ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ବେଳକୁ ବେଳ ଘନେଇବାରେ ଲାଗିଛି। ଇତିମଧ୍ୟରେ ଜନତା ଦଳ ଏସ ଓ କଂଗ୍ରେସର ୧୪ ଜଣ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।

ଦଳ ବଦଳକୁ ବିଜେପି ଉତ୍ସାହିତ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ବିଧାୟକ ମାନଙ୍କୁ ମୁମ୍ବାଇ ନେଇଯିବା ପଛରେ ବିଜେପିର ପୂରା ହାତ ରହିଛି।

ଲୋକସଭା ନିର୍ବାଚନ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ଘରୋଇ ଗସ୍ତରେ ଆମେରିକା ଯାଇଥିବା ବେଳେ ଏହି ନାଟକ ଆରମ୍ଭ ହୋଇଛି। କଂଗ୍ରେସ ମୁଖ୍ୟ ଗୁଣ୍ଡୁ ରାଓ ମଧ୍ୟ ବିଦେଶ ଗସ୍ତରେ ଯାଇଛନ୍ତି। ଉଭୟେ ନିଜ ଛୁଟିକୁ ସଂକ୍ଷିପ୍ତ କରି ବେଙ୍ଗାଲୁରୁ ଫେରୁଛନ୍ତି।ତେବେ ଜୁଲାଇ ୧୨ ତାରିଖ ସୁଦ୍ଧା କର୍ଣ୍ଣାଟକର ରାଜନୈତିକ ଚିତ୍ର ସ୍ପଷ୍ଟ ହେବା ଆଶା କରାଯାଉଛି।

ସୋମବାର ଦିନ ପ୍ରଥମେ ଦୁଇ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ। ପରେ ପରେ ଶନିବାର ଦିନ ଉଭୟ ମେଣ୍ଟ ଦଳର ଆଉ ୧୨ ବିଧାୟକ ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରି ମୁମ୍ବାଇ ଚାଲି ଯାଇଥିଲେ। ଯଦି ରାଜ୍ୟପାଳ ଏହି ୧୪ ବିଧାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନିଅନ୍ତି ବିଧାନସଭାରେ  କୁମାରସ୍ୱାମୀ ସରକାରର ସଂଖ୍ୟା ହ୍ରାସ ପାଇବ।

ଇସ୍ତଫା ନାଟକ ପୂର୍ବରୁ କଂଗ୍ରେସ ଓ ଜେଡିୟୁର ୧୧୮ ବିଧାୟକ ଥିଲେ ଓ ବିଜେପିର ସଦସ୍ୟ ସଂଖ୍ୟା ଥିଲା ୧୦୫। ଏବେ ୧୪ ଜଣ ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ୱାମୀ ସରକାର ପଛରେ  ମାତ୍ର ୧୦୪ ବିଧାୟକଙ୍କ ସମର୍ଥନ ରହିଲା।କର୍ଣ୍ଣାଟକରେ ସରକାର ଗଠନ କରିବାକୁ ହେଲେ ୧୦୬ ବିଧାୟକଙ୍କ ସମର୍ଥନ ଦରକାର।

ଇସ୍ତଫା ପତ୍ର ଦାଖଲ କରିଥିବା ବିଧାୟକଙ୍କୁ ଯଦି ବାଦ ଦିଆଯାଏ ବିଜେପି ୧୦୫ ସଦସ୍ୟଙ୍କ ବଳରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିବ।ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଆଶାୟୀ ଏଡିୟୁରପ୍ପା  ଆଗରୁ କହିଥିଲେ ଯେ ଲୋକସଭା ନିର୍ବାଚନ ପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବା ସୁନିଶ୍ଚିତ।ତାହାହିଁ ଏବେ ଦେଖାଯାଉଛି।

Comment