ଓଡ଼ିଶାଲାଇଭ ବ୍ୟୁରୋ

ମହାନଦୀ କୋଲଫିଲ୍ଡସ ଲିମିଟେଡର (ଏମସିଏଲ) ସିଏମଡି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଭୋଳାନାଥ ଶୁକ୍ଳା। ଶୁକ୍ରବାର ଦିନ ଶ୍ରୀଯୁକ୍ତ ଶୁକ୍ଳା ଏମସିଏଲର ବୁର୍ଲାସ୍ଥିତ ମୁଖ୍ୟାଳୟଠାରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି।

ତାଙ୍କର କୋଇଲା ଉଦ୍ୟୋଗରେ ଦୀର୍ଘ ୩୭ ବର୍ଷର ଅନୁଭୂତି ରହିଛି। ଏମସିଏଲ ଏବେ ସେହି ଅନୁଭୂତିରୁ ଫାଇଦା ହାସଲ କରିବ ବୋଲି ବିଚାର କରାଯାଉଛି।

ଏମସିଏଲର ସିଏମଡି ହେବା ପୂର୍ବରୁ ଶ୍ରୀଯୁକ୍ତ ଶୁକ୍ଳା ଝାଡ଼ଖଣ୍ଡ ରାଞ୍ଚିରେ ଥିବା ମାଇନ ପ୍ଲାନିଙ୍ଗ ଆଣ୍ଡ ଡିଜାଇନ ଇନଷ୍ଟିଚ୍ୟୁଟର ବୈଷୟିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ସେ ମାଇନିଙ୍ଗ ଇଞ୍ଜିନିୟରିଂରେ ଆଇଆଇଟିରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ତାଙ୍କର ଲମ୍ବା କ୍ୟାରିୟର ଭିତରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ସଫଳତା ହାସଲ କରିଛନ୍ତି। ପୂର୍ବରୁ ସେ ତାଳଚେର କୋଲଫିଲ୍ଡସ ଅଧୀନରେ ଥିବା ହିଙ୍ଗୁଳା, ଭରତପୁରର ଏରିଆ ମ୍ୟାନେଜର ଭାବେ କାର୍ଯ୍ୟ କରିଛନ୍ତି।

ଶ୍ରୀଯୁକ୍ତ ଶୁକ୍ଳା ଦାୟିତ୍ୱ ଗ୍ରହଣ ସମୟରେ ଏମସିଏଲର ପରିଚାଳନା ବୋର୍ଡର ବିଭିନ୍ନ ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କମ୍ପାନିର କର୍ମଚାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି।

ଶୁକ୍ଳାଙ୍କ ପୂର୍ବରୁ ଅନିଲ କୁମାର ଝା ଏମସିଏଲର ସିଏମଡି ଥିଲେ। ସେ କୋଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ଏହି ପଦବୀ ଖାଲି ପଡ଼ିଥିଲା।

ଏମସିଏଲ ହେଉଛି ଭାରତର ଏକ ପ୍ରମୁଖ କୋଇଲା ଉତ୍ପାଦନକାରୀ କମ୍ପାନି। ଏହା କୋଲ ଇଣ୍ଡିଆ ଲିମଟେଡର ୮ ସହାୟକ କମ୍ପାନି ମଧ୍ୟରୁ ଗୋଟିଏ। ଓଡ଼ିଶାରେ ଏହାର ବ୍ୟାପକ କାରବାର ରହିଛି। ବିଭିନ୍ନ ଖଣିରୁ କୋଇଲା ଉତ୍ପାଦନ କରି ରାଜ୍ୟ ତଥା ବାହାରର ବିଭନ୍ନ ସରକାରୀ ତଥା ଘରୋଇ ଉଦ୍ୟୋଗକୁ ଏମସିଏଲ କୋଇଲା ଯୋଗାଇ ଆସୁଛି। ବିଶେଷକରି ଓଡ଼ିଶାରେ ଥିବା ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନକାରୀ କମ୍ପାନି ତଥା ଇସ୍ପାତ ଓ ଆଲୁମିନା ଭଳି ଭାରି ଶିଳ୍ପ କ୍ଷେତ୍ରରେ କୋଇଲାର ଯେଉଁ ଆବଶ୍ୟକତା ରହିଛି ତା’ର ଏକ ସିଂହ ଭାବ ଯୋଗାଇଥାଏ ଏମସିଏଲ।

୨୦୧୮-୧୯ ଆର୍ଥିକ ବର୍ଷରେ ଏମ୍‌ସିଏଲ୍‌ ୧୪୪ ମିଲିଅନ ଟନ୍  କୋଇଲା ଉତ୍ପାଦନ କରିଥିଲା। ଚଳିତ ଆର୍ଥିକ ବର୍ଷରେ ୧୬୭ ମିଲିଅନ ଟନ୍ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ଏମ୍‌ସିଏଲ୍‌।

Comment