ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ଇତିହାସର ପୃଷ୍ଠଭୂମିକୁ ଉନ୍ମୋଚନ କଲେ ୧୯୨୯ ମସିହାରେ ହୋଇଥିବା ବିଶ୍ୱ ବାଣିଜ୍ୟ ବଜାରରେ ପତନ ଦୃଷ୍ଟିଗୋଚର ହୁଏ। ୭୦ ବର୍ଷ ପୂର୍ବେ ଆମେରିକାରେ ଘଟିଥିବା ଏହି ବୃହତ ମାନ୍ଦାବସ୍ଥା ଗୋଟିଏ ଛୋଟ ଷ୍ଟକ୍ ବଜାର ପତନରୁ ସୃଷ୍ଟି ହୋଇଥିଲା। ଯାହା ଦ୍ୱାରା ସମଗ୍ର ବିଶ୍ୱ ପରବର୍ତ୍ତୀ ମୂହୁର୍ତ୍ତରେ ଏକ ଚିନ୍ତାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା।
୧୯୨୯ ମସିହା ଅକ୍ଟୋବର ୨୪ ତାରିଖକୁ ‘ବ୍ଲାକ୍ ଥର୍ସଡେ’ ରୂପେ ଘୋଷଣା କରାଯାଇଥିଲା। ବିଶ୍ୱ ବଜାରରେ ଘଟିଥିବା ଏହି ମାନ୍ଦାବସ୍ଥା ସର୍ବାଧିକ ସମୟ ଧରି ଚାଲିଥିଲା ଯାହାକି ସମଗ୍ର ବିଶ୍ୱକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ପଛକୁ ଠେଲିଦେଇଥିଲା। କିନ୍ତୁ ଅନେକ ଅର୍ଥନୈତିକଙ୍କ ମତରେ ଏହି ପତନର କାରଣ କେବଳ ବାଣିଜ୍ୟ ବଜାରରେ ପତନ ହୋଇନପାରେ।
ଏହି ମାନ୍ଦାବସ୍ଥାକୁ ଇର୍ଭିନ୍ ଫିସର୍ ନାମକ ଜଣେ ଅର୍ଥନୈତିଜ୍ଞ ପୂର୍ବାନୁମାନ କରିଥିଲେ। ତାହା ପୂର୍ବରୁ ସେପ୍ଟେମ୍ବର ୧୯୨୯ରେ ନିବେଶ ମତଦାୟକ ରୋଗର ବାବସନ୍ ୟୁଏସଏର ଏକ ଜାତୀୟ ବାଣିଜ୍ୟିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ଏହି ପତନର ପୂର୍ବାନୁମାନ କରିଥିଲେ। କିନ୍ତୁ ଏହି କଥାକୁ ସମସ୍ତ ଅଣଦେଖା କରିଥିଲେ। ଯାହାଫଳରେ ଏହି ମହାନ୍ ଅର୍ଥନୈତିକ ମାନ୍ଦାବସ୍ଥାର ସୂତ୍ରପାତ ହୋଇଥିଲା।
୧୯୨୯ ବିଶ୍ୱର ବ୍ୟାପକ ମାନ୍ଦାବସ୍ଥାର କାରଣ
- ଷ୍ଟକ୍ ବଜାରରେ କ୍ରମାଗତ ପତନ
- ତତ୍କାଳିନ ଜେନେରାଲ୍ ମୋଟର୍ସର ପ୍ରତିଷ୍ଠାତା ବିଲ୍ଲୀ ଡୁରାଣ୍ଟଙ୍କ ଦେବାଳିଆ ଘୋଷିତ ହେବା
- ତେଲ ଦରରେ କ୍ରମାଗତ ହ୍ରାସ
- ମିଚିଗାନ୍ରେ ଘଟିଥିବା ଭୟଙ୍କର ବେକାରୀ ସମସ୍ୟା
