ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଦୃଢ଼ ନେତ୍ରୀ, ପ୍ରଖର ବକ୍ତା, ବୁଦ୍ଧିମାନ, ସକରାତ୍ମକ ଚିନ୍ତାଧାରା ବ୍ୟକ୍ତିତ୍ୱ ଥିଲେ ସୁଷମା ସ୍ୱରାଜ। ତାଙ୍କ କଥାବାର୍ତ୍ତା, ବେଶ ପୋଷକ ସାରା ବିଶ୍ୱରେ ଭାରତୀୟ ସଂସ୍କୃତିର ଛାପ ଛାଡ଼ି ଯାଇଛି। ସେ ଭାରତୀୟ ରାଜନୀତିରେ ସମସ୍ତଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସୁଷମାଙ୍କ ରାଜନୀତି ଜୀବନ, ତାଙ୍କ ସଫଳତା ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣା। ହେଲେ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ଖାସ କଥା ଆଜିବି ଅନେକ ଜାଣି ନଥିବେ।

ଆଜି ଆସନ୍ତୁ ଜାଣିବା ସୁଷମାଙ୍କ ପ୍ରେମ ଓ ବିବାହ ବିଷୟରେ…

୧୯୭୫ରେ ସୁଷମାଙ୍କ ବିବାହ ସ୍ୱରାଜ କୌଶଳଙ୍କ ସହ ହୋଇଥିଲା। ସ୍ୱରାଜ କୌଶଳ ଦେଶର ଜଣେ ଜଣାଶୁଣା ଓକିଲ। ଚଣ୍ଡିଗଡ଼ରେ ପାଠ ପଢ଼ିବା ସମୟରେ ସ୍ୱରାଜଙ୍କ ସହ ସୁଷମାଙ୍କ ବନ୍ଧୁତା ହୋଇଥିଲା। ଦୁଇ ଜଣ ଭଲ ସାଙ୍ଗ ଥିଲେ। ପରବର୍ତ୍ତୀ ସମୟରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଓକିଲାତି ପଢ଼ା ସରିବା ପରେ ସୁଷମା ଯେତେବେଳେ ଦିଲ୍ଲୀରେ ସୁପ୍ରିମକୋର୍ଟରେ ଅଭ୍ୟାସ କରିବାକୁ ଆସିଥିଲେ ସେତେବେଳେ ସ୍ୱରାଜଙ୍କ ସହ ଘନିଷ୍ଠ ହୋଇଥିଲେ।

ସୁପ୍ରିମକୋର୍ଟରେ ଏକାସାଙ୍ଗରେ କାମ କଲା ବେଳେ ପରସ୍ପରଙ୍କ ଭିତରେ ସଂପର୍କ ଆହୁରି ଘନିଷ୍ଠ ହୋଇଥିଲା। ତା’ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ପ୍ରେମ ବିବାହ ପାଇଁ ସୁଷମାଙ୍କ ବାପା ହରଦେବ ଶର୍ମା ପ୍ରଥମେ ରାଜି ହେଉନଥିଲେ। କାରଣ ସୁଷମାଙ୍କର ଜନ୍ମ ହରିୟାଣାରେ ହୋଇଥିଲା।

ସେହି ସମୟରେ ହରିୟାଣାରେ ଝିଅଙ୍କୁ ପ୍ରେମ ବିବାହ କରିବାକୁ ଅନୁମତି ନଥିଲା। ସୁଷମାଙ୍କ ବାପା ମଧ୍ୟ ଆରଏସ୍ଏସରେ ଜଡ଼ିତ ଥିଲେ। ହେଲେ ବାପାଙ୍କୁ ବୁଝେଇବାରେ ସେ ସଫଳ ହୋଇଥିଲେ। ଶେଷରେ ୧୯୭୫ ଜୁଲାଇ ୧୩ରେ ସେ ବିବାହ କରିଥିଲେ।

ବିବାହ ପୂର୍ବରୁ ସୁଷମାଙ୍କ ନାଁ ଥିଲା ସୁଷମା ଶର୍ମା। ସ୍ୱରାଜଙ୍କୁ ବିବାହ କରିବା ପରେ ସେ ସୁଷମା ସ୍ୱରାଜ ହୋଇଥିଲେ।

ସୁଷମାଙ୍କ ସ୍ୱାମୀ ସ୍ୱରାଜ ୩୪ ବର୍ଷ ବୟସରେ ଆଡ୍‌ଭୋକେଟ୍ ଜେନେରାଲ୍ ହେବାର ଗୌରବ ହାସଲ କରିଥିଲେ। ୩୭ ବର୍ଷ ବୟସରେ ସେ ମିଜୋରାମ୍‌ର ରାଜ୍ୟପାଳ ହୋଇଥିଲେ। ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ଥିଲେ। ସେହିପରି ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।

Comment