ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲିରେ ଫ୍ଲାଇଂ ସ୍କ୍ୱାଡ ଉପରେ ଆକ୍ରମଣ ଘଟଣା ଓ ପ୍ରଦୀପ ମହାରଥୀଙ୍କ ଗିରଫଦାରୀ ଓଡ଼ିଶା ନିର୍ବାଚନ ରାଜନୀତିକୁ ଏକ ନୂଆ ମୋଡ଼ ଦେଇଛି।

ରାତି ପାହିଲେ ନିର୍ବାଚନ। ଆଜି ଉଠୁଛି ପଡ଼ୁଛି ପିପିଲି। ସବୁଠାରୁ ବଡ଼ ଖବର ହେଉଛି ଯେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଫ୍ଲାଇଂ ସ୍କ୍ୱାଡ ଉପରେ ଆକ୍ରମଣ ଘଟଣାରେ ଗିରଫ କରିଛି ପୋଲିସ।

ରବିବାର ବିଳମ୍ବିତ ରାତିରେ ପିପିଲିରେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ଫ୍ଲାଇଂ ସ୍କ୍ୱାଡ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଏହି ଆକ୍ରମଣ ଘଟଣା ଘଟିଛି ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁରସ୍ଥିତ ଫାର୍ମ ହାଉସରେ। ସବୁଠାରୁ ବଡ଼ ଅଭିଯୋଗ ହେଉଛି ଯେ ଏହି ସ୍କ୍ୱାଡରେ ଯାଇଥିବା ମାଜିଷ୍ଟ୍ରେଟ ଏବଂ ପୋଲିସ ଉପରେ ବିଧାୟକଙ୍କ ଉପସ୍ଥିତିରେ ହିଁ ଆକ୍ରମଣ ହୋଇଥିଲା।

ଫସିଲେ ମହାରଥୀ!

ପ୍ରଦୀପ ମହାରଥୀଙ୍କ ଗିରଫଦାରୀ ଓଡ଼ିଶା ରାଜନୈତିକ ଅପରାଧର ଏକ ନୂଆ ଅଧ୍ୟାୟ। ବିଜୁ ଜନତା ଦଳର ବାହୁବଳୀ ନେତା ଭାବେ ପରିଚିତ ପ୍ରଦୀପ ମହାରଥୀ ପୋଲିସ ଗିରଫ କରିବ ବୋଲି ତାଙ୍କ ସମର୍ଥକମାନେ କଳ୍ପନା କରିପାରୁ ନାହାନ୍ତି।

ଏହି ଆକ୍ରମଣ ଘଟଣା ବିଧାୟକଙ୍କ ଫାର୍ମ ହାଉସରେ ଏବଂ ତାଙ୍କ ଉପସ୍ଥିତିରେ ଘଟିଥିବା ନିଶ୍ଚିତ ଭାବେ ଦୂର୍ଭାଗ୍ୟଜନକ। କାରଣ ନିର୍ବାଚନ କମିଶନଙ୍କ ଅଧିକାରୀମାନେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଜଣେ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ଏଭଳି ଘଟଣାକୁ ସହଜରେ ଗ୍ରହଣ କରାଯାଇ ପାରିବ ନାହିଁ।

ଅଡ଼ୁଆରେ ପୁରୀ ପ୍ରଶାସନ

ଏହି ଘଟଣା ମହାରଥୀଙ୍କୁ ଯେତିକି ନୁହେଁ ପୁରୀ ଜିଲ୍ଲା ପ୍ରଶାସନକୁ ତା’ଠାରୁ ଅଧିକ ଅଡ଼ୁଆରେ ପକାଇଛି। ରବିବାର ରାତିରେ ଘଟଣାର ଖବର ପାଇଁ ପୁରୀ ଏସପି ଓ ଜିଲ୍ଲାପାଳ ପିପିଲି ଆସିଥିଲେ। ସାରା ରାତି ପିପିଲି ଥାନାରେ ଘଟଣାକୁ ନେଇ ପାଲା ଚାଲିଥିଲା।