ଏହିସବୁ ଘଟଣାବଳୀକୁ ଅନୁଧ୍ୟାନ କଲେ ଏ ଭୟଙ୍କର ପରିସ୍ଥିତିର ଅନୁମାନ କରାଯାଇପାରେ। ବର୍ତ୍ତମାନ ଚିନ୍ତାର ବିଷୟ ଏହିକି ଯେ ସମଗ୍ର ବିଶ୍ୱ ପୁନର୍ବାର ଏକ ବ୍ୟାପକ ମାନ୍ଦାବସ୍ଥାର ନିକଟତର ହେବାକୁ ଲାଗିବାର ଅର୍ଥନୀତିଜ୍ଞ ଅନୁମାନ କରୁଛନ୍ତି। ଏହି ମାନ୍ଦାବସ୍ଥାର ପ୍ରଭାବ ପ୍ରଥମେ ୟୁଏସଏରୁ ଆରମ୍ଭ ହେବାର ସୂଚନା ମିଳୁଛି।
ଯେହେତୁ ୟୁଏସଏ ବିଶ୍ୱର ଏକ କ୍ଷମତାଶାଳୀ ଅର୍ଥନୀତିର ପେଣ୍ଠସ୍ଥଳୀ ଭାବେ ପରିଚିତ ତେଣୁ ଏହାର ଅର୍ଥନୀତିରେ ସାମାନ୍ୟ ପରିବର୍ତ୍ତନ ବିଶ୍ୱ ଅର୍ଥନୀତିରେ ପ୍ରଭାବ ପକାଇବାର ଅନୁମାନ କରାଯାଉଛି। ଏହି ମାନ୍ଦାବସ୍ଥାର ପ୍ରାକ୍ ସୂଚନାର କିଛି ଲକ୍ଷ୍ୟ ମଧ୍ୟ ଦୃଶ୍ୟମାନ ହେଉଛି। ୨୦୨୦ ସୁଦ୍ଧା ହେବାକୁ ଥିବା ଆନୁମାନିକ ମାନ୍ଦାବସ୍ଥାର କେତେକ ଭୟଙ୍କର କାରଣ:
- ଆମେରିକା ଏବଂ ଚାଇନା ଭିତରେ ଉପୁଜିଥିବା ବାଣିଜ୍ୟିକ ବିବାଦ
- ଅନେକ ବିକଶିତ ରାଷ୍ଟ୍ରର ଅର୍ଥନୀତିର ବିକାଶରେ ଦେଖାଯାଇଥିବା ମନ୍ଥରତା
- ଅନେକ ରାଷ୍ଟ୍ରର ବର୍ଦ୍ଧିତ ଋଣ ଭାର
- କ୍ରମାଗତ ଭାବରେ ବଢ଼ିଚାଲିଥିବା ସୁରକ୍ଷାତ୍ମକ କାରବାର ନୀତି ଏବଂ କାରବାରରେ ପ୍ରତିବନ୍ଧକ
- ବିଶ୍ୱସ୍ତରୀୟ ଷ୍ଟକ୍ ବଜାରରେ ଚାଲିଥିବା ଅସ୍ଥିରତା
ଏହିସବୁ ଲକ୍ଷଣକୁ ଦୃଷ୍ଟିରେ ରଖି ଆଶା କରାଯାଇପାରେ ଯେ ଏହା ନିଶ୍ଚିତ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରଭାବ ପକାଇବ। କାରଣ ଏହା ଅନେକ ବିକାଶଶୀଳ ତଥା ବିକଶିତ ରାଷ୍ଟ୍ରମାନଙ୍କର ବୃଦ୍ଧି କ୍ଷେତ୍ରରେ ଏକ ସ୍ଥିରତା ଆଣିଦେଇଛି। ତେଣୁ ଏହି ମାନ୍ଦାବସ୍ଥାର ସୂଚନା କେବଳ ଆମେରୀକୀୟମାନଙ୍କୁ ଯେ ନୁହେଁ ସମଗ୍ର ବିଶ୍ୱର ବିକାଶ ଦିଗରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଶ୍ୱ ବ୍ୟାଙ୍କ୍ ଗ୍ରୁପ୍ ପ୍ରେସିଡେଣ୍ଟ ଡେଭିଡ୍ ମାଲପାସଙ୍କ ମତରେ ଦେଶର ଦାରିଦ୍ର୍ୟ ହ୍ରାସ କରିବା ତଥା ଲୋକମାନଙ୍କର ସାଧାରଣ ଜୀବନଶୈଳୀରେ ପରିବର୍ତ୍ତନ କରିବା ପାଇଁ ଏକ ଉନ୍ନତ ଅର୍ଥନୈତିକ ଅଭିବୃଦ୍ଧିର ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନର ଅର୍ଥନୈତିକ ଗତିକୁ ଦୃଷ୍ଟି ଦେଲେ ଏହା ଅତ୍ୟନ୍ତ ରୁଗ୍ଣ ଥିବା ମନେହେଉଛି।
