ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’ ଚାଲି ଯାଇଛି। ହେଲେ ଏବେ ଯାଏଁ ସ୍ଥିତି ସୁଧୁରୁନି। ଫନିର ପ୍ରଭାବରେ ଶୁକ୍ରବାରଠାରୁ ବିଦ୍ୟୁତ୍ ଓ ଇଣ୍ଟରନେଟ୍ ସେବା ବ୍ୟାହତ ହେବା ଯୋଗୁଁ ବ୍ୟାଙ୍କଗୁଡ଼ିକର ଲିଙ୍କ୍ ଫେଲ୍ ହୋଇଯାଇଛି। ଫଳରେ ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରପଡ଼ା ଏବଂ ଜଗତସିଂହପୁର ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି।

ବ୍ୟାଙ୍କଗୁଡ଼ିକ ଗତ ଶନିବାରଠାରୁ ଖୋଲିଥିଲେ ମଧ୍ୟ କୌଣସି କାମ ହୋଇପାରୁନାହିଁ। ଲୋକେ ନା ଟଙ୍କା ଉଠାଇ ପାରୁଛନ୍ତି ନା ଚେକ୍ କ୍ଲିଅର ହେଉଛି। ଇଣ୍ଟରନେଟ୍‌ ନଥିବାରୁ ଲୋକମାନେ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍ ମଧ୍ୟ କରିପାରୁନାହାନ୍ତି। ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

୧୦୦ରୁ କାମ କରୁଛି ଚାରି ଏଟିଏମ୍

ଭୁବନେଶ୍ୱରରେ ଷ୍ଟେଟ ବ୍ୟାଙ୍କର ୧୦୦ଟି ଏଟିଏମ୍ ରହିଛି। ହେଲେ ସେଥିମଧ୍ୟରୁ ୪ଟି କାମ କରୁଛି। ଫଳରେ ଲୋକେ ଟଙ୍କା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି।

ଏସବିଆଇ ଏଜିଏମ୍ (ପିଆର) ପ୍ରଫୁଲ କୁମାର ଦାସ କହିଛନ୍ତି, ‘‘ଯେପର୍ଯ୍ୟନ୍ତ ବିଦ୍ୟୁତ୍ ଏବଂ ଇଣ୍ଟରନେଟ୍‌ ସେବା ଠିକ୍‌ ନ ହୋଇଛି ସେ ପର୍ଯ୍ୟନ୍ତ କିଛି କହିବା ଆମ ପକ୍ଷରେ ମୁସ୍କିଲ। ତେବେ ସ୍ଥିତି ନିକଟ ଭବିଷ୍ୟତରେ ସୁଧୁରିବ ବୋଲି ଆମର ଆଶା ରହିଛି। ଭୁବନେଶ୍ୱରରେ ଷ୍ଟେଟବ୍ୟାଙ୍କର ସମୁଦାୟ ୧୦୦ଟି ଏଟିଏମ୍ ଥିବା ବେଳେ କାମ କରୁଛି ମାତ୍ର ଚାରୋଟି।’’

ଟଙ୍କା ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବା ଯୁବକ ଆକାଶ ତ୍ରିପାଠୀ କହିଛନ୍ତି,‘‘ପଇସା ନଥିବା ଯୋଗୁଁ ଅତ୍ୟାବଶ୍ୟକୀୟ ଜିନିଷ କିଣାଯାଇପାରୁନାହିଁ। ପାଣି କିଣିବା ପାଇଁ ମଧ୍ୟ ପକେଟ୍‌ରେ ପଇସା ନାହିଁ।’’

ସେ ଆହୁରି ମଧ୍ୟ କହିଛନ୍ତି ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ ନ ହୁଏ ତେବେ ଲୋକମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କାନାଡ଼ା ବ୍ୟାଙ୍କର ସ୍ଥିତି ଭିନ୍ନ

କାନାଡ଼ା ବ୍ୟାଙ୍କର ଆଞ୍ଚଳିକ ମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର କହିଛନ୍ତି, ‘‘ଫନି ପରେ ରାଜଧାନୀରେ ରେଡ୍‌କ୍ରସ୍‌ ଅଫିସ ନିକଟରେ ଥିବା ଆମ ବ୍ୟାଙ୍କର ଏଟିଏମ କାମ କରୁଥିଲା। ପରେ ସହିଦନଗର, ଡେଲ୍‌ଟା ଛକ, ଆଇଆରସି ଭିଲେଜ୍‌ ଓ ବାପୁଜିନଗରସ୍ଥିତ ଏଟିଏମ୍‌ କାମ କରିଥିଲା। ମଙ୍ଗଳବାର ସୁଦ୍ଧା ମୋଟ ୧୫୦୦ରୁ ଊର୍ଦ୍ଧ୍ୱ ଲୋକ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇଛନ୍ତି।’’

Comment