ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ଅଭିନେତା ସନ୍ନି ଦେୱଲଙ୍କଙ୍କୁ ଦେଖିବାକୁ ମିଳିଛି। ଏହାକୁ ନେଇ ସନ୍ନି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ଏହା ବି କୁହାଯାଉଛି ସେ ବିଜେପି ଟିକେଟରେ ପଞ୍ଜାବ ଅମୃତସରରୁ ନିର୍ବାଚନ ଲଢ଼ିପାରନ୍ତି। ଏଣୁ ଅମିତ ଶାହ ତାଙ୍କ ସହିତ ବୈଠକ କରିଥିବା କୁହାଯାଉଛି। ପଞ୍ଜାବରେ ବାକି ଥିବା ୩ଟି ଆସନ ଅମୃତସର, ଗୁରୁଦାସପୁର ଏବଂ ହୋସିଆରପୁର ପାଇଁ ବିଜେପି ପ୍ରାର୍ଥୀ ଦେଇନି। ଆସନ୍ତା ମେ ୧୯ରେ ଏହି ଆସନରେ ଭୋଟ୍ ହେବ। ଆଉ ଏହାରି ଭିତରେ ଉଭୟଙ୍କ ଭେଟଘାଟ ଆହୁରି ରୋଚକ କରିଛି।

ଏହି ବୈଠକ ପୁଣେ ବିମାନ ବନ୍ଦରରେ ହୋଇଥିବା ଜଣାଯାଇଛି। ଉଭୟଙ୍କ ମଧ୍ୟରେ ୫ ମିନିଟ ଧରି ଆଲୋଚନା ହୋଇଥିଲା।  ସେପଟେ ଉଭୟଙ୍କ ମଧ୍ୟରେ ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି ଗଣମାଧ୍ୟମକୁ କହିଛନ୍ତି ସନ୍ନି ଦେୱଲ।  ରାଜନୀତି ପ୍ରତି ସନ୍ନିଙ୍କ ଇଚ୍ଛା ନଥିବା ପୂର୍ବରୁ କହିସାରିଛନ୍ତି ବାପା ଧର୍ମେନ୍ଦ୍ର। କିନ୍ତୁ ଏହାରି ଭିତରେ ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଉଛି ତାହା ଅନ୍ୟ ସଙ୍କେତ ଦେଖାଉଛି।

ସନ୍ନି ଦେୱଲ ବିଜେପିରେ ସାମିଲ ହେବେ କି ନାହିଁ ତାହା ପର କଥା କିନ୍ତୁ ତାଙ୍କ ବାପା ପୂର୍ବରୁ ବିଜେପିରେ ସାମିଲ ହୋଇସାରିଛନ୍ତି। ୨୦୦୪ରେ ବିଜେପି ଟିକେଟରେ ବିକାନେରରୁ ଲୋକସଭା ନିର୍ବାଚନ ଲଢ଼ି ସାରିଛନ୍ତି। ସେହିପରି ଏହି ଆସନରେ ସେ ବହୁ ଭୋଟରେ ମଧ୍ୟ ବିଜୟୀ ହୋଇଥିଲେ। ଗତ ସପ୍ତାହରେ ଭେଟରାନ ଅଭିନେତ୍ରୀ ତଥା ପତ୍ନୀ ହେମା ମାଳିନୀଙ୍କ ପାଇଁ ପ୍ରଚାର କରିଥିଲେ ଧର୍ମେନ୍ଦ୍ର। ୟୁପି ମଥୁରା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ହେମାମାଳିନୀ।

Comment