ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

 

ପ୍ରଚାର ମଇଦାନରେ ଏକାଠି ପରିବାର।

ଓଡ଼ିଶାରେ ଚଳିତ ନିର୍ବାଚନରେ ଗୋଟିଏ ବଡ଼ କଥା ହେଉଛି ପରିବାର ରାଜନୀତି ମୁଣ୍ଡ ଟେକିବା। ଆଗରୁ ବି ପରିବାର ଭିତରେ ରାଜନୀତି ହେଉଥିଲା। କିନ୍ତୁ ଏଥର ସର୍ବାଧିକ ସଂଖ୍ୟକ ସନ୍ତାନ ସନ୍ତତିଙ୍କୁ ଓ ପରିବାରର ସଦସ୍ୟଙ୍କୁ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଛି। ଏହାର ଗୋଟିଏ ବଡ଼ କାରଣ ହେଉଛି ଏହି ନିର୍ବାଚନରେ ନୂଆ ମୁହଁ ଉପରେ ବିଭିନ୍ନ ଦଳ ଗୁରୁତ୍ୱ ଆରୋପ କରିଛନ୍ତି। ଟିକେଟ ଆବଣ୍ଟନରେ ବିଶେଷ କରି ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ସେମାନଙ୍କ ପୁଅ, ଝିଅ ଓ ସମ୍ପର୍କୀୟଙ୍କୁ ଟିକେଟ ଦିଆଇବାରେ ସଫଳ ହୋଇଛନ୍ତି।

ଜୋରଦାର ପ୍ରଚାର

ଖାଲି ଟିକେଟ ଯୋଗାଡ଼ କରି ଏହି ବରିଷ୍ଠ ନେତା ବସିଯାଇଛନ୍ତି ତାହା ନୁହେଁ ନିଜ ପିଲାମାନେ କେମିତି ନିର୍ବାଚନ ଜିତିବେ ସେଥିପାଇଁ ମଧ୍ୟ ନେତାମାନେ ଦିନକୁ ରାତି ସହ ସମାନ କରିପକାଇଛନ୍ତି। ବିଗତ ଅଭିଜ୍ଞତାକୁ ପାଥେୟ କରି ଓ ପରିବର୍ତ୍ତିତ ସ୍ଥିତିକୁ ଦେଖି ନେତା ଗଣ ପ୍ରଚାରକୁ ଓହ୍ଲାଇଥିବା ଲକ୍ଷ୍ୟ କରାଯାଉଛି।

ଦୁଇ ମୁଖ୍ୟମନ୍ତ୍ରୀ

ପ୍ରଥମେ ଦେଖିବା ଦୁଇ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ କଥା – ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଙ୍ଗ। ଏ ଦିହେଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି ପୁଅ ଝିଅଙ୍କୁ ଜିତାଇବା ପାଇଁ। ହେମାନନ୍ଦଙ୍କ ଦୁଇ ଝିଅ ଏଥର ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ହେମାନନ୍ଦ ସାନ ଝିଅ ଅନିତା ବିଶ୍ୱାଳଙ୍କ (ସୁନ୍ଦରଗଡ଼ ବିଧାନସଭା ଆସନ/କଂଗ୍ରେସ) ପାଇଁ ଘର ଘର ବୁଲି ମାଗୁଥିବା ବେଳେ ବଡ଼ ଝିଅ ସୁନିତା ବିଶ୍ୱାଳଙ୍କ (ସୁନ୍ଦରଗଡ଼ ଲୋକସଭା ଆସନ/ବିଜେଡି) ପ୍ରତି ଆଶୀର୍ବାଦ ରହିଥିବା କଥା କହିଛନ୍ତି।

ସେହିପରି ଗିରିଧର ଗମାଙ୍ଗ ପୁଅ ଶିଶିର ପାଇଁ ଜୋରସୋରରେ ପ୍ରଚାର କରିଥିଲେ। ଶିଶିର ଗୁଣୁପୁର ବିଧାନସଭା ଆସନରେ ବିଜେପିରୁ ଲଢ଼ୁଛନ୍ତି। ପୁଅ କିପରି ନିର୍ବାଚନ ଜିତିବ ସେହି ଚିନ୍ତାରେ ବରାବର ରହୁଥିଲେ ଗିରିଧର।

