ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୁରୀରେ ୯୯ ମହାବାତ୍ୟା ପରିସ୍ଥିତିକୁ ବଳିଗଲା ଫନି
  • ବିଜୁଳି, ମୋବାଇଲ୍ ସେବା ଧୂଳିସାତ୍
  • ସମୁଦ୍ରକୂଳ ରାସ୍ତାରେ ଆଣ୍ଠୁଏ ଲେଖାଏଁ ବାଲି
  • ଅନେକ ମୃତାହତ, ଡାକ୍ତରଖାନାରେ ଝରକା କାଚ ଭାଙ୍ଗି ୧୮୦ ଆହତ
  • ସହରର ହଜାର ହଜାର ଘରର କାଚ ଝରକା ଚୁନା
  • କାଗଜ ପରି ଉଡ଼ିଲା ଆଜବେଷ୍ଟସ୍
  • ଛୋଟ ବ୍ୟାବସାୟିକ ପ୍ରତିଷ୍ଠାନ ଓ କ୍ୟାବିନ୍ ସମ୍ପୂର୍ଣ୍ଣ ପ୍ରଭାବିତ
  • ଓଡ଼ିଶାର ପର୍ଯ୍ୟଟନ ରାଜଧାନୀ ପୁରୀକୁ ଚିହ୍ନି ହେଉନାହିଁ

ଶ୍ରୀକ୍ଷେତ୍ର ପୁରୀକୁ ଚୁର୍‌ମାର୍ କରିଦେଇଛି ସାମୁଦ୍ରିକ ଝଡ଼ ଫନି। ଗତ ଶୁକ୍ରବାର ଦିନ ସକାଳେ ଏହା ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରିବା ଫଳରେ ପୁରୀ ସହର ସମେତ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଏହି ଭୟଙ୍କର ବାତ୍ୟା ପ୍ରାୟ ୬ ଘଣ୍ଟା ଧରି ପୁରୀ ସହରରେ ଯେଉଁ ତାଣ୍ଡବ ସୃଷ୍ଟି କରିଥିଲା ସେଥିରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

ଉଗ୍ରରୂପ ନେଲା ଫନି

ପୁରୀ ନିକଟରେ ଫନି ଲ୍ୟାଣ୍ଡ୍‌ଫଲ୍ କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଥିଲେ। ହେଲେ ବାତ୍ୟାର ପ୍ରଭାବ ଯେ କେତେ ଭୟଙ୍କର ହେବ ପୁରୀବାସୀ କଳନା କରିନଥିଲେ। ଏପରିକି କେତେକ ଲୋକ ବାତ୍ୟାର ପୂର୍ବାନୁମାନକୁ ଯେତିକି ଗମ୍ଭୀରତାର ସହ ନେବା କଥା ନେଇନଥିଲେ। ତେବେ ଫନି ସମସ୍ତଙ୍କୁ ଚମକାଇ ସବୁ ଆକଳନକୁ ଅତିକ୍ରମ କରିଯାଇଛି।

ଶୁକ୍ରବାର ଦିନ ସକାଳ ପ୍ରାୟ ୮ଟାରୁ ଫନିର ତାଣ୍ଡବ ପୁରୀ ଏବଂ ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଆରମ୍ଭ ହୋଇଥିଲା। ସକାଳ ୯ଟା ୩୦ ସମୟରେ ଏହା ଉଗ୍ରରୂପ ଧାରଣ କରିଥିଲା। ପ୍ରଥମେ ଘଣ୍ଟା ପ୍ରତି ୭୦/୮୦ କିମି ବେଗରେ ପବନ ବହିବା ଆରମ୍ଭ ହୋଇଥିଲେ ମଧ୍ୟ ଏହା ବଢ଼ି ପ୍ରାୟ ୨୦୦ କିଲୋମିଟର ଛୁଇଁଥିଲା।

ରାସ୍ତାରେ ଗଦା ହୋଇଗଲା ସମୁଦ୍ର ବାଲି, କାଚ ଝରକା ଚୁରମାର୍

ପୁରୀ ସମୁଦ୍ର ବାତ୍ୟା ପୂର୍ବରୁ ଅଶାନ୍ତ ହୋଇଥିଲା। ବାତ୍ୟାର ପ୍ରଭାବରେ ଉଚ୍ଚ ଜୁଆର ଉଠିବା ସହ ଢେଉର ପ୍ରଭାବ ବଢ଼ିଥିଲା। ପୁରୀ ସମୁଦ୍ର କୂଳରେ ପ୍ରବଳ ଢେଉ ଏବଂ ପବନ ଯୋଗୁଁ ସମୁଦ୍ର ବାଲି ଉଡ଼ି ଆସି ରାସ୍ତାରେ ଗଦା ହୋଇ ରହିଥିଲା। ଏହା ଫଳରେ ଶନିବାର ସକାଳ ପର୍ଯ୍ୟନ୍ତ ସେହି ସବୁ ରାସ୍ତାରେ ଯିବାଆସିବା ଅସୁବିଧା ହୋଇଥିଲା।

