ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର କିଛି ଜିଲ୍ଲାପାଳମାନେ ଅଚାନକ ସ୍କୁଲ ଗସ୍ତ କରି ପିଲାଙ୍କୁ ପାଠ ପଢ଼ାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଏକ ନୂଆ ରୂପରେ ଦେଖିବାକୁ ମିଳିଥିଲେ। କାଦୁଅ ବିଲରେ ପଶି ଜିଲ୍ଲାପାଳ ଚାଷୀମାନଙ୍କ ସହ ମିଶି ଧାନ ତଳି ରୋଉଥିବା ଦେଖିବାକୁ ମିଳିଛି।

ଜିଲ୍ଲାପାଳ ଆଜି ଖଲ୍ଲିକୋଟ ବ୍ଲକର ମଥୁରା ପଞ୍ଚାୟତର ଭରସା ଗ୍ରାମରେ ଧାଡ଼ିରୁଆ ଧାନ ଦେଖିବାକୁ ଯାଇଥିଲେ। ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ଏହି ଗାଁର ୫୦ ହେକ୍ଟର ଚାଷଜମିରେ ଧାଡ଼ିରୁଆ ପାଇଁ ସହାୟତା ପ୍ରଦାନ କରାଯାଇଥିଲା। ଏହାର ଅନୁଧ୍ୟାନ ପାଇଁ ଯାଇଥିଲେ ଜିଲ୍ଲାପାଳ।

ଜୋତା ହିଡ଼ରେ ରଖି ଜିଲ୍ଲାପାଳ କାଦୁଅ ବିଲରେ ପଶିଥିଲେ। ବିଲରେ କାମ କରୁଥିବା ଚାଷୀଙ୍କ ସହ ଆଲୋଚନା କରିବା ପରେ ହାତରେ ଧାନ ତଳି ଧରି ରୋଇବାକୁ ଲାଗିଲେ। କାଦୁଅ ବିଲରେ ଧାନ ତଳି ରୋଇବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Comment