ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଦେଶରେ ୭ଟି ପର୍ଯ୍ୟାୟରେ ସରିଛି ୧୭ତମ ସାଧାରଣ ନିର୍ବାଚନ। ଏବେ ଗାଁର ଚା ଖଟିଠୁ ଆରମ୍ଭ କରି ସହରର ମଲ ଯାଏଁ ସବୁଠି ଗୋଟିଏ ଚର୍ଚ୍ଚା ତାହା ହେଉଛି ଏକ୍‌ଜିଟ୍ ପୋଲ ଆକଳନ ଓ ଏଥର ରାଜ୍ୟରେ କିଏ, କେନ୍ଦ୍ରରେ କିଏ ସରକାର ଗଢ଼ିବ?

ସେପଟେ ଏକ୍‌ଜିଟ୍ ପୋଲ ଆକଳନ ପରେ ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ବିଶେଷକରି ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ଜନତା ଜନାର୍ଦ୍ଦନ।

ଏକ୍‌ଜିଟ୍ ପୋଲ ଅନୁସାରେ ରାଜ୍ୟରେ ପୁଣିଥରେ ନବୀନ ସରକାର ଫେରିବାର ଆଶା ଦେଖାଯାଉଥିବା ବେଳେ କେନ୍ଦ୍ରରେ ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ।

ଯେଉଁମାନେ ନବୀନ ସରକାରର ଚତୁର୍ଥ ପାଳିରେ ମନ୍ତ୍ରୀ ଥିଲେ ସେମାନଙ୍କ ମଧ୍ୟରୁ କିଛି ନେତାଙ୍କ ବିଜୟକୁ ନେଇ ଏକ୍‌ଜିଟ୍‌ ପୋଲରେ ସନ୍ଦେହ ସୃଷ୍ଟି ହୋଇଛି।

ଅନ୍ୟପଟେ ବିଜେଡି ବିଜେପିର ଯେଉଁ ନେତାମାନେ ଦଳ ବଦଳାଇ ନିର୍ବାଚନ ଲଢ଼ିଛନ୍ତି ଏବେ ସେହି ନେତାମାନଙ୍କର ହୃଦ ସ୍ପନ୍ଦନ ସବୁଠୁ ଅଧିକ ରହିଛି।  କାରଣ ଲୋକଙ୍କ ମତକୁ ନେଇ ସେମାନେ ଏବେ ଆଶା ଓ ଆଶଙ୍କାରେ ରହିଛନ୍ତି।

ସେପଟେ କଂଗ୍ରେସରେ କେଉଁ ନେତା କେଉଁଠୁ ଜିତିବେ ତାହାକୁ ନେଇ ଦଳରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଗତ ୧୫ ବର୍ଷ ଧରି ବିରୋଧୀ ଦଳ ଆସନରେ ବସି ଆସୁଥିବା କଂଗ୍ରେସ ଏଥର ନିଜ ଆସନ ବଜାୟ ରଖିବାରେ ସଫଳ ହେଉଛି କି ନାହିଁ ତାହା ଉପରେ ବି ନଜର ରହିଛି।

ଏକ୍‌ଜିଟ ପୋଲ ସର୍ଭେ ଅନୁସାରେ ବିଜେପିକୁ ଉଭୟ ବିଧାନସଭା ଓ ଲୋକସଭାରେ ଗତ ନିର୍ବାଚନ ଅପେକ୍ଷା ଅଧିକ ସଫଳତା ମିଳିପାରେ। ତେବେ ଏସବୁ ଭିତରେ ସମସ୍ତଙ୍କ ଅପେକ୍ଷା ରହିଛି ମେ ୨୩କୁ।

Comment