ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଲକ୍ଷ୍ନୌ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିଶାଳ ରୋଡ ସୋ’ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରାଜନାଥ ସିଂହ। ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ରାଲିରେ ସାମିଲ ହୋଇଥିଲେ।

୨୦୧୪ରେ ରାଜନାଥ ଲକ୍ଷ୍ନୌରୁ ବହୁମତରେ ବିଜୟୀ ହୋଇଥିଲେ। ଏହା ପୂବର୍ରୁ ୨୦୦୯ ଲୋକସଭା ନିର୍ବାଚନରେ ରାଜନାଥ ଗାଜିଆବାଦରୁ ବିଜୟୀ ହୋଇଥିଲେ। ଲକ୍ଷ୍ନୌରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏଥିପାଇଁ ପ୍ରାର୍ଥିପତ୍ର ଭରିବା ସମୟସୀମା ଏପ୍ରିଲ ୧୮ ରଖାଯାଇଛି।

ଲକ୍ଷ୍ନୌ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ଏଯାଏଁ ତା’ର କୌଣସି ପ୍ରାର୍ଥୀ ଘୋଷଣା କରି ନାହିଁ।

ଲକ୍ଷ୍ନୌରେ ୨୮ ବର୍ଷ ଧରି ବିଜେପି ତାକ୍’ର ସ୍ଥିତି ସୁଦୃଢ଼ କରି ଆସିଛି। ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଏହି କ୍ଷେତ୍ରରୁ  ପ୍ରତିନିଧିତ୍ୱ କରିଥିଲେ। ଲଗାତାର ୧୯୯୧, ୧୯୯୬, ୧୯୯୮, ୧୯୯୯ ଓ ୨୦୦୪ ଲୋକସଭା ନିର୍ବାଚନରେ ବାଜପେୟୀ ବିଜୟୀ ହୋଇଥିଲେ। ୨୦୦୯ରେ ଏଠାରୁ ଲାଲ ଜୀ ଟଣ୍ଡନ ବିଜୟୀ ହୋଇଥିଲେ। ୨୦୧୪ରେ ରାଜନାଥ ସିଂହ ଏହି ସିଟରୁ ବହୁମତରେ ଜିତିଥିଲେ।

Comment