ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକ ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମ ପ୍ରସ୍ତୁତ
  • ବୁଧବାର ରାଜ୍ୟପାଳ କରିବେ ଉଦଘାଟନ
  • ୨୨ ତାରିଖ ଯାଏଁ ଚାଲିବ ଏହି ଚାମ୍ପିଅନ୍‌ସିପ୍‌
  • କଟକ-ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କଟକ : ବୁଧବାରଠାରୁ କଟକ ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମଠାରେ ଆରମ୍ଭ ହେବାକୁ ଯାଉଛି ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରତିତିଯୋଗିତାକୁ ଉଦଘାଟନ କରିବେ।

ରାଜ୍ୟ କ୍ରୀଡ଼ା ବିଭାଗ, ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ, ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ସଂଘ, ରାଜ୍ୟ ଟେବୁଲ୍ ଟେନିସ୍ ସଂଘର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହିବେ। ଉଦଘାଟନୀ ଉତ୍ସବ ପରେ ପ୍ରତିଯୋଗିତା ଆରମ୍ଭ ହେବ। ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଇଭେଣ୍ଟ ଖେଳାଯିବ।

ଏଥିରେ ପୁରୁଷ ଟିମ୍ ଇଭେଣ୍ଟ୍(ହୋମ୍ ଆସୋସିଏସନ୍ସ କପ୍‌), ମହିଳା ଟିମ୍ ଇଭେଣ୍ଟ(ଇଣ୍ଡିଆ କପ୍), ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟ(ସିଙ୍ଗାପୁର କପ୍‌), ମହିଳା ସିଙ୍ଗିଲ୍ସ ଇଭେଣ୍ଟ(ଓସେନିଆ କପ୍‌), ପୁରୁଷ ଡବଲ୍ସ(ହଙ୍ଗ୍‌କଙ୍ଗ୍‌ କପ୍‌), ମହିଳା ଡବଲ୍ସ(କାନାଡା କପ୍‌), ମିକ୍ସ ଡବଲ୍ସ(ଗର୍ନସି କପ୍‌) ରହିଛି।

ସମସ୍ତ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ପର୍ଯ୍ୟାୟକ୍ରମେ କଟକ ଆସି ଖେଳାଳିମାନେ ଉଭୟ ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମ୍ ଏବଂ ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ୍ ତେନ୍ଦୁଲକର ଇନଡୋର ହଲରେ ଅଭ୍ୟାସ କରିଛନ୍ତି।

ସକାଳ ୧୦ଟା ପରେ ପ୍ରଥମେ ୱେଲ୍ସ ଏବଂ ସାଇପ୍ରସ୍ ଟିମ୍‌ ସଚିନ ତେନ୍ଦୁଲକର ଇନଡୋର ହଲରେ ଅଭ୍ୟାସ କରିଥିଲେ। ପରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ମାଲେସିଆ, ସିଙ୍ଗାପୋର ଟିମ୍ ଅଭ୍ୟାସ କରିଥିଲେ।

ସେହିପରି ଅପରାହ୍‌ଣରେ ଭାରତର କିଛି ଖେଳାଳି ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମ୍ରେ ଅଭ୍ୟାସ କରିଥିଲେ। ଏଥିରେ ଭାରତୀୟ ମହିଳା ଟେବୁଲ୍ ଟେନିସ୍ ତାରକା ମନିକା ବାତ୍ରା, ମାନବ ଠକ୍କର, ଅର୍ଚ୍ଚନା କମାଥ୍, ଆହ୍ୟିକା ମୁଖାର୍ଜୀ ପ୍ରମୁଖ ସାମିଲ୍ ଥିଲେ।

ଉଭୟ ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମ୍ ଏବଂ ସଚିନ୍ ତେନ୍ଦୁଲକର ଇନଡୋର ହଲରେ ପୋଲିସ୍ ମୁତୟନ କରାଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛି।

