ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଝିଅ ଆଉ ଜଣେ ଝିଅକୁ ଭଲ ପାଇବା ବା ପ୍ରେମ କରିବା ପାପ ନୁହେଁ। ଜଣେ ଝିଅ ଆଉ ଜଣେ ଝିଅକୁ ଜୀବନସାଥୀ ରୂପେ ବାଛିବା ଆଇନ୍‌ ଆଖିରେ ଅପରାଧ ନୁହେଁ। ତେଣୁ ଏହାକୁ ଏତେ ବିବାଦ ବା ପ୍ରଶ୍ନ କାହିଁକି? – ମଙ୍ଗଳବାର ଭୁବନେଶ୍ୱରରେ ଏକ ସମ୍ବାଦିକ ସମ୍ମିଳନୀ ଡକାଇ ଏହି ପାଠ ପଢ଼ାଇଛନ୍ତି ଓଡ଼ିଆ ଆନ୍ତର୍ଜାତିକ ଧାବିକା ଦୂତୀ ଚାନ୍ଦ।

“ମୁଁ ଗୋଟିଏ ଝିଅକୁ ଭଲ ପାଉଛି। ତା’ ସହିତ ରହିବାକୁ ଚାହୁଁଛି। ସୁପ୍ରିମକୋର୍ଟଙ୍କ ଧାରା ୩୭୭ ଅନୁସାରେ ଗୋଟଏ ଝିଅ ଅନ୍ୟ ଝିଅ ସହ ରହିପାରିବ। ଲିଭ୍‌-ଇନ୍‌- ରିଲେସନସିପ୍‌ ମଧ୍ୟ ରଖିପାରିବ। ମୋ ଭବିଷ୍ୟତରେ ବଞ୍ଚିବା ପାଇଁ ଜଣେ ସାହାରା ଦରକାର। ଯିଏ କି ମୋ ଭବିଷ୍ୟତ ପାଇଁ ମତେ ସପୋର୍ଟ କରୁଥିବ। ସେହିଭଳି ସାଥୀ ମୁଁ ବାଛି ସାରିଛି।” କହିଛନ୍ତି ଓଡ଼ିଆ ସ୍ପିଣ୍ଟର ଦୂତୀ ଚାନ୍ଦ।

“ପ୍ରେମ କେତେବେଳେ କାହାକୁ ହୁଏ କିଏ ଜାଣନ୍ତିନି। ଆଉ ପ୍ରେମରେ ଜାତି, ଧର୍ମ, ବର୍ଣ୍ଣ , ଲିଙ୍ଗ କିଛି ନଥାଏ। ସିଏ  ମୋ ଗାଁ ଝିଅ। ମୋ ଜୀବନରେ ଯେତେବେଳେ ବାଧାବିଘ୍ନ ଆସିଛି ସିଏ ମୋ ସାଙ୍ଗରେ ଝିଡ଼ା ହୋଇଛି। ୨୦୧୮ ମସିହାରେ ମୋ ହାତ ଭାଙ୍ଗିବା ସମୟରେ ସେ ମୋ ପାଖରେ ରହି ମତେ ବହୁ ସାହାଯ୍ୟ କରିଥିଲା। ଅମ ଭିତରେ ଇଚ୍ଛାଶକ୍ତି ବଢ଼ିଲା ଯେ, ଆମେ ସାଥି ହୋଇ ରହିଲେ ସାରାଜୀବନ ଆମେ ଖୁସି ହୋଇ ରହିବୁ।”

“ମୁଁ ଜଣେ ଆଥଲେଟ୍‌। ଦେଶ ପାଇଁ ଖେଳୁଛି। ଏଥିସହିତ ମୋର ଗୋଟେ ବ୍ୟକ୍ତିଗତ ଜୀବନ ମଧ୍ୟ ରହିଛି। ମୁଁ କ’ଣ କରିବି, କେମିତି ବଞ୍ଚିବି ତାହା ମୋ ଉପରେ ନିର୍ଭର କରେ। ଅନ୍ୟପକ୍ଷରେ  ସମ୍ବିଧାନରେ ମଧ୍ୟ ଆଇନ୍‌ ରହିଛି କି ଜଣେ ଝିଅ ଆଉ ଜଣେ ଝିଅ ସହିତ ରହିପାରିବେ। ମୁଁ ପ୍ରେମ କରିଛି, ବିବାହ କରିନି। ପ୍ରେମ କରିବା କୌଣସି ଅପରାଧ ନୁହେଁ। ମୁଁ ଯାହା କରୁଛି ଠିକ୍‌ କରୁଛି।”

“ମୋ’ ବଡ଼ ଭଉଣୀ ମତେ ବ୍ଲାକମେଲ୍ କରୁଥିଲେ। ମାନସିକ ସ୍ତରରେ ଚାପ ପକାଉଥିଲେ। ଦିଦି ଏବିଷୟରେ ଜାଣି ମଧ୍ୟ ମତେ ପ୍ରତିରୋଧ କରୁଥିଲେ। ଧମକ ଚମକ ଦେଉଥିଲେ। ଯଦି ଲିଭି-ଇନ୍‌-ରିଲେସନସିପ୍‌ ନଛାଡ଼ିବୁ ତେବେ ତତେ ମିଡ଼ିଆ ସାମ୍ନାରେ ବ୍ଲେମ୍‌ କରିବୁ। ଏମିତିକି ମତେ ୨୫ ଲକ୍ଷ ଟଙ୍କା ମାଗିଥିଲେ। ଶେଷରେ ବାଧ୍ୟ ହୋଇ ମୁଁ ମୋ’ ସମ୍ପର୍କ ଖୁଲାସା କରିଥିଲି” କହିଛନ୍ତି ଦୂତୀ ଚାନ୍ଦ।

“ଆଗକୁ ଯଦି ଏ କ୍ଷେତ୍ରରେ ମୋ ଉପରେ କୌଣସି ମାନସିକ ସ୍ତରରେ ଚାପ ପଡ଼ିବ, ତେବେ ସେ ଯିଏ ବ ହେଉ ନା କାହିଁକି ମୁଁ ଆଇନ୍‌ର ଆଶ୍ରୟ ନେବି। ସିଏ ରକ୍ତର ସମ୍ପର୍କ ହେଉ ବା ରକ୍ତ ବାହାରେ ହେଉ, ଆଇନ୍‌ ଅନୁସାରେ ଯାହା ହୋଇପାରିବ ମୁଁ ତାହା କରିବ।”

“ପ୍ରେମ ତ ସମସ୍ତେ କରନ୍ତି। ହେଲେ ପ୍ରକୃତରେ ପ୍ରେମ କ’ଣ ମୁଁ ବି ଜାଣିନି। କିନ୍ତୁ ଏତିକି ଜାଣିଛି, ଜୀବନରେ ବଞ୍ଚିବା ପାଇଁ ଜଣେ ସାହାରା ଦରକାର। ଭବିଷ୍ୟତ ପାଇଁ ସାଥୀଟି ସପୋର୍ଟ କରୁଥିବା ଦରକାର।”

“ମୁଁ ଯାହା କରିଛି ଠିକ୍‌ କରିଛି। କେବେ ଭୁଲ କରିନି। ସମସ୍ତେ ମତେ ସପୋର୍ଟ କରୁଛନ୍ତି। ଆଶା ଅଛି ଆଗକୁ ସଫଳ ହେବି।”

Comment