ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ସାରା ବିଶ୍ୱରେ ଏହି ପବିତ୍ର ଉତ୍ସବକୁ ଧୁମଧାମରେ ପାଳନ କରାଯାଉଛି। ଆଜିର ଦିନରେ ଓଡ଼ିଶାରେ ଘଟିଥିଲା ଏକ ଦୁଃଖଦ ଘଟଣା। ଆଜିର ଦିନରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ୧୧ ବର୍ଷ ପୂରିଛି। ହେଲେ ଆଜିବି କିଏ ପ୍ରକୃତ ହତ୍ୟାକାରୀ ଜଣା ପଡ଼ିନାହିଁ।  ଏମିତିକି ଏହି ତଦନ୍ତ ରିପୋର୍ଟ ଆଜି ଯାଏଁ ସାବର୍ଜନୀନ ହୋଇନାହିଁ।

୨୦୦୮ରେ ହୋଇଥିଲା ହତ୍ୟାକାଣ୍ଡ

୨୦୦୮ ମସିହା ଅଗଷ୍ଟ ୨୩ରେ ସ୍ୱାମୀଜୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲ।। ସେଦିନ ଥିଲା ଜନ୍ମାଷ୍ଟମୀ। ବହୁ ଆଡମ୍ବର ସହକାରେ ତୁମୁଡିବନ୍ଧସ୍ଥିତ ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ପାଳନ କରାଯାଉଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଆଶ୍ରମ ଭିତରକୁ ଧସେଇ ପଶିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଲକ୍ଷ୍ମଣାନନ୍ଦଙ୍କୁ ଗୁଳି କରିଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଆଉ କେତେ ଜଣ ଭକ୍ତ ଓ ଅନୁଗତ ବି ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣା ସେତେବେଳେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଲକ୍ଷ୍ମଣାନନ୍ଦ ସରସ୍ୱତୀ ଥିଲେ ଥିଲେ ହିନ୍ଦୁମାନଙ୍କ ଗୁରୁ। ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରୁଥିଲେ। ଲୋକମାନଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କର ଅନେକ ଶିଷ୍ୟ ମଧ୍ୟ ଥିଲେ। ତାଙ୍କ ହତ୍ୟାପରେ କନ୍ଧମାଳରେ ହିନ୍ଦୁ-ଖ୍ରୀଷ୍ଟିୟାନଙ୍କ ମଧ୍ୟରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ଲକ୍ଷ୍ମଣାନନ୍ଦ ସରସ୍ୱତୀ ଖ୍ରୀଷ୍ଟିୟାନମାନଙ୍କ ଧର୍ମ ବଦଳାଇ ହିନ୍ଦୁ ଧର୍ମ ଆପଣେଇବାକୁ ବାଧ୍ୟ କରୁଥିଲେ ବୋଲ କିଛି ଲୋକ ଅଭିଯୋଗ କରୁଥିଲେ। ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା।

ଏହି ଘଟଣା ପରେ ପାଖାପାଖି ୨ ମାସ ଧରି ହିଂସା ଲାଗି ରହିଥିଲା। ଏଥିରେ ବହୁ ଲୋକ ମୃତାହତ ହୋଇଥିଲେ। ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା। ମୃତକଙ୍କ ପ୍ରତି ପରିବାରକୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶମତେ ଆଉ ୩ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା

ହତ୍ୟା ଘଟଣାକୁ ପ୍ରଥମେ ପୁଲିସ ତଦନ୍ତ କରିଥିବାବେଳେ ତାପରେ ଏହାକୁ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ଏହି ଘଟଣାରେ ମାଓନେତା ସବ୍ୟସାଚୀ ପଣ୍ଡା, ଆଜାଦଙ୍କ ସମେତ କେତେ ଜଣଙ୍କ କେସ ବର୍ତ୍ତମାନ ମଧ୍ୟ କୋର୍ଟରେ ବିଚାରାଧୀନ ରହିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସରକାର ଏହି ଘଟଣାର ତଦନ୍ତ କମିଶନ ଗଠନ କରିଥିଲେ। ଜଷ୍ଟିସ ଶରତଚନ୍ଦ୍ର ମହାପାତ୍ର କମିସନ ସରକାରୀ ଓ ବେସରକାରୀ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ।

ସାର୍ବଜନୀନ ହୋଇନାହିଁ ତଦନ୍ତ ରିପୋର୍ଟ

୨୦୧୨ ମସିହାରେ ଜଷ୍ଟିସ ଶରତଚନ୍ଦ୍ର ମହାପାତ୍ରଙ୍କ ପରଲୋକ ପରେ ଜଷ୍ଟିସ୍ ଏ.ଏସ ନାଇଡୁଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତି ଦିଆଯାଇଥିଲା। କମିଶନଙ୍କ ନିକଟରେ ସମୁଦାୟ ୩ ଶହ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ୭୮ ଜଣ ସରକାରୀ ଓ ୨୨୨ ଜଣ ବେସରକାରୀ ସାକ୍ଷୀ ରହିଛନ୍ତି। ନାଇଡୁ କମିଶନ ଗତ ୨୦୧୫ ଡିସେମ୍ବରରେ ୧,୦୨୦ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଇତିମଧ୍ୟରେ ୪ ବର୍ଷ ବିତିଗଲାଣି। ହେଲେ କମିସନଙ୍କ ରିପୋର୍ଟ ଆଜି ସୁଦ୍ଧା ସାର୍ବଜନୀନ ହୋଇ ପାରିଲା ନାହିଁ।

Comment