ବାତ୍ୟା ପ୍ରଭାବରେ ପୁରୀ ସହରର ଅଧିକାଂଶ ଘର ଏବଂ ବ୍ୟାବସାୟିକ ପ୍ରତିଷ୍ଠାନର କାଚ ଝରକା, କବାଟ ଚୁର୍‌ମାର୍‌ ହୋଇଯାଇଥିଲା। ଏପରିକି କେତେକ ଲୋକଙ୍କ ଘରର କାଠ ଝରକା ଓ କବାଟ ମଧ୍ୟ ଭାଙ୍ଗିଯାଇଥିଲା। ସହରର ଅଧିକାଂଶ ଆଜବେଷ୍ଟସ୍ ସମ୍ପୂର୍ଣ୍ଣ ଉଡିଯାଇଥିଲା।

ପୁରୀ ସହରର ବିଭିନ୍ନ ସ୍ଥାନରେ ଓ ବଡ଼ ଦାଣ୍ଡରେ ଥିବା ପ୍ରାୟ ସମସ୍ତ ହୋର୍ଡ଼ିଂ ନଷ୍ଟ ହୋଇଯାଇଥିଲା। ଅନେକ ଜାଗାରେ ହୋର୍ଡିଂର ଶକ୍ତିଶାଳୀ ଲୁହା ଫ୍ରେମ୍ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ବଡ଼ଦାଣ୍ଡର ଚିତ୍ର ସେଦିନ ଯିଏ ଦେଖିଥିଲା ସେ ଚକିତ ହୋଇଯାଇଥିଲା।

ବାତ୍ୟା ଫନି ପୁରୀରେ ଲ୍ୟାଣ୍ଡ କରିବ ବୋଲି ଯେବେଠାରୁ ସୂଚନା ଆସିଲା ସମସ୍ତଙ୍କ ନଜର ରହିଥିଲା ଶ୍ରୀମନ୍ଦିର ଉପରେ। ଗୁରୁବାର ଦିନ ପ୍ରବଳ ପବନ ବହିବା ଫଳରେ ନୀଳଚକ୍ରରୁ ପତିତପାବନ ବାନା ଉଡ଼ିଯାଇଥିଲା।

ବଦ୍ ପଡ଼ିଲାନି ଶ୍ରୀମନ୍ଦିର

ବାତ୍ୟାରେ ଶ୍ରୀମନ୍ଦିରରେ ଜୟ ବିଜୟଙ୍କ ମୂର୍ତ୍ତି ଭାଙ୍ଗି ଯାଇଥିଲା। କଳ୍ପବଟ୍ଟକୁ ମଧ୍ୟ ବାତ୍ୟା ହିଟ୍ କରିଥିଲା। କଳ୍ପବଟ୍ଟର ଅନେକ ଡାଳ ଭାଙ୍ଗି ପଡ଼ିଥିଲା। ଆନନ୍ଦ ବଜାରରେ ଥିବା କେତେକ ଗଛ ଭାଙ୍ଗି ଯିବା ସହ ବ୍ୟାରିକେଡ୍ ଭାଙ୍ଗି ଯାଇଥିଲା। ବାତ୍ୟା ଯୋଗୁ ଶ୍ରୀମନ୍ଦିରରେ ୫ କୋଟି ଟଙ୍କାର କ୍ଷତି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ପୁରୀରେ ଏନଡିଆରଏଫ, ଓଡ୍ରଫ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ରାସ୍ତାରୁ ଗଛ ହଟାଇଥିଲେ। ହେଲେ ଏବେ ବି ଚିତ୍ର ସମ୍ପୂର୍ଣ୍ଣ ବଦଳିନି। ପୁରୀରେ ପରିସ୍ଥିତି ସ୍ୱାଭାବିକ ହେବା ପାଇଁ ଆହୁରି ସମୟ ଲାଗିବ। ପୁରୀରେ କେବେ ବିଦ୍ୟୁତ ଆସିବ ତାହା ପ୍ରଶ୍ନବାଚୀ ଘେରରେ।

