ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେଥିରୁ ବିଜେପି ପ୍ରାର୍ଥୀ ହୋଇଥିବା ସ୍ମୃତି ଇରାନି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ମୋଦି ସରକାରରେ ସ୍ମୃତି ପୂର୍ବରୁ ଶିକ୍ଷା ମନ୍ତ୍ରୀ ଥିଲେ। ଏହାପରେ ସେ ବୟନ ଶିଳ୍ପ ମନ୍ତ୍ରାଳୟର ମନ୍ତ୍ରୀ ହୋଇଥିଲେ। ୪୩ ବର୍ଷୀୟ ସ୍ମୃତି  ରାଜନୀତିରେ ପାଦ ଦେବା ପୂର୍ବରୁ ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ଥିଲେ।

ମଧ୍ୟବିତ୍ତ ପରିବାରରେ ଜନ୍ମିତ ସ୍ମୃତି ଇରାନି ୧୯୭୬ ମସିହା ମାର୍ଚ୍ଚ ୨୩ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ପଞ୍ଜାବୀ ହୋଇଥିଲା ବେଳେ ମା’ ବଙ୍ଗାଳୀ। ତିନି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ହେଉଛନ୍ତି ସ୍ମୃତି।

ସେ ଦଶମ ଶ୍ରେଣୀ ପରେ ସୌନ୍ଦର୍ଯ୍ୟ ଉପକରଣର ପ୍ରଚାର କରିଥିଲେ। ଏଥିପାଇଁ ତାଙ୍କୁ ୨୦୦ ଟଙ୍କା ମିଳୁଥିଲା। ୧୯୯୮ରେ ସ୍ମୃତି ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ବି ଫାଇନାଲରେ ପହଞ୍ଚି ପାରିନଥିଲେ। ପରେ ମୁମ୍ବାଇ ଫେରିଆସି ମ୍ୟାକଡୋନାଲସରେ କାମ କରିଥିଲେ।  ୨୦୦୧ରେ ପାର୍ସି ବ୍ୟବସାୟୀ ଜୁବିନଙ୍କୁ ବିବାହ  କରିଥିଲେ ସ୍ମୃତି।

୨୦୦୩ରେ ରାଜନୀତିରେ ପାଦ ଦେଇ ବିଜେପିରେ ସାମିଲ ହୋଇଥିଲେ। ୨୦୦୪ରେ ଚାନ୍ଦିନିଚୌକ ଆସନରୁ କଂଗ୍ରେସ ନେତା କପିଲ ଶର୍ମାଙ୍କ ବିରୋଧରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।  କିନ୍ତୁ ପରେ ବିଜେପି କେନ୍ଦ୍ରୀୟ ସମିତିର ସଭ୍ୟ ହୋଇଥିଲେ।

୨୦୧୦ରେ ଦଳର ରାଷ୍ଟ୍ରୀୟ ସଚିବ ହୋଇଥିଲେ। ୨୦୧୪ରେ ଆମେଥିରେ ରାହୁଲ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ ବି ହାରି ଯାଇଥିଲେ। କିନ୍ତୁ ରାହୁଲଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ରାହୁଲଙ୍କୁ ୪ ଲକ୍ଷ ୮ ହଜାର ୬୫୧ ଭୋଟ୍ ମିଳିଥିଲାବେଳେ ସ୍ମୃତିଙ୍କୁ ୩ ଲକ୍ଷ ୭୪ ଭୋଟ୍ ମିଳିଥିଲା। ମାତ୍ର ୧ ଲକ୍ଷ ୭ ହଜାର ଭୋଟରେ ପଛରେ ପଡ଼ିଥିଲେ। ମିଳିଥିଲା।

ରାଜନୀତିରେ ସ୍ମୃତି ଇରାନି ବହୁ ବିବାଦରେ ଘେରି ହୋଇଛନ୍ତି। ତାଙ୍କର ଡିଗ୍ରୀକୁ ନେଇ ବିରୋଧୀ କଡ଼ା ସମାଲୋଚନା କରିଥିଲେ। ଶିକ୍ଷା ମନ୍ତ୍ରୀ ଭାବେ ତାଙ୍କର କୌଣସି ଯୋଗ୍ୟତା ନଥିବା କଂଗ୍ରେସ କହିଥିଲା। ୨୦୦୪ ଏବଂ ୨୦୧୪ ନିର୍ବାଚନରେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସେ ଭିନ୍ନ ଭିନ୍ନ ତଥ୍ୟ ଦେଇଥିଲେ।

Comment