ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାର ସୀମାନ୍ତବର୍ତ୍ତି ଜିଲ୍ଲା ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗାଁରେ ଥିବା ବିସିଜେ ସ୍କୁଲକୁ ଛାତ୍ରଛାତ୍ରୀମାନେ ଡଙ୍ଗାରେ ଯିବାବେଳେ ମଧୁବନ ଗାଁ ପାଖରେ ବୁଡିଗଲା ଡଙ୍ଗା। ଡଙ୍ଗାରେ ଥିବା ୩୦ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଳି ବ୍ଲକ ମଧୁବନ ଗାଁର ଛାତ୍ରଛାତ୍ରୀମାନେ କାଣି ନଦୀରେ ଡଙ୍ଗା ପାରହୋଇ ଯାଜପୁର ଜିଲ୍ଲାର ଜରି ଗାଁରେ ଥିବା ବିସିଜେ ହାଇସ୍କୁଲକୁ ପାଠ ପଢିବାକୁ ଯାଉଥିଲେ। ଡଙ୍ଗାରେ ୩୦ଜଣ ଛାତ୍ରଛାତ୍ରୀ ଓ ୫ ଜଣ ସ୍ଥାନୀୟ ଲୋକେ ମଧ୍ୟ ଥିଲେ। ନଦୀ ଆରପଟ ଜରୀ ଘାଟରେ ଓହ୍ଲାଇ ଥାନ୍ତେ। ହେଲେ ଡଙ୍ଗାଟିରେ କ୍ଷମତାଠାରୁ ଅଧିକ ଲୋକ ଚଢି ଯିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସ୍କୁଲକୁ ଯାଉଥିବା ଛୋଟଛୋଟ ଛାତ୍ରଛାତ୍ରୀମାନେ ବୁଡି ଯାଇଥିଲେ। ନଦୀ ଘାଟରେ ଗାଧଉ ଥିବା ଲୋକ ବୁଡି ଯାଉଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ।

ଏହି ଡଙ୍ଗାରେ ଥିବା ଷଷ୍ଠ ଶ୍ରେଣୀର ଛାତ୍ର ସୁସିଲ ମଲ୍ଲିକ ଓ ଅନନ୍ତ ମଲ୍ଲିକ ପାଣି ପିଇଦେବାରୁ ଚେତା ହରାଇଥିଲେ। ସ୍ଥାନୀୟ ଲୋକେ ଦୁଇ ଛାତ୍ରଙ୍କ ପେଟ ଚାପି ପାଣି ବାହାର କରିଥିଲେ। ଅନ୍ୟ ଛାତ୍ରଛାତ୍ରୀମାନେ ପହଁରି ପହଁରି କୂଳକୁ ଫେରି ଆସିଥିଲେ।

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଡିମିରିପାଳ ପଞ୍ଚାୟତର ମଧୁବନ ଗାଁ। କାଣି ନଦୀ କୂଳରେ ରହିଛି ଏହି ଗାଁ। ଡିମିରିପାଳଠାରେ ଏକ ଉଚ୍ଚ ବିଦ୍ୟାଳୟ ଥିଲେ ମଧ୍ୟ ଗାଁ ଠାରୁ ୪ କିଲୋମିଟର ଦୂରରେ ଥିବାରୁ ଏଠାକୁ ଗାଁର ପିଲା ମାନେ ପାଠପଢିବାକୁ ଯା’ନ୍ତି ନାହିଁ।

ମଧୁବନ ଗାଁରେ ୫ମ ଶ୍ରେଣୀ ଯାଏଁ ପାଠପଢ଼ାର ବ୍ୟବସ୍ଥା ଥିବାରୁ ଷଷ୍ଠ ଶ୍ରେଣୀଠାରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଯାଜପୁର ଜିଲ୍ଲାର ଜରି ଗାଁରେ ଥିବା ବାଙ୍ଗରା ଛନ୍ଦାଉଣ୍ଡି ଜରୀ (ବିସିଜେ) ହାଇସ୍କୁଲକୁ ପାଠପଢିବାକୁ ଯିବାକୁ ପସନ୍ଦ କରନ୍ତି। କାରଣ ମଧୁବନ ଗାଁ ମୁଣ୍ଡରୁ କାଣି ନଦୀ ପାରହେଲେ ନଦୀ କୂଳରେ ହାଇସ୍କୁଲ। ଜିଲ୍ଲା ଅଲଗା ହେଲେବି କାହିଁ କେଉଁ କାଳରୁ କାଣି ନଦୀର ଡଙ୍ଗା ମଧୁବନ ଗାଁ ଓ ଜରି ଗାଁକୁ ଯୋଡି ଆସିଛି।

ଡଙ୍ଗାବୁଡ଼ି ଖବରପାଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଆଳି ତହସିଲଦାର ଜୟନ୍ତ ପୃଷ୍ଟିଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ଆଳି ତହସିଲଦାର ଶ୍ରୀ ପୃଷ୍ଟି ମଧୁବନ ଗାଁର ଏହି ନଦୀ ଘାଟରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଆଜି ଜିଲ୍ଲାପାଳଙ୍କ ନିକଟରେ ତାଙ୍କର ତଦନ୍ତ ରିପୋର୍ଟ ଆଳି ତହସିଲଦାର ଦାଖଲ କରିଥିବା ବେଳେ ତଦନ୍ତରେ ସେମିତି କିଛି ତଥ୍ୟ ପ୍ରଦାନ କରିନଥିବା ନିର୍ଭରଯୋଗ୍ୟ ସୁତ୍ରରୁ ଜଣାପଡିଛି।

Comment