ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ଶେଷ ପର୍ଯ୍ୟାୟରେ ହେଉଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ଓଡ଼ିଶାର ଭବିଷ୍ୟତ ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନ ପାଇଁ ଚାଲିଥିବା ଭୋଟ୍ ଗ୍ରହଣରୁ ଜାଣିହେବ କିଏ ଆଗକୁ ସରକାର ଗଢ଼ିବ। ଏହି ପର୍ଯ୍ୟାୟ ଉପରେ ଏଥିପାଇଁ ସମସ୍ତଙ୍କ ନଜର ରହିଛି ଯେ ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ଆଗରୁ ଶେଷ ହୋଇଥିବା ୩ଟି ପର୍ଯ୍ୟାୟ ନିର୍ବାଚନରେ ଆମେ ସଂଖ୍ୟ। ଗରିଷ୍ଠତା ଲାଭ କରିସାରିଛୁ ବୋଲି ବିଭିନ୍ନ ଦଳର ବାହାସ୍ଫୋଟ ସତ୍ତ୍ୱେ ଚତୁର୍ଥ ପର୍ଯ୍ୟାୟଟି ହିଁ ନିର୍ଣ୍ଣାୟକ ହେବାକୁ ଯାଉଛି। ଖାସ୍ ଏଥିପାଇଁ ସବୁ ଦଳ ନିଜର ସବୁ ବଳ ଓ କୌଶଳକୁ କାମରେ ଲଗାଇଛନ୍ତି।

କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ,ଜଗତସିଂପୁର ହେଉଛି ଚାରୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯେଉଁଠି ଭୋଟର ସଚେତନତା ଓଡ଼ିଶାର ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ଢେର ଅଧିକ। ସେହିଭଳି ମୟୁରଭଞ୍ଜ ଲୋକସଭା ଆସନ। ଯଦି ସନ୍ଧ୍ୟା ସୁଦ୍ଧା ଆଦିବାସୀ ଅଧ୍ୟୁଷିତ ଏହି ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ସଂଖ୍ୟାରେ ଭୋଟ ପଡ଼ିବ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ, କାରଣ ମୟୁରଭଞ୍ଜରେ ସବୁବେଳେ ଭୋଟଦାନ ପ୍ରତିଶତ ସର୍ବାଧିକ ରହି ଆସିଛି।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କ ହାରିବା ଜିତିବା ଉପରେ ନିର୍ଭର କରୁଛି ମେ’ ୨୩ ପରେ ଓଡ଼ିଶାରେ ଓ କେନ୍ଦ୍ରରେ  ଯେଉଁ ମନ୍ତ୍ରୀମଣ୍ଡଳ ଗଠନ ହେବ ତାର ରୂପରେଖ।ଆଜିର ନିର୍ବାଚନରେ ଯେଉଁ ବିଧାୟକ ପ୍ରାର୍ଥୀ ସଫଳ ହେବେ ସେମାନଙ୍କ ଭିତରୁ ଆଗମୀ ସରକାରରେ ଅନେକେ ମନ୍ତ୍ରୀ ବି ହେବେ। ଠିକ୍ ସେହିଭଳି ଯଦି ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀ ଜିତନ୍ତି ଓ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଗଠନ ହୁଏ, ଜଣେ ଦୁଇ ଜଣ ଓଡ଼ିଆ ମନ୍ତ୍ରୀ ବି ହୋଇପାରନ୍ତି।

ଆଜିର ନିର୍ବାଚନ ଆହୁରି ମଧ୍ୟ ନିଷ୍ପତ୍ତି କରିବ ଉପକୂଳ ଓଡ଼ିଶାରେ କାହାର ଅଧିକ ଦବଦବା ରହିଛି। ଉପକୂଳ ଓଡ଼ିଶା ବିଜଦର ଦୁର୍ଗ ହେବା ସତ୍ତ୍ୱେ ଅନେକ ସ୍ଥାନରେ ବିଜେପି ଭଲ କରିପାରେ ବୋଲି ଅନୁମାନ କରାଯାଉଛି। ସେହିଭଳି କଂଗ୍ରେସ ମଧ୍ୟ ବେଶ୍ କିଛି ଆସନରେ ଭଲ ପ୍ରଦର୍ଶନ କରିପାରେ।

କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଯଦି ବୈଜୟନ୍ତ ପଣ୍ଡା ହାରି ଯାଆନ୍ତି ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ଏହା ଏକ ବଡ଼ ଧକ୍କା ହେବ ଏହା ସୁନିଶ୍ଚିତ। ଠିକ୍ ସେହିଭଳି ଯଦି ଅନୁଭବ ମହାନ୍ତି ହାରିଯାନ୍ତି ବିଜେଡି ପାଇଁ ଯେତେ ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବ୍ୟକ୍ତିଗତ ଭାବେ ଏକ ବଡ଼ ଅପମାନ ହେବ।

ବାଲେଶ୍ୱର ଲୋକସଭା ଆସନ ପାଇଁ ଯେଉଁ ତିନି ଜଣ ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କ ଜିତିବା ହାରିବା ଉପରେ ଅନେକ କଥା ନିର୍ଭର କରୁଛି। କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ପୁତ୍ର ନବଜ୍ୟୋତି ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପି ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ବେଶ୍ ଆଶା ରଖିଛି।

Comment