ଓଡ଼ିଶାଲାଇଭ୍ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ୨୦୧୯ ସାଧାରଣ ନିର୍ବାଚନକୁ ନେଇ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ରହିଛି। ଏହି ନିର୍ବାଚନମଣ୍ଡଳୀରେ ଆସନ୍ତା ୨୩ ତାରିଖରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥର ଏହି ବିଧାନସଭା ଆସନରେ ମୋଟ ୯ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।

ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଏହି ନିର୍ବାଚନମଣ୍ଡଳୀରୁ ତୃତୀୟ ଥର ପାଇଁ ପ୍ରାର୍ଥୀ କରିଛି। ବିଜେପି ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ଦଳ ପକ୍ଷରୁ ମହମ୍ମଦ ମୋକିମ ପ୍ରାର୍ଥୀ ହୋଇଛନ୍ତି। ଚଳିତ ନିର୍ବାଚନରେ ବାରବାଟୀ-କଟକ ବିଧାନସଭା ଆସନରେ ନିଜ ଗଡ଼ ରକ୍ଷା କରିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ସେହିପରି ପୁଣି ଥରେ କ୍ଷମତାକୁ ଫେରିବାକୁ ବିଜେପି ମଧ୍ୟ କସରତ ଆରମ୍ଭ କରିଛି। କଂଗ୍ରେସ ମଧ୍ୟ ଏହି ଆସନ ଦଖଲ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛି। ଏହି ଆସନରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ୩ ଅଭିଜ୍ଞ ନେତାଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

କଟକ ମହାନଗର ନିଗମର ୩୨ଟି ୱାର୍ଡକୁ ନେଇ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ଗଠିତ। ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୨୭ ହଜାର ୭୭୭। ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୧୭ ହଜାର ୬୬୫ ଓ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୧୦ ହଜାର ୯୨ ଜଣ ଏବଂ ଅନ୍ୟାନ୍ୟ ଭୋଟର ସଂଖ୍ୟା ୨୦। ମୋଟ ୧୯୭ଟି ବୁଥରେ ଭୋଟରମାନେ ମତଦାନ କରିବେ।

ବିଜେଡି ଦେବାଶିଷ ସାମନ୍ତରାୟଙ୍କୁ ୨୦୦୯ ସାଧାରଣ ନିର୍ବାଚନରେ ବାରବାଟୀ-କଟକ ବିଧାନସଭା ଆସନରୁ ପ୍ରଥମଥର ପାଇଁ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ ସାମନ୍ତରାୟ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ର ଦ୍ୱିତୀୟ ଓ ବିଜେପି ପ୍ରାର୍ଥୀ ସମୀର ଦେଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏହି ନିର୍ବାଚନରେ ସାମନ୍ତରାୟଙ୍କୁ ୫୨ ହଜାର ୯୭ ଖଣ୍ଡ ଭୋଟ ମିଳିଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ମହାପାତ୍ରଙ୍କୁ ୨୭ ହଜାର ୬୧୨ ଖଣ୍ଡ ଓ ବିଜେପି ପ୍ରାର୍ଥୀ ସମୀର ଦେଙ୍କୁ ୧୫ ହଜାର ୧୩୧ ଖଣ୍ଡ ଭୋଟ ମିଳିଥିଲା।

ସେହିପରି ୨୦୧୪ ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ପାଇଁ ସାମନ୍ତରାୟ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ସାମନ୍ତରାୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ କଂଗ୍ରେସ ଦଳର ମହମ୍ମଦ ମୋକିମଙ୍କୁ ପରାସ୍ତ କରିଥିଲେ। ସାମନ୍ତରାୟଙ୍କୁ ୫୭ ହଜାର ୬୩୩ ଖଣ୍ଡ ଭୋଟ ମିଳିଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ମୋକିମଙ୍କୁ ୪୩ ହଜାର ୩୩୫ ଖଣ୍ଡ ଭୋଟ ମିଳିଥିଲା ଏବଂ ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ସ୍ୱାଇଁଙ୍କୁ ୨୦ ହଜାର ୫୪୪ ଖଣ୍ଡ ଭୋଟ ମିଳିଥିଲା।

୨୦୧୯ରେ ବାରବାଟୀ-କଟକ ବିଧାନସଭା ଆସନରୁ ବିଜେଡି ପୁଣି ସାମନ୍ତରାୟଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ବିଜେପି ଏଠାରୁ ଦେଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ସେହିପରି କଂଗ୍ରେସ ମୋକିମଙ୍କୁ ପୁଣି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ବାରବାଟୀ-କଟକ ଭୋଟରମାନଙ୍କ ନିକଟରେ ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।

ବିଜେଡି ପ୍ରାର୍ଥୀ ସାମନ୍ତରାୟ ଦଳୀୟ କର୍ପୋରେଟରମାନଙ୍କୁ ନେଇ ୱାର୍ଡ ପରିକ୍ରମା କରିବା ସହିତ କର୍ମୀ ସମ୍ମିଳନୀ କରି ନିଜ ସପକ୍ଷରେ ପ୍ରଚାର ଚଳାଇଛନ୍ତି। କର୍ମୀ ଓ ସଂଗଠନକୁ ନେଇ ବିଜେପି ପ୍ରାର୍ଥୀ ଦେ ବିଭିନ୍ନ ୱାର୍ଡରେ ପଦଯାତ୍ରା କରିବା ସହିତ ପ୍ରତ୍ୟେକ ଭୋଟରଙ୍କୁ ଭେଟିବାକୁ ଚେଷ୍ଟା ଚଳାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ମୋକିମ ବିଭିନ୍ନ ସାହି ବସ୍ତିରେ ପଦଯାତ୍ରା କରିବା ସହିତ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଆପ୍ରୁ ସେକ୍ ମୁନ୍ତାକିମ ବକ୍ସ, କୃପା ଦଳରୁ ବିଶ୍ୱନାଥ ରାଉତ, ଏସୟୁସିଆଇ(ସି)ରୁ ପ୍ରିୟଦର୍ଶନ ପାଭେଲ, ଅଖିଳ ଭାରତୀୟ ହିନ୍ଦୁ ମହାସଭାରୁ ଶୀତଲ କିନ୍ନର, କଳିଙ୍ଗ ସେନାରୁ ଜୟଶଙ୍କର ଆଚାର୍ଯ୍ୟ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ହେମନ୍ତ ବେହେରା ବାରବାଟୀ-କଟକ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here