ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ଓଡ଼ିଆମାନଙ୍କର ଗଣପର୍ବ ରଜ। ଆଜି ପହିଲି ରଜ, କାଲି ରଜ ସଂକ୍ରାନ୍ତି। ତିନି ଦିନ ଧରି ଏହି ଗଣପର୍ବ ପାଳିତ ହୁଏ। ରଜରେ ଘରେ ଘରେ ବିଭିନ୍ନ ପ୍ରକାରର ପିଠା ତିଆରି କରାଯାଇଥାଏ। ଖୁସି ମଜାର ଆସର ଜମିଥାଏ। କିନ୍ତୁ ଚଳିତ ବର୍ଷ ରାଜ୍ୟରୁ କରୋନା ସଙ୍କଟ ଟଳି ନଥବାରୁ ଝିଅମାନେ ଘରେ ସଜବାଜ ହୋଇ, ପିଠା ଖାଇ ରଜ ପାଳନ କରୁଛନ୍ତି।

ମନ୍ଦିର ବନ୍ଦ ଥିବାରୁ ଭଗବାନଙ୍କ ଦର୍ଶନ କରିପାରିନାହାନ୍ତି ଭକ୍ତ।  ଘରେ ଘରେ ରଜ ପାଳିତ ହେଉଥିଲେ ମଧ୍ୟ ପୂର୍ବ ଭଳି ରଜର ମଜା ଦେଖିବାକୁ ମିଳିନାହିଁ।ଯଦି କରୋନା ଭଳି ଏକ ବିପଦ ଆଜି ନଥାନ୍ତା ତେବେ ଗାଁରୁ ସହର ଯାଏଁ ସବୁଠି ଧୁମଧାମ୍‌ରେ ରଜ ପାଳନ ହେଉଥାନ୍ତା। ଦୋଳି ଖେଳି, ପିଠା ଖାଇ ମଉଜ କରୁଥାନ୍ତେ ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳର ମଜା ମଧ୍ୟ ହୋଇଥାନ୍ତା।

ସେପଟେ ଗଣପର୍ବ ରଜ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ବସୁଧା, ପ୍ରକୃତି ଓ ନାରୀମାନଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଏହା ଆମର ଅନନ୍ୟ ପରମ୍ପରା। କୋଭିଡ ସଙ୍କଟ ସମୟରେ ପରିବାର ଲୋକଙ୍କ ସହ ଘରେ ରହି ଏହାକୁ ପାଳନ କରନ୍ତୁ। ସମସ୍ତଙ୍କ ସଚେତନତା ଓ ସହଯୋଗ, କୋଭିଡ ଯୁଦ୍ଧରେ ଆମକୁ ନିଶ୍ଚୟ ବିଜୟୀ କରିବ।”

Comment