ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ୍ ବିଶ୍ଵକପ ୨୬ତମ ମ୍ୟାଚରେ ଅଷ୍ଟ୍ରେଲିଆ ବାଂଲାଦେଶକୁ ୪୮ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ୩୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବାଂଲାଦେଶ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୩୩୩ ରନ କରିବାକୁ ସକ୍ଷମ ହୋଇଥିଲା। ମୁସାଫିକର ରହିମଙ୍କ ଶତକ ସତ୍ତ୍ଵେ ଦଳ ବିଜୟ ଲକ୍ଷ୍ୟ ପୂରଣ କରିପାରିନଥିଲା।

ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବା ଅଷ୍ଟ୍ରଲିଆ ଦଳ ୫୦ ଓଭରରେ ୫ ଓ୍ଵିକେଟ ହରାଇ ୩୮୧ ରନର ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ଉପରକ୍ରମର ୫ଜଣ ବ୍ୟାଟ୍ସମ୍ୟାନ ଉନ୍ନତ ପ୍ରଦର୍ଶନ କରିଥିଲେ। ପ୍ରଥମେ ଦୁଇ ଓପନର ଡେଭିଡ ଓ୍ଵାର୍ନର ଓ ଆରୋନ ଫିଞ୍ଚ ଦଳକୁ ଭଲ ଆରମ୍ଭ ଦେଇଥିଲେ। ୨୦ ଓଭରରେ ଦଳୀୟ ସ୍କୋର ୧୨୧ ହୋଇଥିବା ବେଳେ ଫିଞ୍ଚ ୫୩ରନ କରି ସୌମ୍ୟ ସରକାରଙ୍କ ଶିକାର ହୋଇଥିଲେ।

ପରେ ଓ୍ଵାର୍ନରଙ୍କ ସହ ଉସମାନ ଖାଓ୍ଵଜା ଏକ ବୃହତ ଭାଗିଦାରୀ କରିଥିଲେ। ଦଳୀୟ ସ୍କୋର ୩୧୩ ହୋଇଥିବା ଓ୍ଵାର୍ନର ୧୬୬ ରନ କରି ପାଭିଲିୟନ ଫେରିଯାଇଥିଲେ। ଦ୍ଵିତୀୟ ଓ୍ଵିକେଟରେ ଗ୍ଲେନ ମକ୍ସଓ୍ଵେଲ ଖଓ୍ଵାଜାଙ୍କ ସହ ଯୋଗ ଦେଇ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶେଷ ମୁହୂର୍ତ୍ତରେ ମାକ୍ସଓ୍ଵେଲଙ୍କ ବିସ୍ଫୋରକ ୧୦ବଲରୁ ୩୨ ରନ ଓ ଖଓ୍ଵାଜାଙ୍କ ୮୯ରନ ଦଳକୁ ୩୮୧ରନ କରିବାରେ ସାହାଯ୍ୟ କରିଥିଲା।

ଦ୍ଵିତୀୟ ଇଂନିସରେ ୩୮୨ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ବାଂଲାଦେଶ ଦଳକୁ ତୃତୀୟ ଓଭରରେ ହିଁ ଝଟକା ଲାଗିଥିଲା। ଦଳୀୟ ସ୍କୋର ୨୩ ହୋଇଥିବା ବେଳେ ସୌମ୍ୟ ସରକାର ୧୦ ରନ କରି ପାଭିଲିୟନ ଫେରିଯାଇଥିଲେ। ପ୍ରଥମ ଓ୍ଵିକେଟରେ ସାକିବ ଅଲ ହାସନ ଯୋଗ ଦେଇ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ମାତ୍ର ସେ ମଧ୍ୟ ବେଶୀ ସମୟ ତିଷ୍ଠି ପାରିନଥିଲେ ଦଳୀୟ ସ୍କୋର ୧୦୨ ହୋଇଥିବା ବେଳେ ସାକିବ ମଧ୍ୟ ଆଉଟ ହୋଇଯାଇଥିଲେ। ପରେ ମହମ୍ମଦଉହ୍ଲା ପଞ୍ଚମ ଓ୍ଵିକେଟରେ ଓପନର ତାମିମ୍ ଇକବାଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ।

ମହମ୍ମଦଉହ୍ଲା ୬୯ରନରେ ଆଉଟ ହେବାପରେ ତାମିମ ଇକବାଲ ଏକାକି ଦଳକୁ ୩୩୩ ରନ ପଯ୍ୟନ୍ତ ନେଇଥିଲେ। ଆରମ୍ଭରୁ ଶେଷ ପଯ୍ୟନ୍ତ ଲଢ଼େଇ କରିଥିବା ତାମିମ ଇକବାଲ ନଟ୍ ଆଉଟ୍ ରହି ବ୍ୟକ୍ତିଗତ ୧୦୧ରନ କରିଥିଲେ, ହେଲେ ନିର୍ଦ୍ଧାରିତ ୫୦ ଓଭରରେ ଦଳ ବିଜୟ ଲକ୍ଷ୍ୟ ପୂରଣ କରିନପାରି ପରାଜୟର ଶିକାର ହୋଇଥିଲା। ଏହି ମ୍ୟାଚରେ ବିଜୟୀ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଡେଭିଡ ଓ୍ଵାର୍ନର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Comment