ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ର ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଡ଼ିଆ ଓ ଓଡ଼ିଶା (୭)

ଆଗରୁ ଆମେ ଭାଗ୍ୟ ଓ କାଳ କଥା କହିଥାଇଁ।  ଯାହା ହିତ ବା ଅହିତ ଆସୁଛି ତା’କୁ ଗ୍ରହଣ କରିବା ହେଲା ଭାଗ୍ୟ, ଏବଂ କାଳକୁ ସାଥୀ କରି ଅହିତରୁ ମୁକୁଳିବା ହେଲା କାଳର ଭାଗ୍ୟ ଉପରେ ନିୟନ୍ତ୍ରଣ। ତା’ହେଲେ ଭାଗ୍ୟ ଆସୁଛି କେଉଁଠୁଁ? ସଂସାରରେ ଗୋଟିଏ ମୁହୂର୍ତ୍ତରେ ବିଭିନ୍ନ ବ୍ୟକ୍ତିଙ୍କୁ ବିଭିନ୍ନ ଭାବରେ ଭାଗ୍ୟ କିପରି ବାନ୍ଧୁଛି?

ପୃଥିବୀର ଚାରିଆଡ଼ ଦେଖିଲେ ଆମ ନିଜ ପରିସର ବହୁତ ଛୋଟ ବୋଲି ଜାଣିବାରେ ବେଶୀ ବୁଦ୍ଧିର ପ୍ରୟୋଜନ ନାହିଁ। ପୃଥିବୀର ଅନେକ ଘଟଣା ଆମର ନିଜର କର୍ମାୟତ୍ତ ନୁହେଁ। ଆମ ନିଜର ପାଦ ଚଲା ଆମର କର୍ମାୟତ୍ତ ହୋଇପାରେ, କିନ୍ତୁ ଯେ’ ମାଟିରେ ଗୋଡ଼ ନ ଖସିବ – ତା’ ଆମେ କହି ପାରିବା ନାହିଁ। ନଈରେ ସମସ୍ତେ ଗାଧାନ୍ତି, କିନ୍ତୁ କେହି ଜଣେ କୁମ୍ଭୀର ହାବୁଡରେ ପଡ଼େ! ତା’ ପରେ ବଢ଼ି, ନିଆଁ – ଏ’ସବୁ ଅଛି। ଅନେକ କ୍ଷୟକ୍ଷତି ହୁଏ, କିଛି ଲୋକ ବର୍ତ୍ତିଯାନ୍ତି – ଏ’କଥା କେମିତି ବୁଝିବା?

ପୃଥିବୀରେ ଘଟଣାକୁ ବୁଝି ନ ପାରି ‘‘ଦଇବଯୋଗ” ବୋଲି ଗୋଟିଏ ଧାରଣାର ସୃଷ୍ଟି ହେଲା।  ପୃଥିବୀ ଉପରେ ଛାତ ହୋଇ ବିପୁଳ ଆକାଶ ଅଛି। ଆକାଶରେ ଅନେକ ଜ୍ୟୋତି ପୁଞ୍ଜ ବୁଲୁଛନ୍ତି। ସେମାନେ ତାଙ୍କ ତରଫରୁ ମଣିଷକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ବୁଝାଗଲା। ଜ୍ଵଳନ୍ତା ତାରାମାନଙ୍କୁ ‘‘ଦେ’’ ବୋଲି କୁହାଗଲା। ସେମାନଙ୍କର ମଣିଷ ପରି ଶରୀର ନ ଥିଲେ ମଧ୍ୟ ଚଲାବୁଲା ଅଛି। ସେହି ଚଲାବୁଲାରୁ ପୃଥିବୀରେ ଶାନ୍ତି ବା ବିପର୍ଯ୍ୟୟ ସୃଷ୍ଟି ହୋଇପାରେ!

ଆକାଶର ନକ୍ଷତ୍ର ଗତିବିଧିରୁ ମଣିଷ ଉପରେ କର୍ତ୍ତୃତ୍ଵ ଜାରି ବୁଝିବା ପାଇଁ ଜ୍ୟୋତିଷ ବିଦ୍ୟାର ଆବିଷ୍କାର ହେଲା। ପ୍ରତ୍ୟେକ ମନୁଷ୍ୟର ଜନ୍ମ ସମୟ ଓ ଜନ୍ମ ସ୍ଥାନ ନିର୍ଦ୍ଦିଷ୍ଟ। ତେଣୁ ସେହି ଜନ୍ମସ୍ଥାନ ଓ ଜନ୍ମ ସମୟକୁ ନେଇ ଆକାଶକୁ ଦେଖିଲେ ଗୋଟିଏ ନିର୍ଦ୍ଦିଷ୍ଟ ଛବି ସୃଷ୍ଟି ହୋଇପାରେ। ପ୍ରତ୍ୟେକ ମଣିଷର ଜନ୍ମ ସମୟର ଆକାଶ ଛବି ଅଲଗା। ଏହି ପ୍ରକାର ଛବିକୁ ଚିତ୍ର ଆକାରରେ ଆଙ୍କି ଜନ୍ମକୁଣ୍ଡଳୀ ସୃଷ୍ଟି କରାଗଲା।

