ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ତିନି ଥର ବିଧାୟକ, ଦୁଇ ଥର ସାଂସଦ ହୋଇଥିବା ଓମ୍ ବିର୍ଲା ମୋଦିଙ୍କ ଭରସା ଜିତିଲେ।

ଲୋକସଭାର ନୂଆ ବାଚସ୍ପତି ହେବେ ଓମ ବିର୍ଲା। ବିଜେପି ନେତୃତ୍ୱାଧୀନ ଏନଡିଏ ତାଙ୍କୁ ପ୍ରାର୍ଥୀ କରିଛି। ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବାକୁ ବିରୋଧୀ ଦଳଙ୍କ ହାତରେ ସଂଖ୍ୟା ବଳ ନଥିବାରୁ ଏନଡିଏ ପ୍ରାର୍ଥୀ ଓମ୍ ନିର୍ଦ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

ତେବେ ଏହି ଓମ୍ ବିର୍ଲା କିଏ ଏବଂ ତାଙ୍କୁ କାହିଁକି ଏନଡିଏ ବାଚସ୍ପତି ପ୍ରାର୍ଥୀ କଲା ଜାଣନ୍ତୁ ଏହି ରିପୋର୍ଟରୁ।

କାହିଁକି ଓମ୍ ପ୍ରକାଶ ହେଲେ ବାଚସ୍ପତି ପ୍ରାର୍ଥୀ?

ମୋଦି ସରକାର ପାର୍ଟ-୨ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଲୋକସଭାରେ ବାଚସ୍ପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଏହି ପଦ ପାଇଁ ବିଜେପିର ଅନେକ ବରିଷ୍ଠ ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲା। ହେଲେ ଏହି ଚର୍ଚ୍ଚାର ଅନ୍ତ ଘଟାଇ ରେସ୍‌ରେ ନଥିବା ରାଜସ୍ଥାନ କୋଟା ନିର୍ବାଚନମଣ୍ଡଳୀର ସାଂସଦ ଓମ୍ ବିର୍ଲାଙ୍କୁ ବାଚସ୍ପତି ପ୍ରାର୍ଥୀ କରିଛି ଏନଡିଏ।

ଓମ୍ ବିର୍ଲା ଲୋକସଭାକୁ ମାତ୍ର ଦୁଇ ଥର ନିର୍ବାଚିତ ହୋଇଛନ୍ତି। ହେଲେ ରାଜସ୍ଥାନ ରାଜନୀତିରେ ତାଙ୍କର ଦବ୍‌ଦବା ରହିଛି। ସେ ରାଜସ୍ଥାନ ସରକାରରେ ସଂସଦୀୟ ସଚିବ ରହିବା ସହ ବିଭିନ୍ନ ସଂସଦୀୟ କମିଟିର ସଦସ୍ୟ ରହିଥିଲେ। ବିଜେପିର ଶୀର୍ଷ ନେତାମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ମଧ୍ୟ ରହିଛି। ଏଣୁ ମୋଦି-ଶାହ ଯୋଡ଼ି ଓମ୍‌ଙ୍କୁ ବାଚସ୍ପତି ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।

୨୦୧୪ରେ ସାଂସଦ

୧୯୬୨ରେ ଜନ୍ମ ଗ୍ରହଣ କରିଥିବା ଓମ୍ ବିର୍ଲା ୨୦୧୪ରେ ପ୍ରଥମଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୩ରେ ସେ ତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ସାଂସଦ ହେବା ପୂର୍ବରୁ ଓମ୍‌ ୨୦୦୩, ୨୦୦୮, ୨୦୧୩ରେ କୋଟା ବିଧାନସଭା ଆସନରୁ ବିଧାୟକ ହୋଇଥିଲେ।

୨୦୧୪ ନିର୍ବାଚନରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାସହ ସେ ବିଭିନ୍ନ କମିଟିର ସଦସ୍ୟ ରହିଥିଲେ।

ରାଜସ୍ଥାନ ସରକାରଙ୍କ ସଂସଦୀୟ ସଚିବ ଥିବା ବେଳେ ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ଅର୍ଥ ମନ୍ତ୍ରାଳୟ ତରଫରୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ନିୟମ କରିଥିଲେ। ସେହିପରି କୋଟାରେ ବନ୍ୟା ସମୟରେ ସେ ଖୁବ ସକ୍ରୀୟ ଭାବେ କାମ କରିଥିଲେ। ୨୦୦୪ ସାଧାରଣତନ୍ତ୍ର ଦିବସ ଅବସରରେ ୧୫ ହଜାରରୁ ଅଧିକ ଅଧିକାରୀଙ୍କୁ ସମ୍ମାନିତ କରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ।

Comment