ଓଡ଼ିଶାଲାଇଭ ବ୍ୟୁରୋ

ଆଜି ସାରା ଦେଶ ସ୍ଵାଧୀନତା ଦିବସ ପାଳନ କରୁଥିବା ବେଳେ ଜମ୍ମୁ କଶ୍ମୀର ମଧ୍ୟ ପ୍ରଥମ ସ୍ଵାଧୀନତା ଦିବସ ପାଳନ କରୁଛି। ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା କାଶ୍ମୀର ପ୍ରଥମ ସ୍ଵାଧୀନତା ଦିବସ। ଆତଙ୍କୀ ଆକ୍ରମଣ ଆଶଙ୍କା ଥିଲେ ମଧ୍ୟ ଏହାକୁ କଶ୍ମୀର ବାସୀ ଖାତିର ନକରି ଆନନ୍ଦ ଉଲ୍ଲାସରେ ସ୍ଵାଧିନତା ଦିବସ ପାଳନ କରିଛନ୍ତି।

କଶ୍ମୀରରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ୧୪୪ ଧାରା ଲାଗୁ ଅଛି। ବିଭିନ୍ନ ସ୍ଥାନରେ ଯବାନମାନେ ମୁତୟନ ଅଛନ୍ତି। ଏହା ମଧ୍ୟରେ ସ୍ଵାଧୀନତାର ଉତ୍ସବ ମଧ୍ୟ ପାଳନ ହେଉଛି। ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତ, ତହସିଲ ସବୁଆଡ଼େ ତ୍ରିରଙ୍ଗା ଉଡ଼ୁଥିବାର ନଜର ଆସିଛି।

ଏହାସହ ଜମ୍ମୁ କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଶେର-ଇ-ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି। ତାଙ୍କ ସହ ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ପୁଓ୍ଵାମାରେ ମଧ୍ୟ ଜିଲ୍ଲା ପୋଲିସ ତରଫରୁ ସ୍ଵାଧିନତା ଦିବସ ପାଳନ ହୋଇଛି। ସେଠାରେ ଯବାନମାନେ ପରେଡ କରିବା ସହ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ।

ଏହି ଅବସରରେ ସତ୍ୟପାଲ ମଲ୍ଲିକ କହିଛନ୍ତି, “କେନ୍ଦ୍ର ସରକାର କଶ୍ମୀରରେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ତାହା କେବଳ ଐତିହାସିକ ନୁହେଁ। ଏହା ଯୋଗୁଁ କଶ୍ମୀର ପାଇଁ ବିକାଶର ରାସ୍ତା ଖୋଲିବ। ମୁଁ କଶ୍ମୀରବାସୀଙ୍କୁ ଭରସା ଦେଉଛି ତାଙ୍କ ସହ କୌଣସି ଅନ୍ୟାୟ ହେବ ନାହିଁ। ଭାରତର ସମ୍ଵିଧାନରେ ସମସ୍ତଙ୍କ ପାଇଁ ସମାନ ଅଧିକାର ରହିଛି।”

ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଶାନ୍ତି ଶୃଙ୍ଖଳାରେ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଏହା ପୂର୍ବରୁ ଇଦ୍‌ ମଧ୍ୟ ଶାନ୍ତିରେ ପାଳନ କରାଯାଇଥିଲା। ତେବେ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଚାରିଆଡ଼େ ସେନା ମୁତୟନ କରାଯାଇଛି। ଆତଙ୍କୀ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି।

Comment