ଓଡ଼ିଶାଲାଇଭ୍ ବ୍ୟୁରୋ

ନିଆଳି, ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ ସର୍ବାଧିକ।

କଟକ: କେଉଁଠି ଛାତ ଫାଟି ଆଁ କରିଛି ତ’ କେଉଁଠି ପିଲରରୁ ଅତଡ଼ା ଖସୁଛି। ସେମିତି କିଛି ସ୍ଥାନରେ ଗଛଲତା ମାଡ଼ିଯାଇ କାନ୍ଥ ଢଳିରହିଛି। ଏଭଳି କିଛି ବିପଦଜନକ ସ୍ଥିତିରେ ପାଠ ପଢୁଛନ୍ତି ପ୍ରାୟ ପାଞ୍ଚ ହଜାରରୁ ଅଧିକ ଛାତ୍ରଛାତ୍ରୀ। କଟକ ଜିଲ୍ଲାର ମୋଟ ୬୮ସ୍କୁଲର ଏଭଳି ଅବସ୍ଥାକୁ ନେଇ ଉଦବେଗ ପ୍ରକାଶ ପାଇଛି।

‘ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ’ ସ୍ଲୋଗାନ୍ ଦେଇ ସର୍ବଶିକ୍ଷା ଅଭିଯାନ ସାରା ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ସରକାରୀ ସ୍କୁଲର ସୁବିଧା ସୁଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।

ସର୍ବଶିକ୍ଷା ଅଭିଯାନର ବାସ୍ତବ ଚିତ୍ର ବେଶ୍ ଦୁର୍ବିସହ କହିଲେ ଭୁଲ ହେବନାହିଁ। କେଉଁ ଗାଁ ଗଣ୍ଡାରେ ନୁହେଁ, ବରଂ କଟକ ଜିଲ୍ଲାରେ ଏହାର ସ୍ଥିତି ଦୁର୍ବଳ ହୋଇପଡିଛି। ଶିକ୍ଷାବ୍ୟବସ୍ଥାରେ ସୁଧାର ଆଣିବା ପୂର୍ବରୁ ଭିତ୍ତିଭୂମି କ୍ଷେତ୍ରରେ ସରକାରଙ୍କ ଗୁରୁତ୍ୱାରୋପ ନାହିଁ କହିଲେ ଚଳେ।

ଭିତ୍ତିଭୂମିର ଏଭଳି ବିପର୍ଯ୍ୟସ୍ତ ଚିତ୍ର କଟକ ଜିଲ୍ଲାରେ ଦେଖିବାକୁ ମିଳିଛି। ନିଜସ୍ୱ ସ୍କୁଲ ଘର ନଥିବାରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରାଥମିକ ସ୍କୁଲ ଭାବେ ବ୍ୟବହାର କରାଯାଉଛି। ଏହାର ସଂଖ୍ୟା ଶତାଧିକ ରହିଥିବା ବେଳେ ତନ୍ମଧ୍ୟରୁ ୬୮ଟି ସ୍କୁଲର ସ୍ଥିତାବସ୍ଥା ଅତ୍ୟନ୍ତ ଦୁର୍ବଳ।

ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତାଙ୍କ ତରଫରୁ ଏ ସଂକ୍ରାନ୍ତରେ ଏକ ସର୍ଭେ କରାଯାଇଥିଲା। କଟକର ବିଭିନ୍ନ ବ୍ଲକର ମୋଟ ୬୮ଟି ସ୍କୁଲକୁ ବିପଦଜନକ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତନ୍ମଧ୍ୟରେ ସର୍ବାଧିକ ନିଆଳି ଓ ନିଶ୍ଚିନ୍ତକୋଇଲି ବ୍ଲକରେ ଚିହ୍ନଟ କରାଯାଇଛି।

ଉଭୟ ବ୍ଲକରେ ୧୬ଟି ଲେଖାଏଁ ସ୍କୁଲ ତଥା ବାତ୍ୟା ଆଶ୍ରୟସ୍ଥଳିକୁ ବିପଦଜନକ ବୋଲି ରିପୋର୍ଟ କହିଛି। ସେହିପରି ସାଲେପୁରରେ ୧୪ଟି, ଟାଙ୍ଗୀ-ଚୌଦ୍ୱାରରେ ୫ଟି, ଆଠଗଡରେ ୫ଟି, କଟକ ସଦରରେ ୮ଟି ସ୍କୁଲ ରହିଛି। ସେହିପରି କଣ୍ଟାପଡା, ଡମପଡା, ମାହାଙ୍ଗା ଓ ବାଙ୍କୀରେ ଗୋଟିଏ ଲେଖାଏଁ ସ୍କୁଲ ରହିଛି।

ସ୍କୁଲ ସମ୍ବନ୍ଧୀୟ ବୈଷୟିକ କମିଟିର ରିପୋର୍ଟକୁ ଅତି ଗୁରୁତର ସହ ନେଇ ଡିପିସି ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯଥାଶୀଘ୍ର ସ୍କୁଲଗୁଡିକର ସ୍ଥିତାବସ୍ଥା ଯାଞ୍ଚ୍ କରି ରିପୋର୍ଟ ଦେବା ପାଇଁ କୁହାଯାଇଛି।

Comment