ଜନ୍ମ କୁଣ୍ଡଳୀ ଆଙ୍କିବା ଓଡ଼ିଶାର ଉଦ୍ଭାବନ ନୁହେଁ, କିନ୍ତୁ ଓଡ଼ିଶାର ଲୋକ ଏହାକୁ ଗ୍ରହଣ କଲେ। ସଂସାର ସୁଖ ଦୁଃଖ, ହାନି ଲାଭ, ରୋଗ ବଇରାଗ ଇତ୍ୟାଦି ବୁଝିବାରେ ଜନ୍ମକୁଣ୍ଡଳୀ ସାହାଯ୍ୟ କଲା। ଜନ୍ମକୁଣ୍ଡଳୀ ଜରିଆରେ ମଣିଷର ସମସ୍ତ ଜୀବନର ଗଣତି ଅଙ୍କ ଜରିଆରେ ମପା ହୋଇପାରିଲା। କେବେ କ’ଣ ହେବ – ତା’ ଆଗରୁ ଲେଖି ଦିଆହେଲା। ଏ ଲେଖାକୁ ମଣିଷ ‘‘ଭାଗ୍ୟ’’ ବୋଲି ଗ୍ରହଣକଲା। ଗୋଟିଏ ବ୍ୟକ୍ତିର ଭାଗ୍ୟ ଅନ୍ୟ ବ୍ୟକ୍ତିର ଭାଗ୍ୟଠାରୁ ଅଲଗା। ଲୁଚିଥିବା ଭାଗ୍ୟ ପ୍ରତ୍ୟେକ ମଣିଷର ନିଜର ଜୀବନ ଗ୍ରନ୍ଥ ହୋଇ ରହିଲା। ଆପଣା ଜୀବନର ଘଟଣାରୁ ଲୋକେ ଆପଣା ଭାଗ୍ୟ ବୁଝିବାକୁ ଚେଷ୍ଟା କଲେ, ଆପଣା ଜୀବନକୁ ନିୟନ୍ତ୍ରଣ କଲେ।

ମଣିଷର ଜନ୍ମ ଜନ୍ମାନ୍ତର ଗତି ଅଛି ବୋଲି ଦେଶରେ ପ୍ରାଥମିକ ଧାରଣା। ସୃଷ୍ଟିରେ ସମସ୍ତ ବସ୍ତୁର ପରସ୍ପର ସହ ସମ୍ପର୍କ ଅଛି, ଗୋଟିଏ ବସ୍ତୁ ଆପଣା କର୍ମ ଫଳରେ ପରିବର୍ତ୍ତିତ ହୋଇ ଅନ୍ୟ ବସ୍ତୁରେ ପରିଣତ ହେଉଛି। ତା’ ଅର୍ଥ ପ୍ରତ୍ୟେକ ବସ୍ତୁର ଆପଣା ଆପଣା ନିଧାର୍ଯ୍ୟ କର୍ମ ଅଛି। ଏହି ପ୍ରକାର ବସ୍ତୁଗତ କର୍ମକୁ ‘‘ଧର୍’’ କୁହାଗଲା। ଯଦି ଆମେ ସଂସାରର ହିତଲାଗି ଆପଣା କର୍ମ କଲୁ, ତା’ ହେଲେ ଧର୍ମ ରଖିଲୁ ବୋଲି କୁହାହେଲା। ତେଣୁ ଧର୍ମଫଳରେ ଗଛ ମଣିଷ ହୋଇପାରେ, ବା ପଥର ଦେବତା ହୋଇପାରେ! ତେବେ କେତେ ଜନ୍ମ ଲାଗିବ ଆମେ ତା କହିପାରିବା ନାହିଁ। ସମୟର ବିବର୍ତ୍ତନ ଚାଲିଛି, ଧର୍ମ ଥିଲା ବେଳକୁ ଅଧର୍ମ ବି ଅଛି।  ସଂସାରରେ ଗତିସଳଖ ନୁହେଁ ବୋଲି ଲୋକେ ଜାଣିଲେ।

ଧର୍ମର ଅର୍ଥ ହେଲା ପୃଥିବୀରେ ଜୀବନ ସଂରକ୍ଷଣ। ମନୁଷ୍ୟ ଜୀବନ ଆପଣାର ନୁହେଁ, ଜୀବନ ସୃଷ୍ଟିର ମନୁଷ୍ୟକୁ ଏକ ଅବଦାନ। ଜୀବନ ରକ୍ଷା ହିଁ ସୃଷ୍ଟିରକ୍ଷା। ଧର୍ମ ଯୋଗୁଁ ହିଁ ସୃଷ୍ଟି ସଂରକ୍ଷଣ ସମ୍ଭବ। ସୃଷ୍ଟିର ସବୁ ବସ୍ତୁର ଏଥିରେ ଅବଦାନ ଅଛି। ପାଣିର ଅଛି, ନିଆଁର ଅଛି, ପବନର ଅଛି, ଗଛର ଅଛି, ଆଉ ମଣିଷର ବି ଅଛି। କେହି ତା’ କାର୍ଯ୍ୟରେ ହେଳା କଲେ ସୃଷ୍ଟିରେ ବାଧା ପହଞ୍ଚିପାରେ। ବାଧା ସୃଷ୍ଟି କଲା ଫଳରେ ନୀଚ ସ୍ତରର ଜୀବନ ମିଳେ, ଭଲ କାମ କଲେ ଉଚ୍ଚ ସ୍ତରର ଜୀବନ ମିଳେ। ମଣିଷ ଜୀବନ ସବୁଠାରୁ ଉଚ୍ଚରେ। ତା’ ବାଦେ ପୁଣି ମଣିଷ ଦେବତା ହୋଇ ଆକାଶରେ ନକ୍ଷତ୍ର ହୋଇପାରେ!

Comment