ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ ଚାଲିଯିବାର ପାଞ୍ଚ ଦିନ ପରେ ବି ଉପକୂଳ ଓଡ଼ିଶାରେ ସ୍ଥିତି ସୁଧୁରୁନି।

ବାତ୍ୟା ‘ଫନି’ ଓଡ଼ିଶାରେ ତାଣ୍ଡବ ରଚି ଚାଲି ଯାଇଛି। ପାଞ୍ଚ ଦିନ ପରେ ବି ସ୍ଥିତି ସ୍ୱାଭାବିକ ହୋଇନି। ଫନି ଯୋଗୁ ୫୧ଟି ପୌରାଞ୍ଚଳ ଏବଂ ୧୬ ହଜାର ୭୪ଟି ଗାଁ ପ୍ରଭାବିତ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ମୁଖପାତ୍ର କୃପାସିନ୍ଧୁ ମିଶ୍ର କହିଛନ୍ତି।

ଏସ୍ଆରସି ପକ୍ଷରୁ କୁହାଯାଇଛି ଯେ ବାତ୍ୟା ‘ଫନି’ ଯୋଗୁ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର ସ୍ଥିତି ଅସମ୍ଭାଳ ହୋଇଯାଇଛି। ୧୪ଟି ଜିଲ୍ଲାର ୧୫୫ ବ୍ଲକର ୫୧ଟି ପୌରାଞ୍ଚଳ ଓ ୧୬ ହଜାର ୭୪ଟି ଗାଁର ପ୍ରାୟ ୧ କୋଟି ୪୮ ଲକ୍ଷ ୨୮ ହଜାର ୮୪ ଜଣ ପ୍ରଭାବିତ ହୋଇଛନ୍ତି।

‘‘ବାତ୍ୟା ପ୍ରଭାବିତ ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ପଡ଼ିଥିବା ଗଛଗୁଡ଼ିକୁ ସମ୍ପୂର୍ଣ୍ଣ ସଫା କରାଯାଇଛି। ପୁରୀରେ ୭୦ ପ୍ରତିଶତ ମୁଖ୍ୟ ରାସ୍ତାରୁ ଗଛ ହଟାଇ ଦିଆଯାଇଛି। ରାଜଧାନୀରେ ମୋଟ ୨୭ଟି ଜେସିବି ଜରିଆରେ ସଫା କାର୍ଯ୍ୟ ଚାଲିଛି’’, କହିଛନ୍ତି ଏସଆରସି ମୁଖପାତ୍ର କୃପାସିନ୍ଧୁ ମିଶ୍ର।

ସେ ଆହୁରି କହିଛନ୍ତି ଯେ ବିଦ୍ୟୁତ ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ପୁରୀରେ ଶକ୍ତି ବିଭାଗର ପ୍ରାୟ ୪୦୦ କର୍ମଚାରୀ କାମରେ ଲାଗିଛନ୍ତି।

ଟ୍ୟାଙ୍କର ସାହାଯ୍ୟରେ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଛି। ଭୁବନେଶ୍ୱରରେ ୬୦ ପ୍ରତିଶତ, ଖୋର୍ଦ୍ଧାରେ ୭୦ ପ୍ରତିଶତ ଓ ପୁରୀରେ ୭୦ ପ୍ରତିଶତ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି।

Comment