ଭାସ୍କର ପରିଚ୍ଛା

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଯେଉଁଭଳି ଜନାଦେଶ ନେଇ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଛି ସେହି ଜନାଦେଶଟି ଏତେ ବଡ଼ ଯେ ଦେଶରେ ରାଜନୈତିକ ତର୍କବିତର୍କର କୌଣସି ଅବସର ହିଁ ରଖୁନାହିଁ। କିନ୍ତୁ ମୋଦିଙ୍କ ନୂଆ ସରକାର ଏକ ନୂଆ ପରିଭାଷାରେ କଥା ଆରମ୍ଭ କରିବା ଦରକାର, ପୁରୁଣା ଭାଷାରେ ନୁହେଁ। ମୋଦିଙ୍କ ଦ୍ୱିତୀୟ ବିଜୟ ପ୍ରଥମଠାରୁ ବି ବଡ଼। ଏହା ଅପ୍ରତ୍ୟାଶିତ କେବଳ ନୁହେଁ ଆଶ୍ଚର୍ଯ୍ୟ ମଧ୍ୟ। ବର୍ଷ ୨୦୧୯ର ନିର୍ବାଚନ ଫଳାଫଳ ରାଜନୀତିର ସାଧାରଣ ଜ୍ଞାନକୁ ବି ତଳେ ପକାଇଦେଇଛି।

ନୂଆ ଉଚ୍ଚରେ ବିଜେପି

ଯେଉଁ ଭଳି ବିରାଟ ବିଜୟ ମୋଦି – ଶାହ ଯୋଡ଼ିକୁ ମିଳିଛି ଓ ଯେତେ ସଂଖ୍ୟାରେ ସାଂସଦ ନିର୍ବାଚିତ ହୋଇଛନ୍ତି ତାହାର ତର୍ଜମା ତ ଢେର ଦିନ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଗୋଟିଏ କଥା ସତ ଯେ ଏହା ଥିଲା ଏକ ଜାତୀୟ ନିର୍ବାଚନ, ସମଗ୍ର ୨୯ଟି ରାଜ୍ୟରେ ଏହାକୁ ନେଇ ଲଢ଼େଇ ହୋଇଥିଲା। ଏହି ଲଢ଼େଇରେ ଗୋଟିଏ ପଟେ ମୋଦି ଓ ଅପର ପଟେ ବାକି ସମସ୍ତେ। ୫ ବର୍ଷ ଧରି ଯେଉଁ ଏନଡିଏ ସରକାରର ନେତୃତ୍ୱ ନରେନ୍ଦ୍ର ମୋଦି ନେଇଥିଲେ ସେହି ସରକାରକୁ ଦେଶର ଭୋଟରମାନେ ପୁଣି ଥରେ ଓ ବିପୁଳ ପରିମାଣରେ ଭୋଟ ଦେଇ ଶାସନ ଗାଦିକୁ ପଠାଇଛନ୍ତି।
ଏହି ପ୍ରକ୍ରିୟାରେ ମୋଦି ତାଙ୍କ ଦଳ ବିଜେପିକୁ ନୂଆ ଉଚ୍ଚକୁ ନେଇଯାଇ ପାରିଛନ୍ତି ଓ ନୂଆ ଗୋଷ୍ଠୀ ଭିତରେ ସାମିଲ କରି ପାରିଛନ୍ତି।

