ଅନିରୁଦ୍ଧ ପଟ୍ଟନାୟକ

ଅଦ୍ୟ ଭାରତୀୟ ପରମ୍ପରା ଓ ସଂସ୍କୃତିର ବାହକ ନୂତନ ବର୍ଷାରମ୍ଭ ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା। ଦେଶର ବିଭିନ୍ନ ପ୍ରାନ୍ତରୁ ଏହାକୁ ବିଭିନ୍ନ ରୂପରେ ପାଳନ କରାଯାଏ ମହର୍ଷି ଦୟାନନ୍ଦ ସରସ୍ୱତୀ ତାଙ୍କ ରଚିତ ଋଗବେଦାଦି ଭାଷ୍ୟ ଭୂମିକାରେ ସୃଷ୍ଟି ସଂରଚନତା, ବେଦୋତ୍ପତ୍ତି, କାଳଗଣନା ବିଷୟରେ ବିଶଦ ଆଲୋଚନା କରି ଚୈତ୍ରଶୁକ୍ଳ ପ୍ରତିପଦା ସୃଷ୍ଟି ସମ୍ବତ୍ସରର ପ୍ରଥମ ଦିବସ ରୂପେ ପ୍ରମାଣ କରିଛନ୍ତି।

ତଦନୁଯାୟୀ ସୃଷ୍ଟିର ବର୍ତ୍ତମାନ ଅବଧି ଏକ ବୃନ୍ଦ ଛୟାନବେ କୋଟି ଆଠ ଲକ୍ଷ ତେପନ ହଜାର ଏକ ଶତ ଉଣେଇଶ ବର୍ଷ ପୂର୍ତ୍ତି ହୋଇ କୋଡିଏ ବର୍ଷ ହେବ। ଆଧୁନିକ ବୈଜ୍ଞାନିକଗଣ ମଧ୍ୟ ଏହାକୁ ସ୍ୱୀକାର କରନ୍ତି। ତେଣୁ ବେଦ କହନ୍ତି- ଭାରତର ସଂସ୍କୃତି ବିଶ୍ୱବରଣୀୟ (ଯଜୁ ୭-୧୪)

ବୈଦିକ ବାଙମୟରେ ଅନେକ ସ୍ଥଳରେ ବସନ୍ତ ଋତୁକୁ ନୂତନ ବର୍ଷର ଆରମ୍ଭ ରୂପେ ବର୍ଣ୍ଣନା କରିଛନ୍ତି। (ତୈତ୍ତିରୀୟ ସଂହିତା, ୪-୪-୧୧, ଯଜୁ ୧୪=୬, ୧୫,୧୬,୧୭) ତୈତ୍ତରୀୟ ବ୍ରାହ୍ମଣ ରମଣୀୟ ବସନ୍ତ ଋତୁକୁ ଋତୁମାନଙ୍କର ମୁଖ ବୋଲି ବର୍ଣ୍ଣନା କରିଛନ୍ତି- ‘ମୁଖଂ ବା ଏତାଦୃତୁନାଂ ଯଦ୍ ବସନ୍ତଃ’ (ତୈ.ବ୍ରା-୧. ୧-୨, ୬, ୭)।

ସୁତରାଂ ବସନ୍ତ ଋତୁ ପ୍ରାରମ୍ଭ ଚୈତ୍ର ଶୁକ୍ଳ ପ୍ରତିପଦା ନୂତନ ବର୍ଷର ପ୍ରଥମ ଦିବସ ରୂପେ ଭାରତୀୟ ସଂସ୍କୃତି ତଥା ପରମ୍ପରା ଦ୍ୱାରା ସ୍ୱୀକୃତ। ତେଣୁ ବିବାହ, ବ୍ରତ, ଜନ୍ମଦିନ, ବେପାର, ବଣିଜ, ଗୃହ ପ୍ରବେଶାଦି ସମସ୍ତ ଶୁଭକର୍ମରେ ଭାରତୀୟ ପଞ୍ଚାଙ୍ଗର ହିଁ ସହାୟତା ନିଆଯାଇଥାଏ।