ପ୍ରଥମ ଅବସ୍ଥାରେ କ’ଣ ପଦକ୍ଷେପ ନିଆଯିବ ପ୍ରଶାସନ ବୁଝିପାରି ନ ଥିଲା। ଘଟଣାର ସତ୍ୟତା ନେଇ କାହାର କୌଶସି ସନ୍ଦେହ ନ ଥିଲା। ତେବେ ଏହି ମାମଲାରେ ତୁରନ୍ତ କ’ଣ ପଦକ୍ଷେପ ନିଆଯିବ ଖୋଦ୍ ଜିଲ୍ଲାପାଳ ଏସପି ଭାବି ପାରି ନ ଥିଲେ।

ଏହି ମାମଲାରେ ତିନୋଟି କଥା ମହାରଥୀଙ୍କୁ ଅଡ଼ୁଆରେ ପକାଇଥିଲା ଯାହାକୁ ପ୍ରଶାସନ ନଜର ଅନ୍ଦାଜ କରି ପାରିବ ନାହିଁ। ପ୍ରଥମ କଥା ହେଲା ନିର୍ବାଚନ କମିଶନଙ୍କ ଟିମକୁ କର୍ତ୍ତବ୍ୟ ସମ୍ପାଦନ କରିବାରେ ବାଧା ଦେଇଥିଲେ ମହାରଥୀ ଓ ତାଙ୍କ ସହଯୋଗୀମାନେ। ଦ୍ୱିତୀୟ କଥା ହେଲା ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଫଳରେ ସରକାରୀ ଅଧିକାରୀମାନେ ଜୀବନ ବିକଳରେ ସେ ଯାଗା ଛାଡ଼ି ଚାଲି ଆସିଥିଲେ।

ତୃତୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ନିର୍ବାଚନ କମିଶନଙ୍କ ଟିମ ଉପରେ ହୋଇଥିବା ଏହି ଆକ୍ରମଣ ବେଳେ ବିଧାୟକ ପ୍ରଦୀପ ମହାରଥୀ ନିଜେ ଉପସ୍ଥିତ ଥିଲେ। ତେଣୁ ପ୍ରଦୀପ ମହାରଥୀଙ୍କ ନର୍ଦ୍ଦେଶକ୍ରମେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। କେବଳ ସେତିକି ନୁହେଁ ବିଧାୟକ ମହାରଥୀ ନିଜେ କ୍ରୋଧ ସମ୍ବରଣ କରି ନପାରି ଆକ୍ରମଣକରୀଙ୍କ ସହିତ ସାମିଲ ହୋଇଥିବା ପ୍ରସଙ୍ଗ ଉଠିଛି।

ସୂଚନା ଅନୁଯାୟୀ ପିପିଲି ପୋଲିସ ମହାରଥୀଙ୍କୁ ଗିରଫ କରିବା ପାଇଁ ଗତକାଲି ରାତିରୁ ଏକ ପ୍ରକାର ମନସ୍ଥ କରିଥିଲେ ମଧ୍ୟ ପୁରୀ ଏସପି ଓ ଜିଲ୍ଲାପାଳ ଏ ବାବଦରେ ସାହସ କରିପାରି ନ ଥିଲେ। ତେବେ ଘଟଣାର ସତ୍ୟତା ଏବଂ ସେଥିରେ ପ୍ରଦୀପ ମହାରଥୀଙ୍କ ଭୂମିକା ନେଇ ପ୍ରଶାସନ ସ୍ପଷ୍ଟ ହୋଇଥିଲା। ଫଳରେ ପରବର୍ତ୍ତୀ ସମୟରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିବା ଛଡ଼ା ପ୍ରଶାସନ ପାଖରେ ଆଉ କୌଣସି ରାସ୍ତା ନ ଥିଲା।

