ଓଡ଼ିଶାଲାଇଭ୍ ବ୍ୟୁରୋ

  • ‘‘ମୁଁ ମୋ ପସନ୍ଦର ଜୀବନସାଥୀ ପାଇଛି।’’
  • ‘‘ଠିକ୍ ସମୟରେ ଆମେ ବିବାହ କରିବୁ।’’
  • ‘‘ଆଗକୁ ସମଲିଙ୍ଗୀ ବିବାହକୁ ସ୍ଵୀକୃତି ମିଳିବ ବୋଲି ମୋର ବିଶ୍ଵାସ’’

‘‘ପୁଅଙ୍କ ପାଇଁ ନୁହେଁ, ମୁଁ ଝିଅଙ୍କ ପାଇଁ ଆକର୍ଷିତ’’, ଓଡ଼ିଶାଲାଇଭ୍‌କୁ ଏହା କହିଛନ୍ତି କ୍ରୀଡ଼ାବିତ୍ ଦୂତୀ ଚାନ୍ଦ।

କିଛି ଦିନ ତଳେ ଦୂତୀଙ୍କର ସମଲିଙ୍ଗୀ ସମ୍ପର୍କକୁ ନେଇ ବିବାଦ ଉଠିଥିଲା। ଏହାପରେ ସେ ଗଣମାଧ୍ୟମରେ ନିଜର ପ୍ରେମ ସମ୍ପର୍କ ସପକ୍ଷରେ ମୁହଁ ଖୋଲି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏବେ ପୁଣି ଦୂତୀ ନିଜ ସମଲିଙ୍ଗୀ ସମ୍ପର୍କ ବାବଦରେ ଏକ ନୂଆ ମତ ଦେଇଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

‘‘ମତେ ଅନେକ ପୁଅ ପ୍ରପୋଜ୍ କରିଥିଲେ। ମାତ୍ର କେବେ ହେଲେ ପୁଅମାନଙ୍କ ପାଇଁ ମୋର ଆକର୍ଷଣ ନଥିଲା। ସେଥିପାଇଁ ମୁଁ ଜଣେ ଝିଅକୁ ମୋର ଜୀବନସାଥୀ ରୂପେ ବାଛିଛି’’, ଓଡ଼ିଶାଲାଇଭ୍‌କୁ ମନ କଥା ଖୋଲି କହିଛନ୍ତି ଦୂତୀ।

ବର୍ତ୍ତମାନ ଆମ ଦେଶରେ ଦୁଇ ସମଲିଙ୍ଗୀ ଏକାଠି ରହିବା ଉପରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। ତେବେ ସମଲିଙ୍ଗୀ ବିବାହ ଆଇନତଃ ସ୍ୱୀକୃତ ନୁହେଁ। ଏ ପ୍ରସଙ୍ଗରେ ଦୂତୀ କହିଛନ୍ତି, ‘‘ମୋର ଆଶା, ଖୁବ୍ ଶୀଘ୍ର ଭାରତ ସରକାର ଏହି ସମଲିଙ୍ଗୀ ବିବାହକୁ ବୈଧ କରିବା ପାଇଁ ପଦକ୍ଷେପ ନେବେ।’’

‘‘ମୁଁ ଜୀବନରେ ଏମିତି ଜଣେ ସାଥୀ ଖୋଜୁଥିଲି, ଯିଏକି ମୋ ମନକଥା ବୁଝିବ। ମୋର ସୁଖରେ ଦୁଃଖରେ ମୋ ସହିତ ରହିବ। ମତେ ମୋର ସାଥୀ ମିଳିଯାଇଛି। ଠିକଣା ସମୟରେ ମୁଁ ତାଙ୍କୁ ସମ୍ନାକୁ ଆଣିବି। ଠିକ୍ ସମୟରେ ଆମେ ବିବାହ କରିବୁ’’, ସବୁ କଳ୍ପନା ଜଳ୍ପନାର ଉତ୍ତର ଦେଇ ଏକଥା କହିଛନ୍ତି ଦୂତୀ।

ଗଣମାଧ୍ୟମ ସାମ୍ନାରେ ସେ କାହିଁକି ତାଙ୍କର ପାର୍ଟନରଙ୍କୁ ଆଣୁ ନାହାନ୍ତି ବୋଲି ଅତୀତରେ ଦୂତୀଙ୍କୁ ବାରମ୍ବାର ପ୍ରଶ୍ନ କରାଯାଇଛି। ଓଡ଼ିଶାଲାଇଭ୍ ସହ କଥାବାର୍ତ୍ତା ବେଳେ ଏହାର ସିଧାସଳଖ ଉତ୍ତର ଦେଇ କହିଛନ୍ତି ଯେ, ତାଙ୍କ ସାଥୀ ବର୍ତ୍ତମାନ ପାଠପଢ଼ୁଛନ୍ତି। ତେଣୁ ସେ ତାଙ୍କୁ ଏବେ ସର୍ବସମ୍ମୁଖକୁ ଆଣିବାକୁ ଚାହୁଁ ନାହାନ୍ତି।

ଦୂତୀ ଅଧିକ ବିବାଦରେ ନ ଫସି ନିଜର କ୍ୟାରିୟର୍ ଉପରେ ଫୋକସ୍ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସେ ଟୋକିଓ ଅଲିମ୍ପିକ୍ ଓ ୨୦୧୯ ଅକ୍ଟୋବରରେ ହେବାକୁ ଥିବା ୱାର୍ଲଡ ଚାମ୍ପିୟନସିପ୍‌ରେ ପାଇଁ ପ୍ରସ୍ତୁତି କରୁଛନ୍ତି।

ଭାରତର ଦୌଡ଼ରାଣୀ ଭାବେ ପରିଚିତ ଦୂତୀ ଚାନ୍ଦ ୨୦୧୮ ମସିହାରେ ଏସିଆନ୍ ଗେମ୍ସରେ ଦୁଇ ଦୁଇଟି ସିଲଭର୍ ମେଡାଲ ପାଇ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ। ସେହିପରି ନିକଟରେ ହୋଇଥିବା ୱାର୍ଲଡ ୟୁନିଭର୍ସିଟି ଗେମ୍ସରେ ସ୍ୱର୍ଣ୍ଣ ଜିତି ସେ ଭାରତ ପାଇଁ ଗୌରବ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here