ଏହି ଋତୁରେ ସୂର୍ଯ୍ୟ ବିଷୁଭ ରେଖାରେ ଅବସ୍ଥାନ କରନ୍ତି। ଫଳରେ ବାତାବରଣରେ ସମଶୀତୋଷ୍ଣ ଅନୁଭୂତ ହୁଏ। ସମଗ୍ର ପ୍ରକୃତିରେ ଏକ ଅଭୂତପୂର୍ବ ନୂତନତାର ସ୍ଫୁରଣ ହୁଏ। ବୃକ୍ଷଲତା ନୂତନ ପତ୍ର, ଫୁଲ ଫଳରେ ବିମଣ୍ଡିତ ହୋଇ ଅତ୍ୟନ୍ତ ଶୋଭାମୟ ଦିଶନ୍ତି। ମଳୟ ପବନ ସମସ୍ତ ଜୀବଜଗତକୁ ଉଲ୍ଲସିତ କରେ।

କୋଇଲିର ମଧୁର କୁହୁତାନରେ ଆମ୍ରକୁଞ୍ଜ ଗୁଞ୍ଜରିତ ହୁଏ। ଏହିପରି ଏକ ମନଲୋଭା ପରିବେଶରେ ନୂତନତାକୁ ବିଚାର କରି ପ୍ରାଚୀନ କାଳରୁ  ଏହି ଋତୁର ଚୈତ୍ର ଶୁଳ୍କ ପ୍ରତିପଦାକୁ ବର୍ଷର ପ୍ରଥମ ଦିବସ ରୂପେ ପାଳନ କରାଯାଏ।

ଆନ୍ଧ୍ର, ତେଲେଙ୍ଗାନା ଆଦି ପ୍ରଦେଶରେ ଏହାକୁ ‘ୟୁଗାଦି’ (ୟୁଗ+ଆଦି = ଯୁଗର ପ୍ରଥମ ଦିବସ) ରୂପେ ପାଳନ କରନ୍ତି। ମହାରାଷ୍ଟ୍ରରେ ‘ଗୁଡିପଡୱା’ ଆସାମରେ ‘ରଙ୍ଗୋଲି’, କେରଳରେ ‘ବିଶୁଦିନ’, ମଣିପୁରରେ ‘ସାଜିବ ଚେଇଓବା’ ରୂପେ ପାଳନ କରାଯାଏ।

ଓଡ଼ିଶାରେ ମହାବିଷୁଭ ସଂକ୍ରାନ୍ତିକୁ ନୂତନ ବର୍ଷ ରୂପେ ପାଳନ କରନ୍ତି। ଯାହା ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦାର ପାଖାପାଖି ପଡିଥାଏ। ସୁତରାଂ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦାକୁ ନୂତନ ବର୍ଷର ପ୍ରାରମ୍ଭ ରୂପେ ପାଳନ କରିବା ଅଧିକ ଯୁକ୍ତିଯୁକ୍ତ। ୧୫୮୨ ମସିହାରୁ ପ୍ରଚଳିତ ଗ୍ରୀଗୋରିଆନ୍ କ୍ୟାଲେଣ୍ଡରର ଜାନୁଆରୀ ୧ ତାରିଖ, ଯାହା ଅର୍ଦ୍ଧରାତ୍ରରୁ ଆରମ୍ଭ ହୁଏ। ତାକୁ ନବବର୍ଷ ରୂପେ ପାଳନ କରିବା ବିଜ୍ଞାନ ସମ୍ମତ ନୁହେଁ। ମାତ୍ର ବିଡମ୍ବନାର ବିଷୟ ଏହାକୁ ଆମେ ମହା ଆଡମ୍ବରରେ ପାଳନ କରିଥାଉ।

ଚୈତ୍ର ମାସ ଶୁକ୍ଳ ପ୍ରତିପଦାର ମହତ୍ତ୍ୱକୁ ପ୍ରତିପାଦନ କରିବାକୁ କୁହାଯାଇଛି – ‘‘ଚୈତ୍ରେ ମାସି ଜଗଦ୍ ବ୍ରହ୍ମ ସସର୍ଜିଂ ପ୍ରଥମେହନି, ଶୁକ୍ଳପକ୍ଷେ ସମଗ୍ରେତୁ ସଦା ସୂର୍ଯ୍ୟୋଦୟେସତି।’’ (ହିତାଦ୍ରି) ଅର୍ଥାତ୍ ଚୈତ୍ର ଶୁକ୍ଳ ପ୍ରତିପଦାର ପ୍ରଥମ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ପରମାତ୍ମା ସମ୍ପୂର୍ଣ୍ଣ ସୃଷ୍ଟି ନିର୍ମାଣ କରି ମାନବ ସମାଜକୁ ଉତ୍ପନ୍ନ କରିଥିଲେ। ତେଣୁ ଏହାକୁ ସୃଷ୍ଟି ସଂବତ୍ସର ବା ମାନବ ସଂବତ୍ସର ମଧ୍ୟ କହନ୍ତି।