କାହିଁକି ହେଲା ଆକ୍ରମଣ

ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ ଉପରେ କିଏ ଓ କାହିଁକି ଆକ୍ରମଣ କଲା ଏ ପ୍ରଶ୍ନ ସାଧାରଣରେ ଉଠିଛି। ଏହି ଚଢ଼ାଉ ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରବି ନାରାୟଣ ପାତ୍ର ଆହତ ହୋଇଛନ୍ତି। ସେହିପରି ପିପିଲି ଥାନାର ଏସଆଇ ବିନୟ କୁମାର ଦାଶ ମଧ୍ୟ ଆହତ ହୋଇଛନ୍ତି। ପରିସ୍ଥିତି ଏଭଳି ହୋଇଥିଲା ଯେ ଚଢ଼ାଉ ପାଇଁ ଯାଇଥିବା ଟିମ ନିଜ ଜୀବନ ବଞ୍ଚାଇ ସେଠାରୁ ବାହାରି ଆସିଥିଲେ।

ଘଟଣାରେ ଆହତ ହୋଇଥିବା ରବି ନାରାୟଣ ପାତ୍ର ଓଡ଼ିଶାଲାଇଭକୁ କହିଛନ୍ତି ଯେ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ଫାର୍ମ ହାଉସରେ କିଛି ନିର୍ବାଚନ ବିରୋଧୀ କାର୍ଯ୍ୟ ଚାଲିଥିବାର ପିପିଲି ପୋଲିସ ତାଙ୍କୁ ସୂଚନା ଦେଇଥିଲା। ସେମାନେ ଦୁଇଟି ଗାଡ଼ିରେ ହୁଙ୍କେଇପୁର ଯାଇଥିଲେ। ଗୋଟିଏ ଗାଡ଼ିରେ ଥିବା ଅଧିକାରୀମାନେ ଫାର୍ମ ହାଉସ ଭିତରକୁ ଯାଇଥିବା ବେଳେ ରବି ନାରୟଣ ପାତ୍ର ଅନ୍ୟ ଗାଡ଼ିରେ ବସିଥିଲେ।

ବିଧାୟକ ପ୍ରଦୀପ ମହାରଥୀଙ୍କ ଗାଡ଼ି ତାଙ୍କ ଆଗରେ ଫାର୍ମ ହାଉସ୍ ଭିତରକୁ ପସିଲା। ଏହାର କିଛି ସମୟ ପରେ ଭିତରୁ ପାଟିତୁଣ୍ଡ ଶୁଣାଗଲା। ଫଳରେ ରବି ନାରାୟଣ ପାତ୍ର ଓ ତାଙ୍କ ସାଙ୍ଗରେ ଥିବା ଅନ୍ୟ କର୍ମଚାରୀମାନେ ଭିତରକୁ ଯାଇଥିଲେ। କିନ୍ତୁ ଭିତରୁ ଆକ୍ରମଣକାରୀମାନେ ବିଭିନ୍ନ ଜିନିଷ ଫୋପଡ଼ାଫିଙ୍ଗା କରିବା ସହ ଫ୍ଲାଇଂ ସ୍କ୍ୱାଡକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

ଏହି ଚଢ଼ାଉ ବେଳେ ରବି ନାରାୟଣ ପାତ୍ରଙ୍କୁ ମିଶାଇ ମୋଟ୍ ୬ ଜଣ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ପୋଲିସ ଏସଆଇ ୨ ଜଣ ଆର୍ମଡ୍ କନଷ୍ଟେବଲ ଥିଲେ। ତେବେ ପ୍ରଦୀପ ମହାରଥୀଙ୍କ ସହଯୋଗୀମାନଙ୍କ ସଂଖ୍ୟା ବହୁତ ଅଧିକ ହୋଇଥିବାରୁ ଫ୍ଲାଇଂ ସ୍କ୍ୱାଡ ଘଟଣାସ୍ଥଳ ଛାଡ଼ି ଚାଲି ଆସିବାକୁ ବାଧ୍ୟ ହୋଇଥିଲେ।

Comment