ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ମହାଯୁଦ୍ଧ ଶେଷ ହେବା ପରେ ଏବେ ଫଳାଫଳ ଉପରେ ନଜର।

ଆଉ ଗୋଟିଏ ଦିନ ପରେ ବାହାରିବ ପାଟକୁରା ମହାଯୁଦ୍ଧର ଫଳାଫଳ। ଏହି ମହାଯୁଦ୍ଧରେ ପାଟକୁରାରର ପୁରୁଖା ନେତା ବିଜୟ ମହାପାତ୍ର ନା ବିଜେଡି ଜିତିବ ତାକୁ ନେଇ ସବୁଠି ଚାଲିଛି ଗଣିତ କଷା। ପାଟକୁରାରେ ବିଜୟ ବନାମ ନବୀନ ସିଧାସଳଖ ଲଢ଼େଇ ହୋଇଥିବାରୁ ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି।

୨୦୧୯ରେ ଓଡ଼ିଶାବାସୀ ପାଟକୁରାରେ ଦେଖିଥିଲେ ହାଇଭୋଲଟେଜ ନିର୍ବାଚନ ପ୍ରଚାର। ଗତ ବିଧାନସଭା ନିର୍ବାଚନଠୁ ବଳି ଯାଇଥିଲା ପାଟକୁରା ଭୋଟ ପ୍ରଚାର। ମାଳ ମାଳ ନତା ପାଟକୁରାରେ ଡେରା ପକାଇଥିଲେ। ସାଧାରଣ ନିର୍ବାଚନ ଭଳି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାଇଟେକ୍ ବସ୍‌ରେ ବସି ପ୍ରଚାର କରିଥିଲେ। ପ୍ରଚାର ପରେ ଗତ ୨୦ ତାରିଖରେ ଭୋଟ ହୋଇଛି। ୨୪ରେ ଫଳାଫଳ ଜଣାପଡ଼ିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସିଟ୍‌କୁ କିଏ ଜିତିବ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ବିଜୟ ବନାମ ନବୀନ

ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭିତରେ ଲଢ଼େଇ କିଛି ନୂଆ କଥା ନୁହେଁ। ଗତ ୧୯ ବର୍ଷ ହେଲା ଏହି ଲଢ଼େଇ ଚାଲିଛି। ବିଜେଡିରୁ ବିଦା ହେବା ପରେ ବିଜୟ କ୍ଷମତାଠାରୁ ଦୂରରେ ରହିଛନ୍ତି। ଏହି ୧୯ ବର୍ଷ ଭିତରେ ବିଜୟ ଓ ନବୀନଙ୍କୁ ନେଇ ଅନେକ ରୋଚକ ରାଜନୀତି ଦେଖିଛନ୍ତି ଓଡ଼ିଶାବାସୀ। ନବୀନଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିଜୟ ସାମ୍ବାଦିକ ସମ୍ମିଳନୀ କରି କଟାକ୍ଷ କରିଛନ୍ତି। ନବୀନଙ୍କ ଶିବିରରୁ ମଧ୍ୟ ବିଜୟଙ୍କୁ ଜବାବ ଦିଆଯାଇଛି।

ହେଲେ ୧୯ ବର୍ଷ ଭିତରେ କେବେ ବିଜୟ ଓ ନବୀନଙ୍କ ଭିତରେ ଖେୁଲମଖୁଲା ଯୁଦ୍ଧ ଦେଖି ନଥିଲେ ଓଡ଼ିଶାବାସୀ। ପୂର୍ବରୁ ଦୁଇଟି ନିର୍ବାଚନରେ ବିଜୟ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଏବଂ ନବୀନ ବିଜୟଙ୍କ ବିପକ୍ଷରେ ପ୍ରଚାର କରିଥିଲେ। ହେଲେ ଏଥର ନିର୍ବାଚନ କିନ୍ତୁ ଭିନ୍ନ ଥିଲା। ସାଧାରଣ ନିର୍ବାଚନ ଶେଷ ହେବା ପରେ କେବଳ ପାଟକୁରାରେ ଭୋଟ ହୋଇଥିବାରୁ ନବୀନଙ୍କ ଶିବିର ଏହାକୁ ଗୁରୁତର ସହ ନେଇଥିଲେ ଏବଂ ବିଜୟଙ୍କୁ ଚେକ୍ ଦେବା ପାଇଁ ପାଟକୁରାରେ ସମରସଜା କରିଥିଲେ।

