୍ଷିତ ରଖନ୍ତୁ।

Comment