ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ରୋଗୀଙ୍କ ବିଷୟରେ ପଚାରିବାକୁ ଆସିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ହାଲ୍‌ଚାଲ୍ ଜାଣିବାକୁ ବୈଠକ ଡାକିଥିଲେ। କିନ୍ତୁ ବୈଠକ ଚାଲୁଥିବା ବେଳେ ନିଜେ ଅଧିକାରୀ ଶୋଇ ପଡିଲେ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରୋଗୀ କଲ୍ୟାଣ ସମିତି ବୈଠକରେ।

ଖୋଦ୍‌ ଜିଲ୍ଲା ସହକାରୀ ମେଡିକାଲ ଅଫିସର୍(ଏଡିଏମ୍ଓ,ପିଏଚ୍) ବୈଠକରେ ଶୋଇଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏବେ ଏହାର ଏକ ଭିଡିଓ ଭାଇରାଲ ହୋଇଛି।

ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ କାର୍ଯ୍ୟକ୍ରମରେ ଶନିବାର ଓଡ଼ିଆ ବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ରୋଗୀ କଲ୍ୟାଣ ସମିତି ବୈଠକ ବସିଥିଲା।

ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥାନ୍ତା। ରୋଗୀ ସୁବିଧା ପାଉଛନ୍ତି କି ନାହିଁ, ଆବଶ୍ୟକ ମୁତାବକ ଔଷଧ  ରହିଛି ନା ନାହିଁ, ପ୍ରତିଦିନ କେତେ ରୋଗୀ ଏଠାକୁ ଆସୁଛନ୍ତି, ସେମାନଙ୍କୁ କି ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି, ଏସବୁ ବିଷୟରେ ଅଲୋଚନା କରାଯାଇଥାନ୍ତା।

ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର କମିଟି ମଧ୍ୟ ଉପସ୍ଥିତ ରହିଥିଲେ। କିନ୍ତୁ ବୈଠକ ଡାକି ନିଜେ ଶୋଇ ପଡିଲେ ଏଡିଏମ୍ଓ। ତାଙ୍କର ଏଭଳି ଅବସ୍ଥାକୁ ଦେଖି ସେଠାରେ ଥିବା ଅନ୍ୟ ସଦସ୍ୟମାନେ ବିରକ୍ତଭାବ ପ୍ରକାଶ କରିଥିଲେ। ପରେ ଏ ନେଇ ଏଡିଏମ୍ଓଙ୍କ ଏକ ଶୋଇବା ଭିଡିଓ ଭାଇରାଲ୍ ହୋଇଥିବାର ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଏଡିଏମ୍ଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Comment