ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧଳ ସାମନ୍ତ ବ୍ରଦର୍ସ ଲିଙ୍କ୍‌ ପୂର୍ବତନ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ବୁଧବାର କମିଶନରେଟ୍‌ ପୋଲିସ୍‌ ପୁଣି ଗିରଫ କରିଛି। ରଞ୍ଜିତା କଟକ ମହାନଗର ନିଗମ ୭ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଥିଲେ। ସୁଶିଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତ ସହଯୋଗୀ ଭାବେ ରଞ୍ଜିତାଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।

ଆଜି ଏକ କମିଶନରେଟ୍‌ର ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ ରଞ୍ଜିତାଙ୍କୁ ଗିରଫ କରିବା ସହ ୨ଟି ବନ୍ଧୁକ ଜବତ କରିଛି।

କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ କହିବାନୁସାରେ ପୋଲିସ୍‌ ପୂର୍ବତନ କର୍ପୋରେଟରଙ୍କ ଘର ଉପରେ ଛଢ଼ାଉ କରିଥିଲା। ଯେଉଁଥିରେ ତାଙ୍କୁ ୨ଟି ବନ୍ଧୁକ ମିଳିଥିଲା।

୨୦୧୮ମାର୍ଚ୍ଚ ୭ ତାରିଖରେ ରଞ୍ଜିତାଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିଲା। ସୁଶିଲ ଧଳସାମନ୍ତ ଏବଂ ସୁଶାନ୍ତ ଧଳସାମନ୍ତଙ୍କ ସହଯୋଗୀ ଭାବେ ରଞ୍ଜିତା କାମ କରୁଥିବା ଅଭିଯୋଗ ହୋଇଥିଲା। ଧଳସାମନ୍ତ ବ୍ରଦର୍ସ ଜେଲ୍‌ରେ ଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗର ୪ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ହତ୍ୟାକାଣ୍ଡରେ ରଞ୍ଜିତାଙ୍କ ସଂପୃକ୍ତି ଥିଲା ଏବଂ ସେ ଗୁଳିଗୋଳା ସପ୍ଲାଏ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ରଞ୍ଜିତାଙ୍କୁ ଗିରଫ କରାଯାଇଥିଲା।

ରଞ୍ଜିତା ଗିରଫ ହେବା ପରେ କଟକ ଜିଲ୍ଲା ବିଜେଡି ସଭାପତି ତାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲେ। ଗତ ପୌର ନିର୍ବାଚନରେ ରଞ୍ଜିତା କଟକ ମହାନଗର ନିଗମର ୭ ନମ୍ବର ୱାର୍ଡରୁ କର୍ପୋରେଟର ଭାବେ ବିଜୟୀ ହୋଇଥିଲେ।

୨୦୧୬ ଫେବ୍ରୁଆରିରେ ରଞ୍ଜିତାଙ୍କୁ କମିଶନରେଟ ପୋଲିସ ମାରାଥନ ଜେରା କରିଥିଲା।

ରଞ୍ଜିତା କଟକ ନଗର ଯୁବକ ସଂଘର ଯୁଗ୍ମ ସମ୍ପାଦକ ଥିଲେ। ଏହି ବ୍ୟାନରରେ ଡି ବ୍ରଦର୍ସ କଟକରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ।

ରାଜ୍ୟ ଏବଂ ରାଜ୍ୟ ବାହାରେ ଅପରାଧ ନେଟୱର୍କ ଚାଲୁ ରଖିବା ଅଭିଯୋଗରେ ସୁଶାନ୍ତ ଧଳ ସାମନ୍ତ ଏବଂ ସୁନିଲ ଧଳସାମନ୍ତଙ୍କୁ ପୋଲିସ ୨୦୧୬ ଜାନୁଆରିରେ ଗିରଫ କରିଥିଲା।

Comment