ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପଢ଼ନ୍ତୁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣର ପ୍ରମୁଖ ଖବର।
ଶେଷ ହେଲା ତୃତୀୟ ପର୍ଯ୍ୟାୟ ଭୋଟ – ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ ଦେଇଛି ଓଡ଼ିଶା। ମୋଟ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। କିଛି ବୁଥରେ ନିର୍ଦ୍ଧାରିତ ସମୟ ପରେ ବି ମତଦାନ ଚାଲିଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ରିପୋର୍ଟ ଅନୁଯାୟୀ ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି।

ପଶ୍ଚିମବଙ୍ଗରେ ସର୍ବାଧିକ, ମହାରାଷ୍ଟ୍ରରେ ସର୍ବନିମ୍ନ ମତଦାନ
ସରିଲା ତୃତୀୟ ପର୍ଯ୍ୟାୟ ମତଦାନ। ଇଭିଏମ୍ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ। ଆଜି ଦେଶରେ ୧୩ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ତୃତୀୟ ପର୍ଯ୍ୟାୟରେ ମତଦାନ ହୋଇଛି। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା। ସନ୍ଧ୍ୟା ସୁଦ୍ଧା ୧୩ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ଭୋଟିଂ ପ୍ରତିଶତ ରେକର୍ଡ କରାଯାଇଛି। ଏହି ତାଲିକା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟରେ ସର୍ବାଧିକ ୭୯.୩୬ ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସବୁଠୁ କମ୍ ମହାରାଷ୍ଟ୍ର ୫୬.୫୭ ପ୍ରତିଶତ ମତଦାନ ହୋଇଛି।
ବ୍ରହ୍ମଗିରିରେ ଇଭିଏମ୍ ଭାଙ୍ଗିଦେଲେ ଲୋକେ
ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଇଭିଏମ୍ ଭାଙ୍ଗିଦେଲେ ଲୋକେ। ବ୍ରହ୍ମଗିରିର ନିର୍ବାଚନମଣ୍ଡଳୀ କମାଶାସନର ୨୨୨ ନମ୍ବର ବୁଥ୍ରେ ଲୋକେ ଇଭିଏମ୍ ଭାଙ୍ଗି ଦେଇଥିବାର ଖବର ଆସିଛି। ଗୋଟିଏକୁ ଭୋଟ ଦେଲେ ଆଉ ଗୋଟିଏକୁ ଭୋଟ୍ ଯାଉଥିବାର ଅଭିଯୋଗ କରି ଲୋକେ ଇଭିଏମ୍ ମେସିନ୍ ଭାଙ୍ଗିଦେଇଛନ୍ତି।
ସତ୍ୟବାଦୀରେ ଇଭିଏମ୍ ଭଙ୍ଗାରୁଜା
ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୬୫ ନମ୍ବର ବୁଥରେ ଇଭିଏମ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ଚିହ୍ନକୁ ଭୋଟ ଦେଲେ ଅନ୍ୟ ଚିହ୍ନକୁ ଯାଉଥିବା ଅଭିଯୋଗରେ ଏହି ଘଟଣା ଘଟିଛି।
ଭିଭିପାଟରେ ତ୍ରୁଟି ଯୋଗୁଁ ବଡ଼ମ୍ବାର ଗୋଟିଏ ବୁଥରେ ଭୋଟିଂ ବନ୍ଦ
ବଡ଼ମ୍ବା ବିଧାନସଭା ଆସନର ପୁଲିଂ ଷ୍ଟେସନ ୧୯୬ ନମ୍ବର ବୁଥରେ ଭିଭିପାଟରେ ତ୍ରୁଟି ଥିବାରୁ ମତଦାନ ସ୍ଥଗିତ ରଖାଯାଇଛିା ଭୋଟ ବନ୍ଦ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛିା ବଡ଼ମ୍ବା ବିଧାନସଭାର ପୁଲିଂ ଷ୍ଟେସନ ୧୯୬ ନମ୍ବର ବୁଥର ଭିଭିପାଟରେ ତ୍ରୁଟି ଦେଖାଯାଇଥିଲା।

ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ କଲେ ଭୋଟର
କୁଚିଣ୍ଡାର ୩ଟି ବୁଥ ଓ କେନ୍ଦୁଝରର ୨୪୬ ଏବଂ ୨୪୭ ବୁଥରେ ଭୋଟ୍ ବର୍ଜନ କରିଛନ୍ତି ମତଦାତା। ଅନ୍ୟପକ୍ଷରେ କେନ୍ଦୁଝରର କେହ୍ନାଇଗୋଳା, ରାଣୀପଡ଼ା ଅଞ୍ଚଳରେ ଭୋଟ୍ ବର୍ଜନ କରିଛନ୍ତି ଭୋଟର। ଗାଁରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାର ଅଭିଯୋଗ କରି ଭୋଟ୍ ବଜର୍ନ କରିଛନ୍ତି।ତେଲକୋଇ ଗ୍ରାମର ବୁଥ ନମ୍ବର ୨୦ରେ ବି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ପିଇବା ପାଣି ସମସ୍ୟା ଏବଂ ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ କରିବା ଅଭିଯୋଗ କରି ସେମାନେ ଭୋଟ୍ ବର୍ଜନ କରିଛନ୍ତି।

