ଓଡ଼ିଶାଲାଇଭ ବ୍ୟୁରୋ

ରାଜଧାନୀରେ ଅପରାଧିଙ୍କ ପରେ ଏବେ ମାତିଛନ୍ତି ବଞ୍ଜାରା। ବାବା ବେଶରେ ଆସି ହାତ ଦେଖିବା, ଗ୍ରହ ମୁଦି ଓ ଡେଉଁରିଆ ଦେବା ନାଁରେ ଲୁଟି ନେଉଛନ୍ତି ଟଙ୍କା ଓ ସୁନା। ଏମିତି ଘଟଣା ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ଵର ଅଞ୍ଚଳରେ ଘଟିଛି। ଲୁଟର ଶିକାର ହୋଇଥିବା ଲୋକମାନେ ଅଭିଯୋଗ କରିବା ପରେ ପୋଲିସ ସ୍ଵତନ୍ତ୍ର ପେଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କରିଛି।

ଗତ ଶନିବାର ବିଡିଏ କଲୋନିର ସମରେନ୍ଦ୍ର ସାହୁଙ୍କ ନିକଟକୁ ଜଣେ ଲୋକ ବାବା ବେଶରେ ଆସି ଶନିଦଶା ସମାଧାନ ପାଇଁ ତାଙ୍କୁ ବିଭୂତି ଦେଇଥିଲା। ପରେ ଘରେ ଏକୁଟିଆ ଥିବା ଦେଖି ସିନ୍ଦୁର ଲଗାଇବା ବାହାନାରେ କ୍ଲୋରଫମ୍ ଶୁଙ୍ଘାଇ ଦେଇଥିଲେ। ସେ ଅଚେତ ହେବା ପରେ ଲୁଟେରା ତାଙ୍କ ଘରୁ ୩୦ହଜାର ଟଙ୍କା ଓ ସୁନା ମୁଦି ନେଇ ପଳାଇଥିଲା।

ସେହିଭଳି କିଛିଦିନ ପୂର୍ବରୁ ଶୈଳଶ୍ରୀ ବିହାରରୁ ମୋନାଲିସା ବିନ୍ଧାଣିଙ୍କ ଘରୁ ଜଣେ ବଞ୍ଜାରା ୨୦ ହଜାର ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ। ଆଜି ପୁଣି ମଞ୍ଚେଶ୍ଵର ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ବ୍ୟବସାୟ ଭଲ ହେବା ନେଇ ଜଣେ ଲୋକ ତାଙ୍କୁ ରୁଦ୍ରାକ୍ଷ ସହ ରୁପା ମୁଦି ପୂଜା କରି ଦେଇଥିଲେ। ପରେ ତାଙ୍କୁ ଝୁଣା ଧୂପରେ କିଛି ମିଶାଇ ବେହୋସ କରିଦେଇ ୭ହଜାର ଟଙ୍କା ଲୁଟି ନେଇଥିଲେ।

ତେବେ ଏତେ ସବୁ ଘଟଣା ଘଟିବା ପରେ ଏବେ ପୋଲିସ ସଜାଗ ହୋଇଛି। ଏହି ଅଞ୍ଚଳମାନଙ୍କରେ ପେଟ୍ରୋଲିଂ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରିଛି।

Comment