କେବଳ ବିଜୟଙ୍କ ପାଇଁ ପାଟକୁରାର ପ୍ରତି ଗାଁରେ ବିଜେଡିର ନେତା ମନ୍ତ୍ରୀ ଡେରା ପକାଇଥିଲେ। ଏହାସହ ପ୍ରଚାର ଶେଷର ଦିନକ ପୂର୍ବରୁ ନିଜେ ନବୀନ ମଧ୍ୟ ପାଟକୁରା ମଇଦାନକୁ ଓହ୍ଲାଇ ରାଜନୀତିକୁ ଆହୁରି ସରଗରମ କରିଥିଲେ। ଗୋଟିଏ ଦିନରେ ତିନୋଟି ବ୍ଳକର ବିଭିନ୍ନ ପଞ୍ଚାୟତ ବୁଲି ନବୀନ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

ନେଇ ନଥିଲେ ବିଜୟଙ୍କ ନାଁ

‘‘ମତେ ଆଶୀର୍ବାଦ କରନ୍ତୁ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗୱାଲାଙ୍କୁ ଭୋଟ ଦିଅନ୍ତୁ। ପାଟକୁରା କଥା ମୁଁ ବୁଝିବି’’, ଏହା କହିଥିଲେ ନବୀନ।

ବିଜୟଙ୍କୁ ଚେକ୍ ଦେବା ପାଇଁ ପାଟକୁରାରେ ବିଜେଡି ସମରସଜ୍ଜା କରିଥିଲେ ମଧ୍ୟ ନବୀନ ପ୍ରଚାର ବେଳେ ବିଜୟଙ୍କ ନାଁ ନେଇ ନଥିଲେ। ବିଜୟ ବିମ୍ବା ବିଜେପି ବିରୋଧରେ ପଦେ ବି କହି ନଥିଲେ। ଏଭଳି ପ୍ରଚାର କରି ନବୀନ ମାଇଣ୍ଡ ଗେମ୍ ଖେଳିଥିବା ଚର୍ଚ୍ଚା ହେଉଛି।

ଅନୁକମ୍ପା ଭୋଟ ଉପରେ ନଜର

ଲଗାତାର ୪ ଥର ପାଟକୁରାର ବିଧାୟକ ରହିଥିବା ବିଜୟ ମହାପାତ୍ର ୧୯ ବର୍ଷ ହେଲା କ୍ଷମତାରୁ ଦୂରରେ ରହିଛନ୍ତି। ଗତ ୨୦୦୯ରେ ବିଜୟ ପାଟକୁରାରେ ନିର୍ବାଚନ ଲଢ଼ି ବିଫଳ ହେବା ପରେ ୨୦୧୪ରେ ମହାକାଳପଡ଼ା ଯାଇଥିଲେ। ସେଠି ପରାଜିତ ହେବାରୁ ୨୦୧୯ରେ ପୁଣି ପାଟକୁରା ଆସିଥିଲେ। ପାଟକୁରା ସହ ବିଜୟଙ୍କର ପୁରୁଣା ସମ୍ପର୍କ ଥିବାରୁ ଏବଂ ଏହି ଲଢ଼େଇ ତାଙ୍କ ପାଇଁ ଶେଷ ସୁଯୋଗ ହୋଇଥିବାରୁ ବିଜୟ ଅନୁକମ୍ପା ଭୋଟ ଉପରେ ନଜର ରଖିଥିଲେ।

