ଓଡ଼ିଶାଲାଇଭ ବ୍ୟୁରୋ

 ରଜ ପର୍ବ କଥା ଉଠିଲେ ଆପେ ଆପେ ମନକୁ ଆସିଯାଏ ଖରା ପଶିପାରୁନଥିବା ଗାଁର ଗହଳିଆ ଆମ୍ବତୋଟା, ବଡ଼ ବଡ଼ ଗଛରେ ଲଗାଯାଉଥିବା ଦୋଳି କଥା। ଓଡ଼ିଶାର ପ୍ରାଚୀନ ଲୋକକଥା ଅନୁସାରେ ଯଦି କେହି ରଜରେ ଦୋଳି ନ ଖେଳନ୍ତି ତା’ ହେଲେ ସେ ପରଜନ୍ମରେ କାଠ ବେଙ୍ଗ ହୋଇ ଜନ୍ମ ନେବେ ବୋଲି ବିଶ୍ୱାସ ରହିଛି। ତେଣୁ କୁମାରୀ ଝିଅଙ୍କଠାରୁ ଆରମ୍ଭ କରି ସମସ୍ତେ ଏହି ସମୟରେ ଦୋଳି ଖେଳର ମଜା ନେଇଥାନ୍ତି।

ଆମ୍ବ ବ୍ୟତୀତ ତେନ୍ତୁଳି, ନିମ୍ବ ପ୍ରଭୃତିଗଛରେ ଦୋଳି ବନ୍ଧାଯାଇଥାଏ। ଛୋଟ ପିଲାମାନଙ୍କ ପାଇଁ ଘରର ବାରଣ୍ଡାରେ ଥିବା ଦୁଇଟି ଖୁଣ୍ଟ ମଧ୍ୟରେ କିମ୍ବା ଦ୍ୱାରବନ୍ଧରେ ଦୋଳି ବନ୍ଧାଯାଏ। ରଜ ତିନି ଦିନ ଭୋରୁ ସକାଳୁ ଉଠି ହଳଦୀ ଲଗାଇ ଗାଧୋଇ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଓ ବେଶଭୂଷା ହୋଇ କୁମାରୀ କନ୍ୟା ମାନେ ପହଞ୍ଚିଯାନ୍ତି ଦୋଳି ପାଖରେ।

ପ୍ରାୟତଃ ଗାଁରେ ଥିବା ସବୁଠୁ ବଡ଼ ବଗିଚାରେ ଦୋଳି ବନ୍ଧାଯାଇଥାଏ। ସେଠି ଥଟ୍ଟାମଜା ହୋଇ ପରସ୍ପରକୁ ଝୁଲାଇଥାନ୍ତି ଝିଅମାନେ। କିଛି ସ୍ଥାନରେ ଝିଅମାନଙ୍କୁ ଶ୍ରଦ୍ଧା ପ୍ରଦର୍ଶନ ସ୍ୱରୂପ ଗାଁର ପୁଅମାନେ ମଧ୍ୟ ସେମାନଙ୍କୁ ଝୁଲାଇବାର କାମ କରିଥାନ୍ତି। ଏହି ଦୋଳି ବିଭିନ୍ନ ପ୍ରକାରର ହୋଇଥାଏ। ଯଥା ଦଉଡ଼ି ଦୋଳି, ପଟା ଦୋଳି, ଚକ୍ରି ଦୋଳି ପ୍ରଭୃତି। ଦଉଡ଼ି ଦୋଳିରେ ଦୁଇଟି ରଶିକୁ ଗଛର ଦୁଇ ପାଶ୍ୱର୍ରେ ଶକ୍ତ କରି ବନ୍ଧାଯାଏ।

ମଝିରେ ତକିଆ ବା ସେପରି କିଛି କପଡ଼ା ପକାଇ ଝିଅମାନେ ଝୁଲନ୍ତି। ପଟା ଦୋଳିରେ କିନ୍ତୁ ଦୁଇଟି ଶକ୍ତ ବାଉଁଶ ଓ ଖଣ୍ଡେ ପଟା ବ୍ୟବହାର କରାଯାଏ। ବାଉଁଶ ଦୁଇଟିକୁ ଗଛରେ ବନ୍ଧା ଯାଉଥିବାବେଳେ ତା’ ମଝିରେ କଣା କରି ସେଥିରେ ପଟାକୁ ଭଲ ଭାବେ ବାନ୍ଧ ଦିଆଯାଏ।

ଏହାକୁ ଏକାଧିକ ଝିଅ ସାଙ୍ଗହୋଇ ଖେଳିଥାନ୍ତି। ଚକ୍ରି ଦୋଳିରେ ଦୁଇଟି ଦଉଡ଼ିକୁ ଚକ୍ରାକାରରେ ବନ୍ଧାଯାଇଥାଏ। ଦୋଳି ଖେଳିବାରେ ଅଭିଜ୍ଞ ଥିବା ଝିଅମାନେ ହିଁ ତାକୁ ଖେଳିଥାନ୍ତି। ଏହି ଦୋଳି ପୁଣି କିଛି ସ୍ଥାନରେ ପାଲଟେ ସମ୍ମାନର ପ୍ରତୀକ। ଗାଁ ଗାଁ ମଧ୍ୟରେ ଦୋଳିଖେଳ ପ୍ରତିଯୋଗିତା ହୁଏ।

ବିଜେତାଙ୍କୁ ଉପହାରରେ ପିଠା ଓ ମିଠା ଦିଆଯାଏ। ବିଶେଷ କରି ଯାଜପୁର ଜିଲ୍ଳାରେ ଏହା ଦେଖିବାକୁ ମିଳେ। ଆଜିକାଲି ଏହି ପରମ୍ପରାକୁ ଅଧିକ ବ୍ୟାପକ କରାଯାଇ ଗାଁର ଆମ୍ବତୋଟାଗୁଡ଼ିକରେ ଲାଇଟ୍ ସଂଯୋଗ କରାଯାଉଛି। ତେଣୁ ରାତିରେ ବି ଜାରି ରହୁଛି ଖେଳ।

ଦିନରେ ଦୋଳି ଖେଳିବାକୁ ଆସିପାରୁନଥିବା ଗାଁର ବୋହୂମାନେ ରାତିରେ ସେଠାକୁ ଆସି ମଉଜ କରୁଛନ୍ତି। ସେହିପରି ରଜ ଦୋଳି ବନ୍ଧାଯାଉଥିବା ସ୍ଥାନରେ ପିଲାମାନଙ୍କ ବହୁଚୋରି, ବୟସ୍କ ଲୋକଙ୍କ ତାସ୍, ଲୁଡୁର ଖେଳ ବି ବେଶ୍ ଜମୁଛି।

Comment