ପୁରୀ ଜିଲ୍ଲାରେ ବାତ୍ୟାର ପ୍ରଭାବରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପୁରୀ ହସ୍ପିଟାଲରେ ବାତ୍ୟାର ପ୍ରଭାବ

ପୁରୀ ହସ୍ପିଟାଲ୍‌ରେ ଶୁକ୍ରବାର ଦିନ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଥିଲା। ବିଶେଷକରି ମା’ ଓ ଶିଶୁ ସୁରକ୍ଷା ୱାର୍ଡରେ ଥିବା କାଚ ଝରକାଗୁଡ଼ିକ ପବନ ମାଡ଼ରେ ଚୁନା ହୋଇଯାଇଥିଲା। ଫଳରେ ସେଠାରେ ଥିବା ମା’, ଶିଶୁ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ୧୮୦ ଜଣ ଆହତ ହୋଇଥିଲେ। ଅନେକ ଲୋକଙ୍କ ଦେହରେ କାଚ ପଶିଯିବା ଫଳରେ ସେମାନେ ଆହତ ହୋଇଥିଲେ। ସେମାନଙ୍କୁ ପରବର୍ତ୍ତୀ ସମୟରେ ଡାକ୍ତରଖାନାର ଅନ୍ୟ ସ୍ଥାନକୁ ନିଆଯାଇଥିଲା।

ଓଡ଼ିଶାର ପର୍ଯ୍ୟଟନ ରାଜଧାନୀ ଭାବରେ ପରିଚିତ ପୁରୀ ସହରର ଅନେକ ହୋଟେଲ୍ ବାତ୍ୟାରେ ପ୍ରଭାବିତ ହୋଇଛି। ଆଗାମୀ ଦିନରେ ଏହା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଉପରେ ବିଶେଷ ପ୍ରଭାବ ପକାଇବାକୁ ଯାଉଛି।

ପୁରୀ ସହରର ବଡ଼ଦାଣ୍ଡ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଛୋଟ ଛୋଟ ଦୋକାନ ଭାଙ୍ଗି ଚୁର୍‌ମାର୍ ହୋଇଯାଇଛି। ଫଳରେ ଶହ ଶହ ପରିବାରର ଜୀବିକା ଉଜୁଡ଼ି ଯାଇଛି।

ପୁରୀ ଜିଲ୍ଲାପାଳଙ୍କ ଘର ଓ ଆବାସିକ କାର୍ଯ୍ୟାଳୟ ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଛି। ଏହି କୋଠାର ଆଜବେଷ୍ଟସ୍ ଉଡ଼ିଯାଇଛି।

ଉଜୁଡ଼ିଗଲା ବସ୍ତି

ବାତ୍ୟାର ପ୍ରଭାବ ପୁରୀର ସମୁଦ୍ର କୂଳରେ ଥିବା ପେଣ୍ଠକଟା, ନୋଳିଆ ବସ୍ତି ଏବଂ ବଳିଆ ପଣ୍ଡା ବସ୍ତି ଉପରେ ପଡ଼ିଛି। ଯଦିଓ ଏହିସବୁ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ତେବେ ଶହ ଶହ ଲୋକଙ୍କ ଘର ଉଜାଡିଦେଇଛି ଫନି।

୧୯୯୯ ମହାବାତ୍ୟା ବେଳେ ପୁରୀ ସହର ଉପରେ ଏହାର ପ୍ରଭାବ ରହିଥିଲା। ସେତେବେଳେ ପ୍ରବଳ ବେଗରେ ଝଡ଼ ବାତ୍ୟା ହେବା ଫଳରେ ପୁରୀ ଏବଂ ଆଖପାଖ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଥିଲା। ତେବେ ୨୦୧୯ର ବାତ୍ୟା ୯୯କୁ ଟପିଯାଇଛି। ଫନିର ପ୍ରଭାବରେ ପୁରୀ ସହର ଏବଂ ଜିଲ୍ଲା କେତେ ମାତ୍ରାରେ ପ୍ରଭାବିତ ହୋଇଛି ଏବଂ ଆଗାମୀ କେତେ ଦିନ ମଧ୍ୟରେ ଭରଣା କରାଯାଇପାରିବ ତାହା କହିବା ସମ୍ଭବପର ନୁହେଁ।

ଫନି ପୁରୀ ସହରକୁ ଯେଉଁଭଳି ଭାବେ ଦୋହଲାଇ ଦେଇଗଲା ତାହା ପୁରୀବାସୀଙ୍କ ମନରେ ଛନକା ଆଣିଦେଇଛି। ଏହି ଧକ୍କା କେହି ସାରା ଜୀବନ ହୁଏତ ଭୁଲିବେ ନାହିଁ।

Comment