ଏପଟେ ବିଜୟଙ୍କ ଅନୁକମ୍ପା ଭୋଟକୁ କାଉଣ୍ଟର କରିବା ପାଇଁ ବିଜେଡି ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୯ ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ବେଦପ୍ରକାଶଙ୍କ ଦେହାନ୍ତ ହୋଇଥିବାରୁ ପୁଅ ସଞ୍ଜୟ ଅଗ୍ରୱାଲାଙ୍କ ବଦଳରେ ସାବିତ୍ରୀଙ୍କ ଉପରେ ଅଧିକ ଭରସା କରିଥିଲା ଦଳ।

ଅନୁକମ୍ପା ଭୋଟ ଏବଂ ନବୀନଙ୍କ ଲୋକପ୍ରିୟତା ଆଧାରରେ ବିଜେଡି ପାଟକୁରା ଦଖଲ କରିବାକୁ ଗୋଟି ଚାଳନା କରିଥିଲା। ତେବେ ଅଭିଜ୍ଞ ବିଜୟଙ୍କ ରଣନୀତି ଆଗରେ ବିଜେଡିର ଗୋଟି କେତେଦୂର କାମ କରୁଛି ତା’ ଉପରେ ନଜର ରହିଛି।

ଏପଟେ ବିଜୟ ୨୦୦୯ରେ ପାଟକୁରାରେ ପରାଜିତ ହେବା ପରେ ୨୦୧୪ରେ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିଲେ। ମହାକାଳପଡ଼ାରେ ପରାଜିତ ହେବା ପରେ ଏଥର ବିଜୟ ପୁଣି ପାଟକୁରାରେ ଫେରିଥିଲେ। ବାରମ୍ବାର ଆସନ ଅଦଳ ବଦଳ ମଧ୍ୟ ବିଜୟଙ୍କ ପାଇଁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି। ଏସବୁ ସତ୍ତ୍ୱେ ପାଟକୁରାର ସଚେତକ ଭୋଟର କାହାକୁ ଇଭିଏମରେ ଅଧିକ ଅନୁକମ୍ପା ଭୋଟ ଦେଇଛନ୍ତି ତାହା ୨୪ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରି ଦେଖିବାକୁ ପଡ଼ିବ।

କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ଲୋକସଭା ଏବଂ ପାଟକୁରା ବିଧାନସଭା ଆସନ ଉଭୟ ବିଜେଡି ଏବଂ ବିଜେପି ପାଇଁ ସମ୍ମାନଜନକ ଆସନ ହୋଇଥିଲା। ଲୋକସଭା ଆସନରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ହୋଇଥିବାରୁ ବିଜେଡି ଏବଂ ବିଜେପି ପାଇଁ ‘କର ବା ମର’ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବୈଜୟନ୍ତଙ୍କୁ ଚେକ୍ ଦେବା ପାଇଁ ବିଜେଡିର ପୂରା ଟିମ୍ କେନ୍ଦ୍ରାପଡ଼ାରେ ଡେରା ପକାଇବା ସହ ନିଜେ ନବୀନ ଗୋଟିଏ ରାତି ରହି ପ୍ରଚାର କରିଥିଲେ। ଶେଷରେ ବୈଜୟନ୍ତଙ୍କୁ ପରାଜିତ ହେବାକୁ ପଡ଼ିଥିଲା।

ଏବେ ପାଟକୁରାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡ଼ା ଲୋକସଭା ସିଟ୍ ପରି ପାଟକୁରା ଆସନ ମଧ୍ୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିଲା। ଗତ ଲୋକସଭା ନିର୍ବାଚନ ପରି ପାଟକୁରାରେ ମଧ୍ୟ ଶାସକ ଦଳ ଜୋରଦାର କସରତ କରିଥିଲା। ଏସବୁ ସତ୍ତ୍ୱେ କାହାର ବିଜୟ ପାଟକୁରାରେ ହେଉଛି ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

Comment