ଓଡ଼ିଶାଲାଇଭ ବ୍ୟୁରୋ

ରାଫେଲ ଡିଲକୁ ନେଇ ବିବାଦ ଥମି ନଥିଲାବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ର ଏକ ଗାଁଲୋକେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।  ଗାଁଲୋକେ ଏଭଳି ସମସ୍ୟାରେ ପଡ଼ିଛନ୍ତି କି ସେମାନେ ଗାଁ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ହେଲେଣି।

ଛତିଶଗଡରେ ମହାସମୁନ୍ଦ ଜିଲ୍ଲା ସରାଇପାଲି ବ୍ଲକରେ ଏହି ଗାଁ ଅବସ୍ଥିତ। ଗାଁଟିର ନାଁ ରେଫେଲ। ଏଠାରେ   ପାଖାପାଖି ୨ ହଜାର ପରିବାର ବାସ କରିଥାନ୍ତି।

ରାଫେଲ ଯୁଦ୍ଧବିମାନ କିଣାକୁ ଉଭୟ କେନ୍ଦ୍ର ସରକାର ଓ କଂଗ୍ରେସ ପରସ୍ପରକୁ ଦୋଷ ଦେଉଛନ୍ତି। ତେବେ ରାଫେଲକୁ ନେଇ ଏବେ ଏକ ଗାଁ ଅଡ଼ୁଆରେ। ଯେହେତୁ ଗାଁଟିର ନାଁ ରାଫେଲ ଅଛି ତେଣୁ ଏହି ବିବାଦ ମୁଣ୍ଡ ଟେକିବା ପରେ ଗାଁ ଲୋକେ ବଦନାମ ହେଉଥିବା କହିଛନ୍ତି।

ଗାଁ ଲୋକଙ୍କ କହିବା କଥା ରାଫେଲ ନାମ ପାଇଁ ଅନ୍ୟ ଗାଁର ଲୋକେ ସେମାନଙ୍କୁ ଥଟ୍ଟା ପରିହାସ କରୁଛନ୍ତି। କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଗ୍ରାମବାସୀ ତଦନ୍ତ ପ୍ରକ୍ରିୟାର ସମ୍ମୁଖୀନ ହେବେ ବୋଲି ସେମାନେ ଧମକ ଦେଉଛନ୍ତି। ଏଥିରେ ଗ୍ରାମବାସୀ ଅତିଷ୍ଠ ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଆପତ୍ତି ଜଣାଇବା ସହ ଗାଁର ନାଁ ପରିବର୍ତ୍ତନ ପାଇଁ ନିବେଦନ କରିଛନ୍ତି।

ତେବେ ଗାଁର ନାଁ କାହିଁକି ରାଫେଲ ରଖାଯାଇଛି ସେ ନେଇ ସରପଞ୍ଚ ପ୍ରତିକ୍ରିୟା ଦେଇଛନ୍ତି। ଗାଁର ସରପଞ୍ଚ ଧନୀରାମଙ୍କ କହିବା ଅନୁସାରେ ପୂର୍ବରୁ ରୋଜଗାର ପାଇଁ ଏଠାରୁ ଲୋକେ ବାହରୁକୁ ଯାଉଥିବାରୁ ଗାଁର ନାମ ରାଫେଲ ରଖାଯାଇଥିଲା।

ଗାଁର ନାମକୁ ନେଇ କିଛି ସମସ୍ୟା ନଥିଲା। ଅନ୍ୟପଟେ ରାଫେଲ ବିବାଦ ସୃଷ୍ଟି ହେବା ପରଠାରୁ ବାହାରେ ଏହା ନକରାତ୍ମକ ପ୍ରଚାରର ଶିକାର ହୋଇଛି ବୋଲି ଜଣେ ଗ୍ରାମବାସୀ କହିଛନ୍ତି।  ଯାହାକୁ ନେଇ ଲୋକେ ଅସହଜ ମନେ କରୁଛନ୍ତି ବୋଲି ମତ ରଖିଛନ୍ତି ଗାଁ ମୁଖିଆ। ରାଫେଲ ଗାଁର ଲୋକେ ବିଶେଷ କରି କୃଷି ଉପରେ ନିର୍ଭରଶୀଳ।

Comment