ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ବେଳେ ପୁରୀ ସହର କେତେ ସୁରକ୍ଷିତ? ଏହା ସୋମବାର ରାତିରେ ସ୍ପଷ୍ଟ ପ୍ରମାଣିତ ହୋଇଛି। ରଥଯାତ୍ରା ପାଇଁ ପୁରୀ ସହରରେ ପୋଲିସ ଛାଉଣୀ ହୋଇଥିବା ବେଳେ ଜଣେ ଆଦିବାସୀ ନାବାଳିକାକୁ ବସ୍ ଭିତରେ ଦୁଷ୍କର୍ମ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛି। କେବଳ ପୋଲିସ ପ୍ରଶାସନ ନୁହେଁ, ବସ୍ ମାଲିକ ଏବଂ କର୍ମଚାରୀ ସଂଘର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠିଛି।

ଗୁଣ୍ଡିଚା ମନ୍ଦିର ପାଖ ବସ୍ ଷ୍ଟାଣ୍ଡରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେଲେ, ଅଥଚ କେହି ଜାଣି ପାରିଲେ ନାହିଁ ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି।

ଏବେ ରଥଯାତ୍ରାର ସମୟ। ହଜାର ହଜାର ଲୋକ ପୁରୀର ବିଭିନ୍ନ ହୋଟେଲ ଏବଂ ଲଜରେ ରହିଛନ୍ତି। ମହାପ୍ରଭୁ ଜଗନ୍ନାଥ ଏବେ ଗୁଣ୍ଡିଚା ମନ୍ଦିରରେ ଅଛନ୍ତି। ରଥଯାତ୍ରା ପାଇଁ ପ୍ରାୟ ୧୦ ହଜାର ପୋଲିସ ମୁତୟନ ହୋଇଥିବା ବେଳେ ବିଭିନ୍ନ ସମ୍ବେଦନଶୀଳ ଛକ ସିସିଟିଭି ନଜରରେ ରହିଛି। ସବୁଠୁ ବଡ଼ କଥା ହେଉଛି, ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଥିବାରୁ ଏଠାରେ କଡ଼ା ପୋଲିସ ପହରା ରହିଛି। ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ବସ୍ ଭିତରେ କେମିତି ଦୁଷ୍କର୍ମ ହେଲା ତାହା ହିଁ ବଡ଼ ପ୍ରଶ୍ନ।

ଗତ ସୋମବାର ରାତିରେ କେନ୍ଦୁଝରର ଜଣେ ନାବାଳିକା ପୁରୀ ଆସୁଥିଲେ। କେନ୍ଦୁଝରର ଜଣେ ଆଦିବାସୀ ନାବାଳିକା ପୁରୀ ମାଳତୀପାଟପୁର ଅଞ୍ଚଳରେ ଜଣକ ଘରେ କାମ କରୁଥିଲେ। ସେ ସୋମବାର ରାତିରେ କେନ୍ଦୁଝରରୁ ପୁରୀକୁ ଆସୁଥିଲେ। କେନ୍ଦୁଝରରୁ ବସ୍‌ରେ ଆସି କଟକରେ ଓହ୍ଲାଇଥିଲେ। କଟକରୁ ଆଉ ଗୋଟିଏ ବସ୍‌ରେ ପୁରୀ ଆସୁଥିଲେ। ସେ ମାଳତୀପାଟପୁରରେ ବସ୍‌ରୁ ଓହ୍ଲାଇବା କଥା। କିନ୍ତୁ ବସ୍‌ରେ ଶୋଇ ପଡ଼ିଥିବାରୁ ସେ ପୁରୀ ବସ୍‌ ଷ୍ଟାଣ୍ଡରେ ଓହ୍ଲାଇଥିଲେ।

ରାତି ଅଧିକ ହୋଇ ଯାଇଥିବାରୁ ସେ ପୁରୀ ବସ୍‌ ଷ୍ଟାଣ୍ଡରୁ ମାଳତୀପାଟପୁର କେମିତି ଆସିବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ। ଏହି ସମୟରେ ବସ୍ ହେଲପର ନାବାଳିକାଙ୍କୁ ବସ୍‌ରେ ରହିବଯିବାକୁ କହିଥିଲା। ହେଲପର କଥା ଶୁଣି ସେ ବସ୍‌ରେ ରାତିରେ ରହିଥିଲେ। କିନ୍ତୁ ଏକୁଟିଆ ପାଇ ହେଲପର ତାଙ୍କୁ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ପୁରୀ କୁମ୍ଭାରପଡ଼ା ଥାନାରେ ବୁଧବାର ସକାଳେ ଏତଲା ଦେଇଥିଲେ। ପୋଲିସ ତଦନ୍ତ କରି ବସ୍‌ ହେଲପରକୁ ଗିରଫ କରିଛି।

ରଥଯାତ୍ରା ବେଳେ ଗୁଣ୍ଡିଚା ମନ୍ଦିର ବସ୍‌ ଷ୍ଟାଣ୍ଡରେ ଏତେବଡ଼ ଘଟଣା ଘଟିଗଲା। ହେଲପର ମଧ୍ୟ ଗିରଫ ହୋଇଛି। ହେଲେ ବସ୍ ମାଲିକ କିମ୍ବା କର୍ମଚାରୀ ସଂଘ ଏନେଇ ମୁହଁ ନଖୋଲିବା ଆଲୋଡ଼ନ ସୃଷ୍ଟି କରିଛି।

‘‘ପୁରୀରେ ରଥଯାତ୍ରା ପାଇଁ ରାଜ୍ୟ ସରକାର ୧୦ ହଜାର ପୋଲିସ ମୁତୟନ କରିଛନ୍ତି। ହେଲେ ବସ୍ ଭିତରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଗଲା ଏବଂ ତାହା କେମିତି କେହି ଜାଣି ପାରିଲେ ନାହିଁ? ରାଜ୍ୟ ସରକାର ଘଟଣାର ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ’’, ଏହା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘‘ନବୀନ ବାବୁ ମହିଳା ଏବଂ ଆଦିବାସୀଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରିଛନ୍ତି। ବାରମ୍ବାର ଏଭଳି ଲଜ୍ଜାଜନକ ଘଟଣା ଘଟୁଥିଲେ ମଧ୍ୟ ଏଦିଗରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି।’’

ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ‘‘ଗଣମାଧ୍ୟମରୁ ଏ ସମ୍ପର୍କରେ ଖବର ପାଇବା ପରେ ଆମ ବିଭାଗ ତରଫରୁ ତଦନ୍ତ ଆରମ୍ଭ ହୋଇଛି। ପୋଲିସକୁ ସବୁ ପ୍ରକାର ସହଯୋଗ ଆମ ବିଭାଗ ତରଫରୁ ଯୋଗାଇ ଦିଆଯିବ।’’

Comment