ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନରେ ବଂଶ ରାଜନୀତିକୁ ଲୋକେ ଗୋଇଠା ମାରିଥିବା ବେଳେ ଓଡ଼ିଶାର ଭୋଟର କିନ୍ତୁ ନେତାଙ୍କ ପୁଅ- ଝିଅମାନଙ୍କୁ ମୁଣ୍ଡରେ ବସାଇଛନ୍ତି। ନିକଟରେ ଶେଷ ହୋଇଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ଏହା ସ୍ପଷ୍ଟ। ପ୍ରାୟ ଡଜନେ ନେତାଙ୍କ ପୁଅ ଏଥର ନିର୍ବାଚନରେ ବାଜି ମାରିଛନ୍ତି ଓ ବାପାଙ୍କ ଉତ୍ତରାଧିକାରୀ ଭାବରେ ରାଜନୀତିର ମଙ୍ଗ ଧରିଛନ୍ତି।

ବିଜୁ-ନବୀନ

ଏହି ବାପ ପୁଅ ଯୋଡ଼ି ବିଷୟରେ କହିବାର ଆବଶ୍ୟକତା ନାହିଁ। ବିଜୁ ଗୋଟିଏ ସମୟରେ ଓଡ଼ିଶା ରାଜନୀତିର ହର୍ତ୍ତା, କର୍ତ୍ତା, ଦୈବବିଧାତା ଥିଲେ। ତାଙ୍କର ସେହି ଉତ୍ତରାଧିକାରକୁ ପୁଅ ନବୀନ କେବଳ ଆଗେଇ ନେଇଛନ୍ତି ତାହା ନୁହେଁ, ‘ବାପ ସେ ବଡା ବେଟା’ ନ୍ୟାୟରେ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ଦାମ-ସମ୍ବିତ

ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଦଳରୁ ବହିଷ୍କୃତ ହେବା, ତାଙ୍କ ସ୍ଥାନରେ ପୁଅ ସମ୍ବିତଙ୍କୁ ପାରାଦୀପ ଆସନରୁ ଟିକେଟ ମିଳିବା ଏ ସବୁକୁ ନେଇ ବିଗତ ଦିନରେ ଢେର ନାଟକବାଜି ଆମେ ଦେଖିଥାଇଁ। ତେବେ ବିଜେପି ଟିକେଟରେ ଏରସମା-ବାଲିକୁଦାରୁ ଦାମ ହାରିଥିଲେ ହେଁ ପୁଅ ସମ୍ବିତ ପାରାଦୀପରୁ ଜିତି ରାଜନୀତି କ୍ୟାରିୟର ଆରମ୍ଭ କରିଛନ୍ତି। ବାପାଙ୍କ ଆସନକୁ ପୁଅ କବ୍ଜା କରିବା ସହ ଏଠି ଉତ୍ତରାଧିକାରର ହସ୍ତାନ୍ତର ସୁରୁଖୁରୁରେ ହୋଇପାରିଛି।

ବିଜୟ-ବିଷ୍ଣୁବ୍ରତ

ବାସୁଦେବପୁର ବିଧାନସଭା ଆସନରୁ ବିଜୟଶ୍ରୀ ରାଉତରାୟ କ୍ରମାଗତ ଭାବେ ଜିତି ଆସିଥିବା ବେଳେ ଏଥର ପୁଅକୁ ଛିଡ଼ା କରାଇଥିଲେ ଓ ନିର୍ବାଚନରେ ସଫଳ ମଧ୍ୟ ହୋଇଛନ୍ତି। ରାଉତରାୟ ପରିବାରର ରାଜନୀତି ତିନି ପୁରୁଷ ଧରି ଚାଲି ଆସୁଛି।

ପ୍ରଭାତ-ଦେବୀ

ବାଙ୍କୀ ବିଧାନସଭା ଆସନରୁ ତିନିଥର ବିଧାୟକ ହୋଇଥିବା ପ୍ରଭାତ ତ୍ରିପାଠୀଙ୍କ କ୍ଷେତ୍ରରେ ମଧ୍ୟ ସବୁ କିଛି ସୁବିଧାରେ ସମ୍ପନ୍ନ ହୋଇଛି। ପ୍ରଭାତଙ୍କ ପୁଅ ଦେବୀରଞ୍ଜନ ରାଜନୀତିରେ ଖଡ଼ି ଛୁଆଁ ଆରମ୍ଭ କରୁକରୁ ପରୀକ୍ଷାରେ ପାସ୍ ହୋଇଛନ୍ତି।