ବିଜେଡିର ଭାଗ

ଏବେ ବିଜେଡି କଥା ଦେଖାଯାଉ। ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପୁଅକୁ ଜିତାଇବା ପାଇଁ ବ୍ୟଗ୍ର। ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବଦଳରେ ତାଙ୍କ ପୁଅ ଏଥର ନିର୍ବାଚନ ଲଢ଼ୁଛନ୍ତି। ଏଣୁ ଏଠି ବି ବାପା ପୁଅ ପାଇଁ ପ୍ରଚାରରେ ଲାଗିପଡ଼ିଛନ୍ତି। କଟକ-ଚୌଦ୍ୱାର ବିଧାନସଭା ଆସନରେ ପ୍ରଭାତ ବିଶ୍ୱାଳ ତାଙ୍କ ପୁଅ ସୌଭିକଙ୍କ ପାଇଁ ବିଜେଡିରୁ ଟିକେଟ ଆଣିଛନ୍ତି। ଏଣୁ ସେ ବି ପୂରା ଦମରେ ଲାଗିପଡ଼ିଛନ୍ତି ପୁଅକୁ ଜିତାଇବା ପାଇଁ।

ବଲାଙ୍ଗିରର ସିଂହଦେଓ ପରିବାରର ରାଜନୀତି ବିଷୟରେ ଅବା କିଏ ନଜଣେ? ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ ନିଜ ସମର୍ଥକଙ୍କୁ ଧରି ଦୁଇ ପୁଅଙ୍କ ପାଇଁ ପ୍ରଚାରରେ ମାତିଛନ୍ତି। ବଡ଼ ପୁଅ କଳିକେଶ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବେଳେ ସାନ ପୁଅ ଅର୍କେଶ ବିଧାନସଭାକୁ ଆସିବା ପାଇଁ ଆଗ୍ରହୀ।

ସେହିଭଳି ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବେଳେ ପୁଅ ସମରେନ୍ଦ୍ର କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଡାକ୍ତର ଦାମୋଦର ରାଉତଙ୍କ କଥା ବି ସେୟା।ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ପୁଅ ବି ମଇଦାନରେ, ଯଦିଓ ଦିହେଁ ଅଲଗା ଅଲଗା ଦଳର।

ଭାଇ ଓ ପତ୍ନୀ

କେବଳ ପୁଅ ଝିଅ ନୁହନ୍ତି ଏଥରର ନିର୍ବାଚନରେ ଭାଇ ସ୍ତ୍ରୀଙ୍କ ପାଇଁ ମଧ୍ୟ ନେତାମାନେ ବ୍ୟାକୁଳ। ଏହି ନିର୍ବାଚନରେ ରମେଶ ମାଝି ନବରଙ୍ଗପୁର ଲୋକସଭା ଆସନ ପାଇଁ ଲଢ଼ିଥିବା ବେଳେ ନିଜ ଆସନ ଝରିଗାଁ ପାଇଁ ସାନ ଭାଇକୁ ପ୍ରାର୍ଥୀ କରିଛନ୍ତି। କୋରାପୁଟ ଲୋକସଭା ଆସନ ପାଇଁ ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପାଇଁ ସେ ଜୋର ପ୍ରଚାର କରିଥିଲେ। ଏଣେ ଭଦ୍ରକ ଲୋକସଭା ଆସନ ପାଇଁ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଳାତାଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇ ଥିବାରୁ ସେ ବି ଜୋର ପ୍ରଚାର କରୁଛନ୍ତି।

ପରିବାର ରାଜନୀତିକୁ ଲୋକେ ପସନ୍ଦ କରୁଛନ୍ତି କି ନା ତାହା ଅବଶ୍ୟ ଭୋଟ ଫଳାଫଳରୁ ଜଣାପଡ଼ିବ। ତେବେ ନେତାମାନେ ନିଜ ପରିବାରର ରାଜନୀତିକ ଟାଣପଣକୁ ବଜାୟ ରଖିବା ପାଇଁ ଯେ ଭୀଷଣ ଉଦ୍ୟମ କରୁଛନ୍ତି ଏହା ସ୍ପଷ୍ଟ।

Comment