ଓଡ଼ିଶାଲାଇଭ୍‌ ବ୍ୟୁରୋ

କଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ବଲିଉଡ ଫିଲ୍ମ। ଏହାର ନାଁ ହେଉଛି ‘ଦ କଶ୍ମୀର ଫାଇଲ୍ସ’। ଏହି ଫିଲ୍ମକୁ ନିର୍ମାଣ କରିବେ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ। ଆସନ୍ତାବର୍ଷ ସ୍ୱାଧୀନତା ଦିବସରେ ‘ଦ କଶ୍ମୀର ଫାଇଲ୍ସ’ ମୁକ୍ତିଲାଭ କରିବ। ବୁଧବାର ନିଜେ ବିବେକ ଅଗ୍ନିହୋତ୍ରୀ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ବିବେକ ଅଗ୍ନିହୋତ୍ରୀ ଏହା ପୂର୍ବରୁ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ଷାଡ଼ଯାନ୍ତ୍ରିକ ହତ୍ୟାକୁ ନେଇ ନିର୍ମାଣ କରିଥିଲେ ‘ଦ ତାସକେଣ୍ଟ ଫାଇଲ୍ସ’। ଦର୍ଶକ ଏହି ଫିଲ୍ମକୁ ଖୁବ୍‌ ପ୍ରଶଂସା କରିଥିଲେ। ବର୍ତ୍ତମାନ ବିବେକ କଶ୍ମୀର ପଣ୍ଡିତଙ୍କ ଉପରେ ଆଉ ଏକ ସତ୍ୟ କହଣୀକୁ ନେଇ ନିର୍ମାଣ କରିବାକୁ ଯାଉଛନ୍ତି ‘ଦ କଶ୍ମୀର ଫାଇଲ୍ସ’।

ବିବେକ ଅଗ୍ନିହୋତ୍ରୀ ଟ୍ୱିଟ୍ କରି କହିଛନ୍ତି, “ଆଗାମୀ ବର୍ଷ ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ମୁଁ ଆପଣମାନଙ୍କ ପାଖକୁ ନେଇ ଆସିବି କଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ। ଦୟାକରି ଆମ ଟିମ୍ ପାଇଁ ପ୍ରାର୍ଥନା କରନ୍ତୁ କାରଣ ଏହା କୌଣସି ସହଜ କାମ ନୁହେଁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ବହୁ ଦିନରୁ କାଶ୍ମୀର ପ୍ରସଙ୍ଗ ଉପରେ ଫିଲ୍ମ କରିବାକୁ ଚାହୁଁଥିଲି ।  ‘ଦ ତାସକେଣ୍ଟ ଫାଇଲ୍ସ’ର ସଫଳତା ପରେ ମୋ ଭିତରେ ଏହି ଫିଲ୍ମକୁ ନେଇ ବିଶ୍ୱାସ ଦେଖାଯାଇଥିଲା । ୧୯୯୧ ମସିହାରେ ବହୁ କାଶ୍ମୀର ପଣ୍ଡିତଙ୍କୁ  ନିଜ ଘର ଛାଡ଼ିବାକୁ ପଡିଥିଲା। ଏହି ସମୟରେ ନାନା ପ୍ରକାରର  ହିଂସା ମଧ୍ୟ ଘଟିଥିଲା। ଏହି ଫିଲ୍ମ ଜରିଆରେ କାଶ୍ମୀର ପଣ୍ଡିତମାନେ କିଭଳି ନାନ ଅସବିଧାର ସମ୍ମୁଖୀନ ହେଉଥିଲେ ତାହା ଦେଖାଯିବ।”

ଏବେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି କାରଣ ଭାରତ ସରକାରଙ୍କ ଦ୍ୱାରା କଶ୍ମୀରରୁ ରାଜ୍ୟ ମାନ୍ୟତା ସହ ସମ୍ବିଧାନର ଧାରା ୩୭୦କୁ ହଟାଇ ଦିଆଯାଇଛି। ଫଳରେ ଜମ୍ମୁ କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ ହୋଇ ଜମ୍ମୁ ଓ ଲଦାଖ ନାମକ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି।

Comment