ଗୋଟିଏ ସମୟରେ ବିଜେପିକୁ ଲୋକେ କହୁଥିଲେ ବ୍ରାହ୍ମଣ-ବଣିଆଙ୍କ ଦଳ ଓ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ହିଁ ଏହାର ଉପସ୍ଥିତି ସୀମିତ। ତା’ ଛଡ଼ା ବିଜେପିକୁ ଲୋକେ କେବଳ ଉଚ୍ଚ ବର୍ଗର ଲୋକଙ୍କ ସହିତ ଦେଖୁଥିଲେ। ଏବେ କିନ୍ତୁ ସେହି ଧାରଣା ପୂରା ବଦଳିଛି। ବିଜେପି ଆଜି ଆଉ ହିନ୍ଦୀଭାଷୀ ରାଜ୍ୟରେ ନୁହେଁ ପଶ୍ଚିମବଙ୍ଗ, ଓଡ଼ିଶା, ତେଲେଙ୍ଗାନା ଓ କର୍ଣ୍ଣାଟକରେ ମଧ୍ୟ  ପହଞ୍ଚିଛି। ଆହୁରି ମଧ୍ୟ, ଦଳ ଜାତି ଓ ଵର୍ଗ ରାଜନୀତିକୁ ଦଳ ଓଲଟାଇ ଦେଇ ପାରିଛି।

ୟେ ଦିଲ ମାଙ୍ଗେ ମୋର

ମେ’ ୨୩ରେ ମୋଦିଙ୍କୁ ଯେଉଁ ସଫଳତା ହାସଲ ହୋଇଛି ତାହାର ଅର୍ଥ କଣ ବାହାରିବ? ମୋଟାମୋଟି, ମୋଦିଙ୍କ ରାଜନୀତି ସବୁ ଶ୍ରେଣୀ ଓ ସବୁ ଅଞ୍ଚଳର ଲୋକଙ୍କୁ ପ୍ରଭାବିତ କରିପାରିଛି। ବିରୋଧୀଙ୍କ ଦୁର୍ଗରେ ମୋଦି ପଶି ପାରିଛନ୍ତି ଓ ଯେଉଁମାନଙ୍କର ବଞ୍ଚିବାର ଆକାଂକ୍ଷା ଓ ଅଭିଳାଷ ରହିଛି ସେମାନେ ମୋଦିଙ୍କ ସହ ଯୋଡ଼ି ହୋଇଛନ୍ତି। ମୋଦିଙ୍କ ସରକାରରେ ବିଜେପି କ୍ଷମତା ପାଇଁ ଅଧିକ ଭୋକିଲା ହୋଇ ପଡ଼ିଛି, ଯେତିକି ମିଳିଲା ସେତିକିରେ ସନ୍ତୁଷ୍ଟ ହୋଇ ରହିନାହିଁ। ଯାହାକୁ କୁହାଯାଏ ୟେ ଦିଲ ମାଙ୍ଗେ ମୋର। ଲଗାତାର ନିଜ ଚେହେରା ଓ ସଂଦେଶକୁ ବଦଳାଇବା ପାଇଁ ବିଗତ ପାଞ୍ଚ ବର୍ଷ ଭିତରେ ବିଜେପିର ଦୁଇ ସୁପ୍ରିମୋ ଉଦ୍ୟମ ଜାରି ରଖିଛନ୍ତି। ଦଳ ଭିତରେ ନିରନ୍ତର ମାନସ ମନ୍ଥନ ହୋଇଛି।

ଉଗ୍ର ହିନ୍ଦୁତ୍ୱ

ମୋଦିଙ୍କ ପ୍ରଥମ ସରକାରର କାର୍ଯ୍ୟକଳାପ ଉଗ୍ର ହିନ୍ଦୁତ୍ୱରେ ହିଁ ସୀମିତ ଥିଲା। ହିନ୍ଦୁ ଶକ୍ତିମାନଙ୍କୁ ଏକାଠି କରିବାଠାରୁ ଆରମ୍ଭ କରି ହିନ୍ଦୁ ଧର୍ମର ସ୍ୱାର୍ଥକୁ ବଜାୟ ରଖିବା ପର୍ଯ୍ୟନ୍ତ ଯାବତୀୟ ପଦକ୍ଷେପ ନିଆଯିବା ଭିତରେ ହିନ୍ଦୁ ମାନଙ୍କୁ ଖୁସିରେ ରଖିବା ପାଇଁ ଉଦ୍ୟମ ଆରମ୍ଭ ହେଲା। ଆସାମରେ ନାଗରିକତ୍ୱ ବିଲ କୁହନ୍ତୁ କି ପ୍ରଜ୍ଞା ଠାକୁରଙ୍କୁ ପ୍ରାର୍ଥୀ କରିବା କୁହନ୍ତୁ (ଯିଏ କି ଜାମିନରେ ଆସି ନିର୍ବାଚନ ଲଢ଼ିଥିଲେ)। ତେବେ ଏତିକିରେ କଥା ଶେଷ ହୋଇନଥିଲା।

ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଓ ଵାଲାକୋଟରେ ବାୟୁ ସେନାର ଆକ୍ରମଣକୁ ଦେଶର ଭାବନା ଓ ଅନୁରକ୍ତି ସହ ଯୋଡ଼ିବାରେ ମୋଦି ସଫଳ ହୋଇଥିଲେ ଓ ନିର୍ବାଚନରେ ଏହା ଏକ ବଡ଼ ପ୍ରସଙ୍ଗ ହୋଇଥିଲା। ଏହି ଘଟଣା ପରେ ମୋଦିଙ୍କର ଏକ ନୂଆ  ସୁରକ୍ଷା ସିଦ୍ଧାନ୍ତ  ଆସିଲା। ଏହାଛଡ଼ା ମୋଦି ସରକାର ସମୟରେ ଆନ୍ତର୍ଜାତିକ ସମୁଦାୟରେ ଭାରତ ଉଚ୍ଚ  ସ୍ଥାନ ଅଳଙ୍କୃତ କରି ପାରିଥିବା କଥା କୁହାଗଲା। ଏଣେ ଗରିବଙ୍କ ପାଇଁ ଅନେକ ଗୁଡିଏ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।

ଗରିବ ଶ୍ରେଣୀ

ଗୋଟିଏ ପଟେ ଦେଶର ଅର୍ଥନୀତି ବିଗୁଡୁଥିବାବେଳେ ଓ ଯୁବକଙ୍କ ବେରୋଜଗାର ଏକ ବଡ଼ ପ୍ରସଙ୍ଗ ହୋଇଥିବା ବେଳେ ଗରିବ ଲୋକମାନଙ୍କ ପାଇଁ ଉଜ୍ଜ୍ଵଲାଠାରୁ ଜନଧନ ଓ ପିଏମ କିଷାନ ଯୋଜନା ପର୍ଯ୍ୟନ୍ତ ଅନେକ ଯୋଜନା ଆରମ୍ଭ ହୋଇଥିଲା। ବିଶେଷ କରି ଯେଉଁମାନେ ବିମୁଦ୍ରିକରଣ ଯୋଗୁଁ କଷ୍ଟ ପାଉଥିଲେ ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ୟମ କରିଥିଲେ ମୋଦି।

ଏବେ ନିର୍ବାଚନ ପରେ ଆଉ ଦୁଇ ଦିନ ପରେ ଯେତେବେଳେ ନୂଆ ସରକାର ଗଠନ ହେବ ତା ପାଇଁ କାମର ଏକ ବଡ଼ ତାଲିକା ଅପେକ୍ଷା କରି ରହିଛି।ମୋଦିଙ୍କ ବିଜୟ ସମ୍ଭାଷଣରେ ମଧ୍ୟ ଏହି କଥା ଶୁଣିବାକୁ ମିଳିଥିଲା। ନରେନ୍ଦ୍ର ମୋଦିଙ୍କ ପାଖକୁ ଯେଉଁ ଐତିହାସିକ ବିଜୟ ଆସିଛି ତାକୁ ସେ କେତେ ଦୂର କାମରେ ଲଗାଇ ପରୁଛନ୍ତି ଓ ବିକାଶ ପାଇଁ  କି ରକମର  ନୂଆ ସଂଜ୍ଞା ନିରୂପଣ କରୁଛନ୍ତି ତାହାରି ଉପରେ ମୋଦି-୨ ସରକାରର ସଫଳତା ନିର୍ଭର କରିବ।

Comment