ଓଡ଼ିଶାଲାଇଭ୍ ବ୍ୟୁରୋ

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ମହାପ୍ରୟାଣ ନ ମିଳିବାରୁ ଖଟିଆରେ ବୁହା ହେଲା ଶବ।

କନ୍ଧମାଳ, ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ମହାପ୍ରୟାଣ ଗାଡ଼ି ଅଭାବରୁ ଖଟିଆରେ ଶବ ବୁହା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଦାରିଙ୍ଗିବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଦୁଇ ଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ଦୁଇଜଣ ଡାକ୍ତର ବ୍ଲକ ପବ୍ଲିକ ଅଫିସର ଜୟପାଲ ସେନାପତି ଓ ମେଡିକାଲ ଅଫିସର ତାପସ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ ମିଳିବା ପରେ ତୁରନ୍ତ ସ୍ପଷ୍ଟିକରଣ ଦେବାକୁ କୁହାଯାଇଛି।

ଏହାସହ ସିଡିଏମଓ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଆଟେନଡାଣ୍ଟ ନିରାକାର ବେହେରାଙ୍କୁ ବହିଷ୍କୃତ କରିଥିଲେ। ଏହି ଘଟଣାରେ ଜଣେ ନର୍ସକୁ ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ନୋଟିସରେ ଉଲ୍ଲେଖ କରାଯାଇଛି, “ଯଦି ମେଡିକାଲ କାର୍ଯ୍ୟରେ ନିୟୋଜିତ ଅଧିକାରୀ, ଯିଏ ରୋଗୀକୁ ମୃତ ଘୋଷିତ କରିଥାଏ। ତେବେ ସେ ଶବର ପରିବହନ ପାଇଁ ମହାପ୍ରୟାଣ କିମ୍ଵା ଅନ୍ୟ କୌଣସି ଗାଡ଼ିର ବ୍ୟବସ୍ଥା କରିବା ଉଚିତ। ଯଦି କେହି ସାହାଯ୍ୟ ନ କରନ୍ତି ତେବେ ସେ ସିଡିଏମଓ, ଜିଲ୍ଲାପାଳଙ୍କୁ ଏ ବିଷୟରେ ଅଭିଯୋଗ କରିପାରିବେ।’’

Comment