ଭୁବନେଶ୍ୱର କମିସନରେଟ୍ ପୋଲିସ୍ ଖେଳାଳିଙ୍କ ନେବା ଆଣିବା ଦାୟିତ୍ୱରେ ରହିବ। ଖେଳାଳିମାନେ ଆସୁଥିବା ବସ୍‌କୁ ସୁରକ୍ଷା ବଳୟରେ ଆଣି କଟକରେ ଛଡାଯିବ। କଟକ କମିସନରେଟ୍ ପୋଲିସ୍ ତରଫରୁ ଫୁଲନଖରାଠାରୁ ଶିଖରପୁର ଏବଂ ଶିଖରପୁରଠାରୁ ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମ୍ ପର୍ଯ୍ୟନ୍ତ ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡି କରାଯିବ। ଏହି ରାସ୍ତାରେ ବ୍ୟାପକ ପୋଲିସ୍ ମୁତୟନ କରାଯିବ।

୨ଜଣ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୧୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜିତ ହେବେ। ସକାଳ ୬ରୁ ୨ଟା ଏବଂ ଅପରାହ୍ଣ ୨ ରୁ ରାତି ୧୧ଟା ପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ଡ୍ୟୁଟି କରାଯିବ। ଡିସିପି ଅଖିଳେଶ୍ୱର ସିଂହ ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱରେ ରହିବେ। ଷ୍ଟାଡିୟମ୍ ଭିତରେ ସିଭିଲ ଡ୍ରେସରେ ପୋଲିସ୍ ନିୟୋଜିତ ରହିବେ। ଏହାସହ ଷ୍ଟାଡିୟମ୍ର ପ୍ରବେଶ ପଥରେ ମେଟାଲ୍ ଡିଟେକ୍ଟର ବ୍ୟବସ୍ଥା କରାଯିବ।

ଭାରତ ପାଇଁ ସିଙ୍ଗାପୋର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଟିମ୍ ଇଭେଣ୍ଟର ପ୍ରତିଯୋଗିତା ପାଇଁ ଆଜି ୧୨ଟି ଟିମ୍‌କୁ ନେଇ ଲଟେରି ଡ୍ର’ କରାଯାଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ୪ଟି ଲେଖାଏଁ ଗ୍ରୁପ୍‌କରାଯାଇଛି। ଉଭୟ ବର୍ଗରେ ଭାରତ ଗ୍ରୁପ୍‌-ବି’ରେ ସ୍ଥାନ ପାଇଛି। ପୁରୁଷ ବର୍ଗରେ ଗ୍ରୁପ୍‌ ଲିଗରେ ଭାରତ ଶକ୍ତିଶାଳୀ ସିଙ୍ଗାପୋର ଏବଂ ସ୍କଟଲାଣ୍ଡକୁ ଭେଟିବ।

ସେହିପରି ମହିଳା ବର୍ଗର ଗ୍ରୁପ୍‌-ବି’ରେ ଭାରତ ସହିତ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ରହିଛନ୍ତି।

ପୁରୁଷ ଗ୍ରୁପ୍‌-ଏ’ରେ ଇଂଲଣ୍ଡ, ଶ୍ରୀଲଙ୍କା,ସାଇପ୍ରସ୍, ଗ୍ରୁପ୍‌-ସି’ରେ ନାଇଜେରିଆ, ମାଲେସିଆ, ବାଂଲାଦେଶ, ଗ୍ରୁପ୍‌-ଡି’ରେ ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା ଓ ୱେଲସ୍ ରହିଛନ୍ତି।

ମହିଳା ଗ୍ରୁପ୍‌-ଏ’ରେ ସିଙ୍ଗାପୋର, ୱେଲ୍ସ,ସ୍କଟଲାଣ୍ଡ, ଗ୍ରୁପ୍‌-ସି’ରେ ଅଷ୍ଟ୍ରେଲିଆ, ମାଲେସିଆ, ସାଇପ୍ରସ୍, ଗ୍ରୁପ୍‌-ଡି’ରେ ନାଇଜେରିଆ, ଇଂଲଣ୍ଡ, ବାଂଲାଦେଶ ରହିଛନ୍ତି।

ପ୍ରତି ଗ୍ରୁପରୁ ଦୁଇଟି ଲେଖାଏଁ ଦଳ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବେ। ଏଣୁ ଭାରତ ପାଇଁ ଯଥେଷ୍ଟ ଭଲ ସୁଯୋଗ ରହିଛି। ଭାରତ ଯଦି କେବଳ ସ୍କଟଲାଣ୍ଡକୁ ହରାଇପାରୁଛି ତେବେ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବ।

Comment