ଓଡ଼ିଶାଲାଇଭ ବ୍ୟୁରୋ

ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଥିଲା। ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ ଏହି ମାମଲାର ଶୁଣାଣି କରି କୁଳଭୂଷଣଙ୍କ ମୃତ୍ୟୁ ଦଣ୍ଡ ଉପରେ ରୋକ ଲଗାଇଛନ୍ତି।

ହେଲେ ଆପଣ ଜାଣିଛନ୍ତି କି ଏହି କେସରେ ଭାରତ ଓ ପାକିସ୍ତାନ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?

                ହରିଶ ସାଲଭେ

ଏହି ମାମଲାରେ ଭାରତର ପ୍ରିତିନିଧିତ୍ୱ କରୁଛନ୍ତି ବରିଷ୍ଠ ଓକିଲ ହରିଶ ସାଲଭେ। ଏହି କେସରେ ଲଢ଼ିବା ପାଇଁ ସେ ମାତ୍ର ୧ ଟଙ୍କା ନେଉଛନ୍ତି।

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ୨୦୧୭, ମେ ୧୫ରେ ଟୁଇଟ କରିଥିଲେ। ଏଥିରେ ସେ ସାଲଭେ ଏହି କେସ୍ ପାଇଁ କେତେ ଟଙ୍କା ଚାର୍ଜ କରୁଛନ୍ତି ସେ ସଂପର୍କରେ ଖୁଲାସା କରିଥିଲେ।  ଗୋଟିଏ କେସରେ ଦିନକୁ  ୩୦ ଲକ୍ଷ ଟଙ୍କା ଚାର୍ଜ କରୁଥିବା ସାଲଭେ ଏହି କେସ ଲଢ଼ିବା ପାଇ ୧ ଟଙ୍କା ଚାର୍ଜ କରିଥିବା ଟୁଇଟରେ କୁହାଯାଇଥିଲା।

         ଖାଓ୍ୱର କୁରୈଶୀ

ସେପଟେ ପାକିସ୍ତାନ କିନ୍ତୁ କୁଳଭୂଷଣଙ୍କୁ ଗୁପ୍ତଚର ପ୍ରମାଣିତ କରିବା ପାଇଁ ଓକିଲଙ୍କୁ କୋଟି କୋଟି ଟଙ୍କା ଦେଉଛି। ଅର୍ଥାତ ପାକିସ୍ତାନର ପ୍ରତିନଧିତ୍ୱ କରୁଥିବା ଖାଓ୍ୱର କୁରୈଶୀ ଏହି କେସ ପାଇଁ ୨୦ କୋଟିରୁ ଅଧିକ ଟଙ୍କା ନେଉଛନ୍ତି।

୨୦୧୮ରେ ପାକିସ୍ତାନ ସରକାର ସଂସଦରେ ବଜେଟ ଉପସ୍ଥାପନ କରିବା ସମୟରେ ଆଇସିଜେରେ କୁଳଭୂଷଣଙ୍କ ବିରୋଧରେ କେସ୍ ଲଢ଼ିବାକୁ କୁରୈଶୀଙ୍କୁ ୨୦ କୋଟି ଟଙ୍କା ଦିଆଯାଇଥିବା କହିଥିଲା।

କେମ୍ବ୍ରିଜ ୟୁନିଭର୍ସିଟିରେ ଲ’ରେ ସ୍ନାତକ ହାସଲ କରିଥିବା କୁରୈଶୀ ଆଇସିଜେରେ ସବୁଠୁ କମ୍ ବୟସର ଓକିଲ।

କିଏ କୁଳଭୂଷଣ?

୪୭ ବର୍ଷିୟ କୁଳଭୂଷଣ ଯାଦବ ହେଉଛନ୍ତି ଭାରତୀୟ ନୌସେନାର ଅବସରପ୍ରାପ୍ତ ଅଧିକାରୀ। ନିଜ ବ୍ୟବସାୟରେ  କୁଳଭୂଷଣ ଇରାନ ଯାଇଥିବା ବେଳେ ୨୦୧୬ ମସିହାରେ ପାକିସ୍ତାନ ଗୁଇନ୍ଦା ବିଭାଗ ତାଙ୍କୁ ଅପହରଣ କରିଥିଲା। ଏହାପରେ ଗୁଇନ୍ଦାଗିରି ତଥା ଜାସୁସ୍‌ ଭଳି ମିଥ୍ୟା ଅଭିଯୋଗ ଲଗାଇ ଏପ୍ରିଲ ୨୦୧୭ରେ ପାକିସ୍ତାନ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା। କିନ୍ତୁ ଏହାକୁ ବିରୋଧ କରି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସର ଦ୍ୱାରସ୍ଥ ହୋଇଥିଲା ଭାରତ। ବର୍ତ୍ତମାନ ଏହି ମାମଲାରେ ଭାରତକୁ ବଡ଼ ସଫଳତା ମିଳିଛି।

Comment