ରାମ-ସପ୍ତଗିରି

ଏହି ବାପ ପୁଅ ଯୋଡ଼ି ବିଜେଡିର ନୁହନ୍ତି କଂଗ୍ରେସର। ଯଦିଓ କଂଗ୍ରେସ ଏଥର ନିର୍ବାଚନରେ ଚିତ ପଟାଙ୍ଗ ମାରିଛି, କୋରାପୁଟ ଲୋକସଭା ଆସନରୁ ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ପୁଅ ସପ୍ତଗିରି ଉଲାକା ଏକାକୀ ଜିତି କଂଗ୍ରେସର ମହତ ରକ୍ଷା କରିପାରିଛନ୍ତି। ରାମଚନ୍ଦ୍ର ଢେର ଦିନ ଧରି କଂଗ୍ରେସ ସାଂସଦ ଥିଲେ। ତାଙ୍କ ପୁଅ ଏବେ ରାଜନୀତିରେ।

ପର୍ଶୁରାମ-ଜ୍ୟୋତିପ୍ରକାଶ

ସିମୁଳିଆ ଆସନରୁ ୪ ଥର ବିଧାୟକ ରହିଥିବା ପର୍ଶୁରାମ ପାଣିଗ୍ରାହୀଙ୍କ ପୁଅ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଲଗାତାର ଦ୍ୱିତୀୟ ଥର ପାଇଁ ନିର୍ବାଚନ ଜିତିଛନ୍ତି।

ହରେକୃଷ୍ଣ-ଭର୍ତ୍ତୃହରି 

ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି କେବଳ ରାଜନୀତିରେ ପଶିଛନ୍ତି ତାହା ନୁହେଁ ଦୀର୍ଘ କୋଡିଏ ବର୍ଷ ଧରି କଟକ ଲୋକସଭା ଆସନକୁ ନିଜ ଅକ୍ତିଆରରେ ରଖି ଆସିଛନ୍ତି। ୧୯୯୮ ପରଠାରୁ ଅନ୍ୟ କେହି ତାଙ୍କୁ ଏହି ଆସନରୁ ହରାଇ ପାରିନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ସେ ବି କୋଡ଼ିଏ ବର୍ଷ ଧରି ବିଜେଡିର ଅବିଚ୍ଛେଦ୍ୟ ଅଙ୍ଗ ରହି ଆସିଛନ୍ତି। ଭର୍ତ୍ତୃହରି ଏଥର ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ ମଧ୍ୟ ନବୀନ ତାଙ୍କୁ ଜୋର ଜବରଦସ୍ତ ଟିକେଟ ଦେଇଥିଲେ ଓ ସେ ଜିତିଲେ ମଧ୍ୟ।

ପ୍ରଭାତ-ସୌଭିକ

ନୂଆ ଜମାନାର ବାପ-ପୁଅ ରାଜନୀତିର ଇଏ ଆଉ ଏକ ଉଦାହରଣ। ବାପା ପ୍ରଭାତ ବିଶ୍ୱାଳଙ୍କ ସ୍ଥାନରେ ଟିକେଟ ପାଇବା ସହ କଟକ-ଚୌଦ୍ୱାର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସୌଭିକ। ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନ ନ ଲଢ଼ିବା ପାଇଁ ପ୍ରଭାତ ନିଷ୍ପତ୍ତି ନେଇଥିଲେ।

କଳ୍ପତରୁ-ପ୍ରଣବ

ସ୍ୱର୍ଗତ କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ ଧର୍ମଶାଳା ଆସନରୁ ଦ୍ୱିତୀୟ ଥର ପାଇଁ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବାପା କଳ୍ପତରୁଙ୍କ ସୁଯୋଗ୍ୟ ଉତ୍ତରାଧିକାରୀ ଭାବରେ ପ୍ରଣବ ବିଜେଡି ରାଜନୀତିରେ ନିଜ ଆସ୍ଥାନ ଜମାଇବାରେ ସଫଳ ହୋଇଛନ୍ତି।

