ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ – ବିଜେଡି ଓ ବିଜେପି ପାଇଁ ବଡ଼ ଆହ୍ୱାନ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର କେତେ ଘଣ୍ଟା ବାକି ଥିବା ବେଳେ ଉଭୟ ଶାସକ ବିଜେଡି ଓ  ଶାସନ କରିବା ପାଇଁ  ଅପେକ୍ଷା କରିଥିବା ବିଜେପି ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି ହୋଇଛି।

ବିଜେଡି ଚାହୁଁଛି ପୁଣି ୫ ବର୍ଷ କ୍ଷମତାରେ ରହିବ। କିନ୍ତୁ ବିଜେପି କହୁଛି କଦାପି ନୁହଁ। ଯାଗା ମୁଣ୍ଡରେ ସ୍ଥିତି ଯାହା ଏହି ନିର୍ବାଚନରେ  ବିଜେଡି ଅବଶ୍ୟ ବିଜେପି ତୁଳନାରେ ଭଲ କରିବ। ଏଣୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଆମ ସରକାର ଶାସନକୁ ଆସିବ ବୋଲି ଦୃଢ଼ତାର ସହ କହୁଥିବା ବେଳେ ବିଜେପି ଏତେ ଜୋରରେ ଏହି କଥାଟିକୁ କହି ପାରୁନାହିଁ।

ମୋଦି ହାୱା

ତେବେ ଗୋଟିଏ କଥା ପ୍ରାୟ ସ୍ପଷ୍ଟ ଯେ ୨୦୧୯  ଲୋକସଭା ନିର୍ବାଚନରେ ମୋଦିଙ୍କ ସପକ୍ଷରେ ଏକ ହାୱା ଓଡ଼ିଶାରେ ସୃଷ୍ଟି ହୋଇଛି। ଏହି କାରଣରୁ ଏ ପର୍ଯ୍ୟନ୍ତ ଯେତେ ସବୁ ଓପିନିଅନ ପୋଲ କରାଯାଇଛି ସେଥିରେ କେହି ବି  ବିଜେପିକୁ ୭-୮ଟି  ଆସନରୁ କମ୍ ଦେଉନାହାନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଏହି ମୋଦି ସପକ୍ଷ ହାୱା ଯଦି ଆଉ ଟିକିଏ ଜୋର ଧରେ ,ବିଜେପି ଡଜନରୁ ଅଧିକ ଆସନ ମାରି ନେଇ ଯାଇପାରେ।

ସତ କହିଲେ, ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଏଥରର ନିର୍ବାଚନ ପୂରା ଅଲଗା, ଅନ୍ତତଃ ଓଡ଼ିଶା ପରିପ୍ରେକ୍ଷୀରେ। ଗତ ଥର ହୁଏତ ବିଜେଡି  ୨୧ରୁ ୨୦ ଆସନ ପୋଛି ନେଇଥିଲା। କିନ୍ତୁ ୨୦୧୯ରେ ବିଜେଡିକୁ ଏତେ ଗୁଡିଏ ଆସନ ମିଳିବ ତାହା କେହି ବି କହୁନାହାନ୍ତି। ଏଣୁ ବିଜେପି ନେତୃତ୍ୱ  ଓଡିଶାରୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ଅନେକ ପରିମାଣରେ ସାକାର ହେବା ଦେଖାଯାଉଛି।

କଂଗ୍ରେସକୁ ଗ୍ରେସ ମାର୍କ?

ବର୍ତ୍ତମାନ ଆସନ୍ତୁ କଂଗ୍ରେସକୁ। ଭୋଟ ପ୍ରଚାର  ଶେଷ ପର୍ଯ୍ୟନ୍ତ ଟିକେଟକୁ ନେଇ ଦଳ ଭିତରେ ଛକାପଞ୍ଝା ଚାଲିଥିବା ବେଳେ ଗତ ନିର୍ବାଚନ ତୁଳନାରେ କଂଗ୍ରେସ ଏଥର ନିଶ୍ଚିତ ଭାବରେ ଭଲ କରିବ ବୋଲି ଏକ ସମ୍ଭାବନା  ସୃଷ୍ଟି ହୋଇଛି। କେହି କେହି ଏପରିକି କଂଗ୍ରେସକୁ ଦୁଇ ତିନୋଟି ଆସନ ପର୍ଯ୍ୟନ୍ତ ଦେବା ପାଇଁ ରାଜି ହେଉଛନ୍ତି। ମୋଟାମୋଟି କଥା ହେଲା, ୨୦୧୯ ଓଡ଼ିଶା ଲୋକସଭା ନିର୍ବାଚନର ସବୁ ଦଳରେ ସକାରାତ୍ମକତା ଅପେକ୍ଷା ନକରାତ୍ମକତା ଅଧିକ ରହିଛି। ଭଲ ଅପେକ୍ଷା ଭେଲ ବେଶୀ।

କାଳିଆ ଜ୍ୱର

ବିଜେଡିର ସବୁଠାରୁ ବଡ଼ ଓ ଏକମାତ୍ର ଶକ୍ତି ହେଉଛନ୍ତି ନବୀନ। ବିଗତ ଦିନରେ ମହିଳା, ଚାଷୀ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ କରାଯାଇଛି ତାହାରି ମାଧ୍ୟମରେ ଦଳ ଭୋଟରଙ୍କ ନିକଟକୁ ଯିବା ପାଇଁ ଚାହୁଁଛି। ଏଥି ମଧ୍ୟରୁ କାଳିଆ ବିଜେଡି ପାଇଁ ସବୁଠାରୁ ବଡ଼ ସମ୍ପତ୍ତି। ସମସ୍ତଙ୍କ ମୁହଁରେ ଏବେ  ଖାଲି କାଳିଆ। ହେଲେ  ବିଜେଡି ପାଇଁ ସମସ୍ୟା ହେଉଛି ଦଳ ଦୀର୍ଘ ୧୯ ବର୍ଷ ଧରି କ୍ଷମତାରେ ରହିଛି ଓ ଲୋକେ ମନେମନେ କିଛି ଗୋଟିଏ ପରିବର୍ତ୍ତନ ଚାହୁଁଛନ୍ତି। ଏଣୁ ଆମକୁ ପୁଣି ଥରେ ଭୋଟ ଦିଅ ବୋଲି କହିବା  ଶାସକ ଦଳର ନେତାଙ୍କ ପାଇଁ କାଠିକର ପାଠ ହୋଇଛି।

ମୋଦି-ନବୀନ ଲଢେଇ

ତେଣେ ବିଜେପିର ମୁଖ୍ୟ ଭରସା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ବିଜେପିର ଅସୁବିଧା ହେଉଛି ସମସ୍ତଙ୍କର ଗ୍ରହଣୀୟ ହେବା ଭଳି ଜଣେ ନେତା ନାହାନ୍ତି। ହୁଏତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଗତ ୫ ବର୍ଷ ଧରି ଦଳକୁ ଆଗକୁ ଆଣିବାରେ ବହୁତ ପରିଶ୍ରମ କରିଛନ୍ତି। କିନ୍ତୁ ସେ ନବୀନଙ୍କ ସମକକ୍ଷ ନୁହଁନ୍ତି। ଏହିସବୁ ଦୃଷ୍ଟିରୁ ଏଥରର ଲୋକସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଫଳ କଣ ହେବ ସେକଥା କହିବା ଏକଦମ କଷ୍ଟ।  ଏହା ମୋଦି-ନବୀନଙ୍କ ଭିତରେ ଲଢେଇ ଛଡ଼ା ଆଉ କିଛି ନୁହଁ।

Comment