ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଆଖିରେ ରଖି ବିଜେପି ଏବେଠାରୁ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଓଡ଼ିଶାରେ ଭୋଟ ଅଂଶକୁ ବଢାଇବା ଉଦ୍ଦେଶ୍ୟ ନେଇ ଦଳ ପକ୍ଷରୁ ସାନି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ଦଳ।

ଆଗାମୀ ୫ ବର୍ଷ ମଧ୍ୟରେ ଯେତେ ଅଧିକ ସଭ୍ୟ ସଂଗ୍ରହ ହୋଇପାରିବେ ବିଜେପି ତାହା କରିବା ପାଇଁ ପ୍ରସ୍ତୁତ ହେଉଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା ଅନୁଯାୟୀ ଏଥର ବିଜେପି ବିଧାନସଭା ନିର୍ବାଚନରେ ପ୍ରାୟ ଏକ କୋଟି ଭୋଟ ପାଇଥିଲା।

ଯଦି ୨୦୨୪ରେ ଦଳ ସରକାର ଗଢ଼ିବ ନିହାତି ଦେଢ଼ କୋଟି ଭୋଟ ଆବଶ୍ୟକ। ସଭ୍ୟ ସଂଗ୍ରହ ବେଳେ ଏହି ଟାର୍ଗେଟକୁ ଆଗରେ ରଖି କାର୍ଯ୍ୟ କରୁଥିବା କଥା ଧର୍ମେନ୍ଦ୍ର କହିଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବା ଅବସରରେ ଧର୍ମେନ୍ଦ୍ର ୫୦ ଲକ୍ଷ ସଭ୍ୟ ସଂଗ୍ରହର ଟାର୍ଗେଟ କର୍ମୀ ମାନଙ୍କୁ ଦେଇଛନ୍ତି।ରାଜ୍ୟର ୩୬ ହଜାର ବୁଥକୁ ହିସାବରେ ରଖି ଧର୍ମେନ୍ଦ୍ର ଏହା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୫ରେ ସଭ୍ୟ ସଂଗ୍ରହ ବେଳେ ବିଜେପି ୩୬ ଲକ୍ଷ ସଦସ୍ୟଙ୍କୁ ହାତେଇ ପାରିଥିଲା। ଏଣୁ ଏଥର ନିହାତି କମରେ ୨୦ ପ୍ରତିଶତ ଅଭିବୃଦ୍ଧି ହେବା ଜରୁରୀ ବୋଲି ନେତା ମାନେ ଚିନ୍ତା କରି ଦେଖିଛନ୍ତି। ସଭ୍ୟ ସଂଗ୍ରହ ବେଳେ ମୋଦି ସରକାରର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ବୁଝାଇବା ପାଇଁ ମଧ୍ୟ ଧର୍ମେନ୍ଦ୍ର କର୍ମୀଙ୍କୁ ଆହ୍ୱାନ ଦେଇଥିଲେ।

୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଘୋଷଣା କରିଛନ୍ତି ତା ସହିତ ପାନୀୟ ଜଳଯୋଗାଣ ଓ ସବୁ ଘରକୁ ବିଜୁଳି କଥା ମଧ୍ୟ ଘୋଷଣା କରାଯାଇଛି। ଏହି ସବୁ ଜନ ହିତକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଜରିଆରେ ନୂଆ ସଦସ୍ୟଙ୍କ ପାଖରେ ପହଁଞ୍ଚିବାର ଲକ୍ଷ୍ୟ ବିଜେପି ପକ୍ଷରୁ ସ୍ଥିର ହୋଇଛି। ନିକଟ ବଜେଟରେ ବୁଲା ବିକାଳୀଙ୍କ ପାଇଁ ଯେଉଁ ସବୁ ସୁବିଧା ଉପଲବ୍ଧ କରାଇବା ପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି ସେ ସବୁକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମଧ୍ୟ ବିଜେପି ଯୋଜନା କରିଛି।

ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ସହିତ ବିଜେପି ପକ୍ଷରୁ ଜନ ସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିନ ମଧ୍ୟ ପାଳନ କରାଯାଇଛି। ପ୍ରଥମ ଦିନରେ ଛଅ ଜଣ ସଦସ୍ୟ ଦଳରେ ସାମିଲ ହୋଇଥିଲେ।ବିଜେପିର ସଭ୍ୟ ସଂଗ୍ରହ ଅନଲାଇନ ଓ ଅଫଳାଇନ ଉଭୟ ଭାବରେ ହୋଇପାରିବ। ଯେଉଁମାନେ ବିଜେପିର ପ୍ରାଥମିକ ସଦସ୍ୟ ହେବା ପାଇଁ ଚାହିଁବେ ସେମାନେ 8980808080ରେ ମିସ କଲ ଦେଇପାରିବେ। ତେବେ ନୂଆ ସଭ୍ୟ ସଂଗ୍ରହ ବେଳେ ଦଳ ଯୁବକ ଓ ମହିଳାଙ୍କ ଉପରେ ଗୁରୁତ୍ୱ ପ୍ରଦାନ କରିବ।

 

Comment