ପ୍ରଫୁଲ୍ଲ-ପ୍ରୀତିରଞ୍ଜନ

ବଂଶ ରାଜନୀତିର ଏହା ଆଉ ଏକ ଦୃଷ୍ଟାନ୍ତ। ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ସୁକିନ୍ଦା ବିଧାନସଭା ଆସନରୁ ଲଗାତାର ନିର୍ବାଚନ ଜିତିଛନ୍ତି। ଏହାକୁ ମିଶାଇ ସେ ତିନି ଥର ବିଧାୟକ ହେଲେଣି।

ଅଶୋକ-ପ୍ରଣବ

ଛଅ ଥର କୋରେଇ ଆସନରୁ ବିଧାୟକ ଥିବା ଅଶୋକ ଦାସଙ୍କ ପୁଅ ଯାଜପୁର ଆସନରୁ ଲଢ଼ି ସଫଳ ହୋଇଛନ୍ତି। ସେ ବିଜେଡି ରାଜନୀତିରେ ଜଣେ ପାରଙ୍ଗମ ନେତା ଓ ନବୀନଙ୍କ ଅତି ବିଶ୍ୱସ୍ତ।

ପ୍ରଦୀପ୍ତ-ନିତେଶ

ଦୁଇ ଥର ଦେବଗଡ଼ ଆସନରୁ ବିଧାନସଭା ଆସିଥିବା ନିତେଶ ଗଙ୍ଗଦେବ ଏଥର ସମ୍ବଲପୁର ଲୋକସଭା ଆସନରେ ବିଜେପିରୁ ଲଢ଼ି ନିର୍ବାଚିତ ହୋଇଛନ୍ତି। ବିଜେଡିର ନଳିନୀ ପ୍ରଧାନ ଓ କଂଗ୍ରେସର ଶରତ ପଟ୍ଟନାୟଙ୍କୁ ହରାଇଥିବା ନିତେଶ ହେଉଛନ୍ତି ପୂର୍ବତନ ଦେବଗଡ଼ ବିଧାୟକ ପ୍ରଦୀପ୍ତ ଗଙ୍ଗଦେବଙ୍କ ପୁଅ।

ଶରତ -ପ୍ରତାପ

ବିଜେଡି ରାଜ୍ୟସଭା ସାଂସଦ ପ୍ରତାପ ଦେବ ଯିଏ ଏଥର ଆଳି ଆସନରୁ ଜିତିଛନ୍ତି ସେ ବିଜେଡିର ଜଣେ ଭେଟେରାନ୍ କେବଳ ନୁହନ୍ତି ବାପ ପୁଅ ରାଜନୀତିର ଅଂଶ ବିଶେଷ। ତାଙ୍କ ବାପା ଶରତ ଦେବ ତିନି ଥର ବିଧାନସଭାକୁ ଯାଇଥିଲେ।

କାଳିନ୍ଦୀ-ଚନ୍ଦ୍ରସାରଥୀ

ବିଜେଡିର ଅନ୍ୟତମ ବରିଷ୍ଠ ନେତା ସ୍ୱର୍ଗତ କାଳିନ୍ଦୀ ଚରଣ ବେହେରାଙ୍କ ପୁଅ ଚନ୍ଦ୍ରସାରଥୀ କଟକ ସଦର ଆସନରୁ ଦୁଇଥର ଓ ସାଲେପୁର ଆସନରୁ ଥରେ ଜିତି ବିଧାୟକ ହୋଇଛନ୍ତି।

ପୁଅଙ୍କ ଭଳି ଜାୟା, ପତ୍ନୀ  ମାନେ ମଧ୍ୟ ଓଡ଼ିଶା ରାଜନୀତିରେ ପଶି ବାପା ଓ ସ୍ୱାମୀଙ୍କ ଉତ୍ତରାଧିକାରୀ ସାଜିଛନ୍ତି। ବଲାଙ୍ଗିର ରାଜ ପରିବାର ଏହାର ଦୃଷ୍ଟାନ୍ତ।

Comment