ଏହା ନିଶ୍ଚିତ ରୂପେ ବିକଶିତ ରାଷ୍ଟ୍ରମାନଙ୍କର ପ୍ରକୃତ କ୍ଷମତା ହ୍ରାସ କରାଇବ। ତେଣୁ ଏହି ସଙ୍କଟାପନ୍ନ ଅବସ୍ଥାକୁ ଦୃଷ୍ଟିରେ ରଖି ଏକ ସୁସଂଗଠିତ ଏବଂ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ସୁଧାର ଆଣିବା ଏକାନ୍ତ ଆବଶ୍ୟକ। ଯଦ୍ୱାରା ଏହା ବ୍ୟବସାୟୀ ଏବଂ ନିବେଶକାରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପୁନଃନିବେଶ ପାଇଁ ଆକୃଷ୍ଟ କରିବ।
କେବଳ ସେତିକି ନୁହେଁ ଋଣଭାର ପରିଚାଳନା କ୍ଷେତ୍ରରେ ମଧ୍ୟ ସୁଧାର ଆଣିବାର ଆବଶ୍ୟକ ଅଛି। ତା’ ନହେଲେ ସମଗ୍ର ବିଶ୍ୱ ବେକାରୀ, ଦାରିଦ୍ର୍ୟର ଶିକାର ହେବ।
ଭାରତର ବର୍ତ୍ତମାନର ଅର୍ଥ ଅବସ୍ଥାକୁ ଦେଖିଲେ ଏହାର କ୍ରମାଗତ ପତନ ଦୃଷ୍ଟିଗୋଚର ହୁଏ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ଅନୁସାରେ ଭାରତରେ ଅଭିବୃଦ୍ଧିକୁ ଅତ୍ୟଧିକ ପ୍ରାଥମିକତା ଦିଆଯାଉଛି। କିନ୍ତୁ ଭାରତରେ ଚାଲିଥିବା ଅର୍ଥନୈତିକ ସମସ୍ୟା ଏକ ଗମ୍ଭୀର ପରିସ୍ଥିତି ଅଟେ। ପୂର୍ବ ଅପେକ୍ଷା ଭାରତର ବୃଦ୍ଧିକୁ ତୁଳନା କଲେ ୨୦୧୯ରେ ଏହା ୬.୮କୁ ଖସିଯାଇଛି।
ଭାରତରେ ଅଭିବୃଦ୍ଧି ହାର ହ୍ରାସ ପାଇବାର ପ୍ରମୁଖ କାରଣ ହେଉଛି ଅଟୋ ମୋବାଇଲ, ରିୟଲ୍ ଇଷ୍ଟେଟ୍, ଉପଭୋକ୍ତା ସାମଗ୍ରୀର ଚାହିଦା ହ୍ରାସ ପାଇବା। ତେଣୁ ଘରୋଇ କ୍ଷେତ୍ରରେ ନିବେଶ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଦ୍ୟମ ନିତାନ୍ତ ଆବଶ୍ୟକ। କେବଳ ସରକାରୀ ଅନୁଦାନ ଏହି ଅବସ୍ଥାରୁ ମୁକୁଳିବା ପାଇଁ ଯଥେଷ୍ଟ ହେବ ନାହିଁ। ଘରୋଇ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ନିବେଶ ପାଇଁ ଆଗେଇ ଆସିବା ଉଚିତ।