ଏହି ଦିନଠାରୁ ପୃଥିବୀ ସୂର୍ଯ୍ୟଙ୍କୁ ପୁନଃ ପରିକ୍ରମଣ ମାନବ ସମାଜର କଲ୍ୟାଣ ପାଇଁ ପରମାତ୍ମା ଅଗ୍ନି, ବାୟୁ, ଆଦିତ୍ୟ, ଅଙ୍ଗିରା ଚାରି ପବିତ୍ରାତ୍ମା ଋଷିଙ୍କ ଅନ୍ତଃକରଣରେ ବେଦ ଜ୍ଞାନ ପ୍ରକାଶିତ କରିଥିଲେ। ତେଣୁ ଏହାକୁ ବେଦ ସଂବତ୍ସର ମଧ୍ୟ କହନ୍ତି। ମହର୍ଷି ଦୟାନନ୍ଦ ବେଦର ପ୍ରଚାର ପ୍ରସାର, ଭାରତୀୟ ସଂସ୍କୃତିର ସୁରକ୍ଷା ତଥା ମାନବ ସମାଜର କଲ୍ୟାଣ ପାଇଁ ୧୮୭୫ ମସିହାରେ ଏହି ଦିବସରେ ମୁମ୍ବାଇଠାରେ ପ୍ରଥମ ଆର୍ୟ୍ୟ ସମାଜ ସ୍ଥାପନା କରିଥିଲେ। ତେଣୁ ବିଶ୍ୱର ସମସ୍ତ ଆର୍ୟ୍ୟ ସମାଜ ଏହାକୁ ଆର୍ୟ୍ୟ ସମାଜର ସ୍ଥାପନା ଦିବସ ରୂପେ ପାଳନ କରନ୍ତି।

ପ୍ରଖ୍ୟାତ ମହାରାଜା ବିକ୍ରମାଦିତ୍ୟଙ୍କ ପ୍ରଚଳିତ ବିକ୍ରମାବ୍ଦ ଏହି ଦିନଠାରୁ ଆରମ୍ଭ ହୋଇଥିଲା। ଆଜିଠାରୁ ଏହା ୨୦୭୬ ବର୍ଷ ରୂପେ ଗଣାଯିବ। ମହାନ୍ ପରାକ୍ରମଶାଳୀ ରାଜା ଶାଳି ବାହାନ ‘ହୁଶ୍’ ମାନଙ୍କୁ  ପରାସ୍ତ କରି ଦକ୍ଷିଣ ଭାରତରେ ଏକ ସମୃଦ୍ଧଶାଳୀ ରାଜ୍ୟ ସ୍ଥାପନ କରି ‘ଶକ୍ ସଂବତ୍ସର’ ପ୍ରଚଳନ କରିଥିଲେ। କୁହାଯାଏ ଧର୍ମରାଜ ଯୁଧିଷ୍ଠିର ଏହି ଦିନ ରାଜ୍ୟାଭିଷେକ ହୋଇ ‘ଯୁଧିଷ୍ଠିର ସଂବତ୍ସର’ ପ୍ରଚଳନ କରିଥିଲେ।

ବଶିଷ୍ଠ କୃତ ‘ସୂର୍ଯ୍ୟ ସିଦ୍ଧାନ୍ତ’ ଭାସ୍କରାଚାର୍ଯ୍ୟାଙ୍କ ପ୍ରଣୀତ ‘ସିଦ୍ଧାନ୍ତ ଶିରୋମଣି’ ଆଦି ଗ୍ରନ୍ଥମାନଙ୍କରେ ସୃଷ୍ଟିର କାଳଗଣନା ଉପରେ ବିଶେଷ ଚର୍ଚ୍ଚା କରାଯାଇଛି।

ଆଜିର ଏହି ପବିତ୍ର ନବବର୍ଷରେ ବିଶ୍ୱର କଲ୍ୟାଣ ପାଇଁ ପରମାତ୍ମାଙ୍କ ନିମ୍ନୋକ୍ତ  ଅମୃତ ବେଦବାଣୀ ସମସ୍ତଙ୍କର ଧେୟ ହେଉ, ଏହା ହିଁ ପ୍ରାର୍ଥନା।

ଓନମ୍ ସଂ ଗଚ୍ଛଧ୍ୱମ, ସଂ ବଦଧ୍ୱମ୍, ସଂ ବୋ ମନାଂସି ଜାନତାମ୍।

ଦେବା ଭାଗଂ ଯଥା ପୂର୍ବେ ସଂଜାନାନା ଉପାସତେ।

Comment