ବୁଥ୍ରେ ଟଳି ପଡ଼ିଲେ ପୋଲିଂ କର୍ମଚାରୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କଣ୍ଟାପାଳ ୪୧ ନମ୍ବର ବୁଥ୍ର ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ପୋଲିଂ କର୍ମଚାରୀଙ୍କ ନାଁ ନବକିଶୋର ନାୟକ।ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତଥିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ଟଳିପଡ଼ିଥିଲେ ନବକିଶୋର। ଏହାପରେ ତାଙ୍କୁ କାମାକ୍ଷାନଗର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ହସ୍ପିଟାଲରେ ଡାକ୍ତର ନବ କିଶୋରଙ୍କୁ ମୃତ ଘୋଷଣା କରିଛନ୍ତି।
ପିପିଲିରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଭୋଟ
ଉପକୂଳ ଓଡ଼ିଶାର ସବୁଠୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଭାବେ ପରିଚିତ ପିପିଲିରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି। ଭୋଟର ଶୃଙ୍ଖଳାର ସହ ବିଭିନ୍ନ ବୁଥରେ ଭୋଟ ଦେଇଛନ୍ତି। ମତଦାନର ଦିନକ ପୂର୍ବରୁ ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ନିର୍ବାଚନ କମିଶନଙ୍କ ସ୍କ୍ୱାଡ୍ ଟିମ ଉପରେ ଆକ୍ରମଣ କରିବା ଅଭିଯୋଗ ଜେଲ ଯାଇଥିବାରୁ ଭୋଟ ଦିନ ପିପିଲିରେ କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା।ପିପିଲିରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ ସମ୍ବେଦନଶୀଳ ବୁଥରେ ଆଗରେ ପୋଲିସ ଛାଉଣୀ କରାଯାଇଥିଲା। ଭୋଟର ଆସିଥିଲେ ଏବଂ ଇଭିଏମରେ ସୁଇଚ ଟିପି ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ।

ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହୋଇ ଭୋଟ ଦେଲେ ମୋଦି
ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛିା ଏହି ପର୍ଯ୍ୟାୟରେ ଗୁଜୁରାଟର ସମସ୍ତ ଆସନ ଓ କେରଳର ସମସ୍ତ ଆସନରେ ମତଦାନ ହେବା ମୋଦି ଆଜି ଗୁଜୁରାଟର ଅହମ୍ମଦାବାଦରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ମତ ସାବ୍ୟସ୍ତ କରିବା ପୂର୍ବରୁ ମୋଦି ତାଙ୍କ ମା’ଙ୍କ ଆଶୀର୍ବାଦ ନେଇଛନ୍ତିା ଅହମ୍ମଦାବାଦର ରାଣିପ ବୁଥରେ ଭୋଟ ଦେଇଛନ୍ତି ମୋଦିା

ଭୋଟ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଭୋଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଭୁବନେଶ୍ୱରସ୍ଥିତ ଏରୋଡ୍ରମ କଲୋନୀରେ ଥିବା ୟୁପି ସ୍କୁଲରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଆଜି ନବୀନ ପାଖାପାଖି ୯.୪୦ରେ ବୁଥ ନମ୍ବର ୧୧୨ରେ ପହଞ୍ଚି ନିଜ ମତ ଦେଇଛନ୍ତି। ଭୋଟ୍ ଦେବା ପରେ ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ।

ଅମିତ ଶାହ, ବିଜୟ ରୂପାଣୀ ଓ ଆନ୍ନା ହଜାରେ ଦେଲେ ଭୋଟ
ସାମାଜିକ କର୍ମୀ ଆନ୍ନା ହଜାରେ ଆଜି ନିଜର ମତଦାନ ସାବ୍ୟସ୍ତ କରି ଗଣତନ୍ତ୍ରର ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରରେ ଅହମ୍ମଦନଗରରେ ଆନ୍ନା ହଜାରେ ଭୋଟ ଦେଇଛନ୍ତି। ଭୋଟ ଦେବାପରେ ସେ କାଳି ଲାଗିଥିବା ଅଙ୍ଗୁଳି ଦେଖାଇଥିଲେ। ସେହିପରି ଗୁଜୁରାଟର ନାରଣପୁର ସବ୍ ଜୋନାଲ ଅଫିସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଜ ପତ୍ନୀଙ୍କ ସହ ଭୋଟ ଦେଇଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ପତ୍ନୀଙ୍କ ସହିତ ପୋଲିଂ ବୁଥ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଭୋଟ ଦେଲେ ଆଡଭାନୀ
ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଭୋଟ ଦେଇଛନ୍ତିା ଆଡଭାନୀ ଅହମ୍ମଦାବାଦ ଶାହପୁର ସ୍କୁଲରେ ଆଜି ନିଜର ମତ ସାବ୍ୟସ୍ତ କରିଛନ୍ତିା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ୧୯୮୯ ମସିହା ଅର୍ଥାତ ୩୦ ବର୍ଷରେ ଏହା ପ୍ରଥମ ଥର ହୋଇଛି ଆଡଭାନି ଲୋକସଭା ନିର୍ବାଚନ ନଲଢ଼ି ଭୋଟ ଦେଇଛନ୍ତିା

ଭୋଟଦେଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ସମୟ ପୂର୍ବରୁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ତାଲଚେରରେ ଭୋଟ ଦେଇଛନ୍ତି। ୬୦ ନମ୍ବର ବୁଥରେ ଧର୍ମେନ୍ଦ୍ର ପ୍ରଧାନ ଭୋଟ ଦେଇଛନ୍ତି। ସେ ପୋଲିଂ ବୁଥର ଧାଡ଼ିରେ ଛିଡ଼ା ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଭୋଟ୍ ଦେଲେ ଅପରାଜିତା
ଭୋଟ୍ ଦେଲେ ଭୁବନେଶ୍ୱର ଲୋକସଭା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସେ ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜ୍ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥ କେନ୍ଦ୍ରକୁ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି। ଅପରାଜିତା ଲମ୍ବା ଧାଡ଼ିରେ ଠିଆ ହୋଇ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି।








ପଢ଼ନ୍ତୁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣର ପ୍ରମୁଖ ଖବର।