ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ଵକପର ଶନିବାର ଭାରତ-ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ୧୧ ରନରେ ବିଜୟଲାଭ କରିଛି। ୨୨୫ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ୪୯.୫ ଓଭରରେ ୨୧୩ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଆଫଗାନିସ୍ତାନ ଏହି ମ୍ୟାଚରେ ଭାରତକୁ କଡା ଟକ୍କର ଦେଇଥିଲା। ମହମ୍ମଦ ନବି ଶେଷ ସମୟ ପର୍ଯ୍ୟନ୍ତ ଭାରତୀୟ ବୋଲରଙ୍କ ନିଦ ହଜାଇଥିଲେ। ମାତ୍ର ଶେଷ ଓଭରରେ ମହମ୍ମଦ ସାମିଙ୍କ ହାଟ୍ରିକ ଓ୍ଵିକେଟ ଭାରତକୁ ବିଜୟୀ କରାଇଥିଲା।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଉତ୍ତମ ପ୍ରଦର୍ଶନ କରିପାରିନଥିଲେ। ୪.୨ ଓଭରରେ ଦଳ ରୋହିତ ଶର୍ମାଙ୍କ ଓ୍ଵିକେଟ ହରାଇଥିଲା। ପରେ ଲୋକେଶ ରାହୁଲଙ୍କ ସହ ବିରାଟ କୋହଲି ଏକ ଉତ୍ତମ ଭାଗିଦାରୀ ହୋଇଥିଲା। ଦଳ ୧୪ ଓଭରରେ ୬୪ ରନ୍‌ କରିଥିବା ବେଳେ ମହମ୍ମଦ ନବିଙ୍କ ବୋଲିଂରେ ଘାଇଲା ହୋଇ ରାହୁଲ ପାଭିଲିୟନ ଫେରିଥିଲେ। ପରେ ବିରାଟ କୋହଲି ଓ କେଦାର ଯାଦବ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଟିମ୍‌ ଇଣ୍ଡିଆ ପକ୍ଷରୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସନ୍ତୋଷଜନକ ପ୍ରଦର୍ଶନ କରିପାରିନଥିଲେ। ଫଳରେ ଦଳ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୨୪ ରନ ସଂଗ୍ରହ କରିଥିଲା।

୨୨୫ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଆଫଗାନିସ୍ତାନ ଦଳ ମାତ୍ର ୨୦ରନରେ ତାର ପ୍ରଥମ ତାର ପ୍ରଥମ ଓ୍ଵିକେଟ ହରାଇଥିଲା। ଏହାପରେ କୌଣସି ବି ବ୍ୟାଟ୍ସମ୍ୟାନ ବେଶି ସମୟ ତିଷ୍ଠି ପାରିନଥିଲେ। ହେଲେ ଚତୁର୍ଥ ଓ୍ଵିକେଟରେ ମହମ୍ମଦ ନବି ଯୋଗ ଦେଇ ଦଳକୁ ବିଜୟ କରାଇବାର ଆଶା ଦେଇଥିଲେ।

ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିବା ନବି ଭାରତୀୟ ବୋଲଙ୍କ ନିଦ ହଜାଇ ଦେଇଥିଲେ। ଆଫଗାନିସ୍ତାନକୁ ଜିତିବାକୁ ଶେଷ ୬ଟି ବଲରେ ୧୨ ରନ ଆବଶ୍ୟକ ହେଉଥିବା ବେଳେ ମହମ୍ମଦ ସାମିଙ୍କ ଚତୁର୍ଥ ବଲରେ ନବି ଲଙ୍ଗ୍‌ ଅନ୍‌ରେ କ୍ୟାଚ ଆଉଟ ହୋଇଥିଲେ। ପରେ ଶେଷ ଦୁଇଟି ବଲରେ ଦୁଇଟି ଓ୍ଵିକେଟ ନେଇ ବିଶ୍ଵକପରେ ହାଟ୍ରିକ ସଫଳତା ହାସଲ କରିବା ସହ ଭାରତକୁ ବିଜୟୀ କରାଇଥିଲେ। ଭାରତ ପକ୍ଷରୁ ୧୦ ଓଭର ବୋଲିଂ କରି ୩୯ ରନ ଦେଇ ୨ ଓ୍ଵିକେଟ ହାସଲ କରିଥିବା ଜସପ୍ରିତ୍‌ ବୁମରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Comment